ଧରିତ୍ରୀ ୟୁଥ୍ କନକ୍ଲେଭ ର ପଞ୍ଚମ ସଂସ୍କରଣ ନଭେମ୍ବର ୨୪ରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବିଶ୍ୱର ଯୁବ ଜଳବାୟୁ ପ୍ରବକ୍ତାମାନଙ୍କୁ ଏକତ୍ରିତ କରିବାର ଏକ ପ୍ରମୁଖ ମାଧ୍ୟମ ସାଜିଛି। ‘ଜଳବାୟୁ ପରିବର୍ତ୍ତନ: ଫାଇଣ୍ଡିଂ ସଲ୍ୟୁଶନ’ ବିଷୟବସ୍ତୁ ଆଧାରରେ ଆୟୋଜନ ହେବାକୁ ଥିବା ଏହି ସମ୍ମିଳନୀ ଯୁବପିଢ଼ିଙ୍କ ମଧ୍ୟରେ ଅଭିନବ ଚିନ୍ତାଧାରା ବାଣ୍ଟିବା, ଅର୍ଥପୂର୍ଣ୍ଣ ଆଲୋଚନାରେ ସାମିଲହେବା ସହ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ କାର୍ଯ୍ୟକ୍ଷମ ସମାଧାନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍ଫର୍ମ ଭାବେ କାର୍ଯ୍ୟ କରିବ। ବିଶ୍ୱ ପରିବେଶ ନୀତି ଏବଂ କାର୍ଯ୍ୟକୁ ସୁସଂଗଠନ ସହିତ ଭବିଷ୍ୟତ ପଦକ୍ଷେପ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସୃଷ୍ଟି କରିବ। ଧରିତ୍ରୀ ଯୁବ ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ପାଇଁ ସୃଜନଶୀଳ ଏବଂ ପ୍ରଭାବଶାଳୀ ସମାଧାନ ବିକାଶ କରିବାରେ ଯୁବପିଢ଼ିଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହେବ। ଏହି କନ୍କ୍ଲେଭ୍ରେ ବିଶେଷଜ୍ଞଙ୍କ ପ୍ୟାନେଲ୍ ଆଲୋଚନା ସହିତ ପ୍ରମୁଖ ପରିବେଶବିତ୍ ଏବଂ ସଂଗଠନ ସହ ନେଟୱର୍କିଂ ସୁଯୋଗ ପ୍ରଦାନ କରାଯିବ। ଅଂଶଗ୍ରହଣକାରୀମାନେ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କଠାରୁ ଶିଖିବା, ଚିନ୍ତାଧାରା ଆଦାନପ୍ରଦାନ କରିବା ଆଦିର ସୁଯୋଗ ପାଇବେ। ଏଥି ସହ ସନ୍ଧ୍ୟାରେ ପ୍ରସିଦ୍ଧ ସଙ୍ଗୀତଜ୍ଞଙ୍କ ଦ୍ୱାରା ପରିବେଶ ବିଷୟବସ୍ତୁ ଉପରେ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ।
ହାତୀଙ୍କ ସୁରକ୍ଷା, ସେମାନଙ୍କ ସଂରକ୍ଷଣ ଏବଂ ବିଶେଷକରି ମଣିଷ-ହାତୀ ସଂଘର୍ଷ ହ୍ରାସ ନେଇ ଉତ୍ସର୍ଗୀକୃତ ସଂଗଠନ ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେଶନର ପ୍ରତିଷ୍ଠାତା ହେଉଛନ୍ତି ଦେବବ୍ରତ ସ୍ବାଇଁ। ସେ ଜଣେ ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଏବଂ ଓଡ଼ିଶା ଲୋକାୟୁକ୍ତର ପୂର୍ବତନ ସଦସ୍ୟ। ଫାଉଣ୍ଡେଶନ ଜରିଆରେ ଦେବବ୍ରତ ଓଡ଼ିଶା ଏବଂ ଏହାର ସୀମାବର୍ତ୍ତୀ ଅଞ୍ଚଳରେ ବୃଦ୍ଧି ପାଉଥିବା ମଣିଷ-ହାତୀ ସଂଘର୍ଷର ସମାଧାନ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିମନ୍ତେ ସକ୍ରିୟ ଭାବେ ଯୋଗଦାନ କରିଆସୁଛନ୍ତି। ଏଥିସହ ସ୍ଥାନୀୟ ଗ୍ରାମବାସୀ ଏବଂ ବନ ବିଭାଗ ମଧ୍ୟରେ ବିଶ୍ୱାସ ଦୃଢ଼ କରିବା, ସମ୍ପ୍ରଦାୟ ସମ୍ପର୍କ ଏବଂ ଜନସଚେତନତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ହାତୀମାନଙ୍କ ଗତିବିଧିକୁ ତଦାରଖ କରିବା ପାଇଁ ଫାଉଣ୍ଡେଶନ ପକ୍ଷରୁ କରିଡର ପଦଯାତ୍ରା କରାଯାଉଛି। ଏହାବାଦ୍ ସେ ଜଣେ ଉଚ୍ଚକୋଟୀର ଲେଖକ। ତାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ସିକ୍ରେଟସ୍ ଅଫ୍ ଶିମିଳିପାଳ: ଏ ଓ୍ବାଣ୍ଡରଲ୍ୟାଣ୍ଡ୍ ଅଫ୍ ଏଲିଫାଣ୍ଟସ୍ ଆଣ୍ଡ ମେଲାନିଷ୍ଟିକ୍ ଟାଇଗର୍ସ’ ଅନେକ ଆଦୃତି ଲାଭ କରିଛି। ଧରିତ୍ରୀ ଯୁବ ସମ୍ମିଳନୀରେ ପ୍ୟାନେଲିଷ୍ଟ ଭାବେ ଯୋଗଦେଇ ଦେବବ୍ରତ ନିଜର ଅଭିମତ ପ୍ରକାଶ କରିବା ସହ ନିଜର ଅଭିଜ୍ଞତା ବଖାଣିବେ।


