ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଛି। ତେବେ ଲୁହା, ବାଲି, ଗୋଡ଼ି, ଇଟା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ବୋଝେଇ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି ରହିଛି।
ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଗାଜଲବାଡ଼ିଠାରେ ପୋଲିସ ପକ୍ଷରୁ ଏହିସବୁ ଭାରୀଯାନକୁ ଘାଟି ରାସ୍ତାରେ ଯିବାକୁ ଦିଆଯାଉନାହିଁ। କନ୍ଧମାଳର ଦାରିଙ୍ଗବାଡ଼ି ପଟରୁ ମଧ୍ୟ ସମାନ କଟକଣା ବଳବତ୍ତର ରହିବ ବୋଲି ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ଜଗନ୍ନାଥ ରଥ ସୂଚନା ଦେଇଛନ୍ତି।
ଘାଟି ରାସ୍ତା ଖୋଲିବା ପରେ ଯାତ୍ରୀବାହୀ ବସ୍, ପନିପରିବା ବୋଝେଇ ମିନି ଟ୍ରକ୍, କାର୍ ଓ ବାଇକ୍ ଆଦି ଚଳାଚଳ ସ୍ବାଭାବିକ ହୋଇଛି। ଘାଟିର ଉଭୟ ପାର୍ଶ୍ୱରେ ଥିବା ପାହାଡ଼ର ମାଟି ଏବେ ବି ଓଦା ରହିଥିବାରୁ ଭୂସ୍ଖଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ସୁରକ୍ଷା କାରଣରୁ ଭାରୀଯାନ ଚଳାଚଳ ଉପରେ କଟକଣା ଲଗାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଆଗାମୀ କିଛି ଦିନ ମଧ୍ୟରେ ବାଲି ଓ ଗୋଡ଼ି ବୋଝେଇ ହାଇୱା ଗାଡ଼ିଗୁଡ଼ିକୁ ଘାଟି ରାସ୍ତାରେ ଯାତାୟାତ ପାଇଁ ଅନୁମତି ଦିଆଯାଇପାରେ। ତେବେ ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନ ଭାରୀଯାନ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି ବୋଲି ଜାତୀୟ ରାଜପଥ ବିଭାଗ ସୋରଡ଼ା ଡିଭିଜନ୍ର ଯନ୍ତ୍ରୀ ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗାଜଲବାଡ଼ି ଘାଟି ୩ ଦିନ ହେଲା ସିଲ୍ ରହିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ଏହାକୁ ପ୍ରାଥମିକତା ଦିଆଯାଇ ଘାଟି ରାସ୍ତାରୁ ଅବରୋଧ ହଟାଯାଇଛି।