ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ ରହିଥିବା ବିରାଟକାୟ ଗଛରେ ନିଜ ପ୍ରଚାର ପ୍ରସାର ପାଇଁ ବ୍ୟାନର, ପୋଷ୍ଟରଗୁଡିକୁ ଗଛରେ କଣ୍ଟା ପିଟାଯାଇଥିବା ଘଟଣାକୁ ନେଇ ଧରିତ୍ରୀରେ ଶୁକ୍ରବାର ଖବର ପ୍ରକାଶିତ ହୋଇଥିଲା। ଏଥିରେ ଦାରିଙ୍ଗବାଡି ବନାଞ୍ଚଳ କର୍ମଚାରୀଙ୍କ ପକ୍ଷରୁ ତତ୍ପରତା ଦେଖାଯାଇଛି । ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥର ଟୋଲ ଗେଟଠାରୁ ସିମନବାଡି ବଜାର ପର୍ଯ୍ୟନ୍ତ ରହିଥିବା ଗଛ ଗୁଡିକରୁ ବିଭାଗ ବ୍ୟାନର ପୋଷ୍ଟରକୁ କାଢିବା ସହ କଣ୍ଟା ଗୁଡିକ ବାହାର କରାଯିବା କାର୍ଯ୍ୟ ହାତକୁ ନିଆଯାଇଛି। ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଦଳ ଦଳ ହୋଇ ଏହି କଣ୍ଟା ବାହାର କରିବା କାର୍ଯ୍ୟକୁ ତ୍ୱରାନ୍ବିତ କରୁଛନ୍ତି। ତେବେ ଶତାଧିକ ଗଛରେ ଏହି କଣ୍ଟା ପିଟାଯାଇ ଥିବାବେଳେ ସମ୍ପୂର୍ଣ୍ଣ କଣ୍ଟାକୁ ବିଭାଗ ବାହାର କରିନାହିଁ। ଏହି କାର୍ଯ୍ୟ ଅପରାହ୍ନରେ ଆରମ୍ଭ କରାଯାଇଥିବାରୁ ଆସନ୍ତା କାଲି ମଧ୍ୟ କଣ୍ଟା ବାହାର କରାଯିବ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ନୂତନ ଶିକ୍ଷାବର୍ଷ ପାଇଁ ବିଭିନ୍ନ ସ୍କୁଲ,କଲେଜ ଗୁଡିକ ବିଦ୍ୟାର୍ଥୀଙ୍କ ନାମ ଲେଖାଇବା ପାଇଁ ଓ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଗାଡି ଶୋ’ ରୁମ ଗୁଡିକର ବ୍ୟାନର, ପୋଷ୍ଟରକୁ ଗଛରେ କଣ୍ଟା ପିଟାଯାଇ ଥିବାରୁ ଗଛ ଗୁଡିକ ନଷ୍ଟ ହେବା ସହ ପରିବେଶ ନଷ୍ଟ ହେଉଥିଲା ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ହୋଇଥିଲା।
Dharitri – Odisha’s No.1 Odia Daily

