ଗଣତନ୍ତ୍ରର ବିପ୍ଳବିନୀ

ଶାନ୍ତି, କ୍ଷମତା କିମ୍ବା ପ୍ରଚାର ମାଧ୍ୟମରେ ନୁହେଁ, ବରଂ ତ୍ୟାଗ ଓ ନ୍ୟାୟ ପ୍ରତି ଦୃଢ଼ ପ୍ରତିବଦ୍ଧତା ଜରିଆରେ ଅର୍ଜନ କରାଯାଏ।“ ନରଓ୍ବେଜିଆନ୍‌ ନୋବେଲ କମିଟି ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇବେ ବୋଲି ଘୋଷଣା କରିବା ଅବସରରେ ଉପରଲିଖିତ ମନ୍ତବ୍ୟ ବାଢ଼ି ବିଶ୍ୱକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱରେ ଦେଖାଦେଇଥିବା ଅନେକ ଯୁଦ୍ଧକୁ ରୋକିଥିବା ଦାବି କରି ଆସୁଥିବାରୁ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବାକୁ ହକ୍‌ଦାର ବୋଲି କହିଆସୁଥିଲେ। ୧୦ ଅକ୍ଟୋବରରେ ମାରିଆଙ୍କ ନାମ ଘୋଷଣା ପରେ ଭେନେଜୁଏଲାର ଏକଚ୍ଛତ୍ରବାଦୀ ଶାସକଙ୍କ ବିରୋଧରେ ଲଢ଼େଇ କରୁଥିବା ଏହି ଲୌହ ମାନବୀ ୩୩୮ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ଏକମାତ୍ର ତାରକା ହେବାର ଗୌରବ ଅର୍ଜନ କରିଛନ୍ତି। ଆଲୋଚନାର ବିଷୟ ଏହା ପାଲଟିଛି ଯେ, ମାରିଆଙ୍କ ନାମ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା ହେବା ପରେ ସେ ଟ୍ରମ୍ପ୍‌, ଆମେରିକୀୟ ଜନସାଧାରଣ, ଲାଟିନ୍‌ ଆମେରିକୀୟ, ଗଣତନ୍ତ୍ର ପାଇଁ ଉଦ୍ୟମ କରୁଥିବା ରାଷ୍ଟ୍ରଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି। ଯନ୍ତ୍ରଣା ଭୋଗୁଥିବା ଭେନେଜୁଏଲାବାସୀଙ୍କ ସହ ଟ୍ରମ୍ପ୍‌ ତାଙ୍କୁ ସମର୍ଥନ ଦେଇଥିବାରୁ ମାରିଆ ଏହି ପୁରସ୍କାରକୁ ସେମାନଙ୍କ ସକାଶେ ଉତ୍ସର୍ଗ କରିଛନ୍ତି। ଏଠି ମଧ୍ୟ ମାରିଆଙ୍କ ମହାନତାର ପରିଚୟ ମିଳିଛି।

ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା ଗଣତାନ୍ତ୍ରିକ ଦଳ ‘ଭେଣ୍ଟ ଭେନେଜୁଏଲା’ର ପ୍ରତିଷ୍ଠାତା ମାରିଆ ୧୯୬୭ ମସିହାରେ କାରାକାସରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ଜଣେ ମନୋବିଜ୍ଞାନୀ ଥିବାବେଳେ ପିତା ଇସ୍ପାତ ବ୍ୟବସାୟୀ। ସେ ଇଞ୍ଜିନିୟରିଂ ଓ ଅର୍ଥନୀତିରେ ସ୍ନାତକୋତ୍ତର କରିବା ପରେ କିଛି ସମୟ ପାରିବାରିକ ବ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ। କିନ୍ତୁ ସାମାଜିକ ନେତୃତ୍ୱ ନେବା ପାଇଁ ତାଙ୍କ ମନ ଟାଣିବାରୁ ପ୍ରାରମ୍ଭିକ ଅବସ୍ଥାରେ ୧୯୯୨ରେ ସେ ‘ଆଟେନିଆ ଫାଉଣ୍ଡେଶନ’ ଗଢ଼ି ରାଜଧାନୀ କାରାକାସ୍‌ର ଦୁଃଖୀରଙ୍କୀଙ୍କୁ ସହାୟତା ଯୋଗାଇଥିଲେ। ପରେ ୨୦୦୨ରେ ‘ସୁମାଟେ’ ନାମକ ଭୋଟର ଅଧିକାର ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ଏହାରି ମାଧ୍ୟମରେ ପରବର୍ତ୍ତୀ ସମୟରେ ସେ ରାଜନୀତି ଆଡ଼କୁ ଢଳିଥିଲେ ଓ ୨୦୧୧ରେ ରେକର୍ଡ ସଂଖ୍ୟକ ଭୋଟ ପାଇ ଭେନେଜୁଏଲାର ନ୍ୟାଶନାଲ ଆସେମ୍ବ୍ଲିକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ସରକାରଙ୍କ କାର୍ଯ୍ୟକୁ ଦୃଢ଼ ବିରୋଧ କରିବାରୁ ୨୦୧୪ରେ ତାଙ୍କୁ ବହିଷ୍କାର କରାଯାଇଥିଲା। ମାରିଆ ଭେଣ୍ଟ ଭେନେଜୁଏଲା ବିରୋଧୀ ଦଳର ମୁଖ୍ୟ ଅଛନ୍ତି। ୨୦୧୭ରେ ସେ ସୋୟ ଭେନେଜୁଏଲା ଆଲାଏନ୍ସ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୨୩ରେ ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ। କିନ୍ତୁ ରାଷ୍ଟ୍ରପତି ନିକୋଲାସ ମଦୁରୋ ଷଡ଼ଯନ୍ତ୍ର କରି ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ତେଣୁ ମାରିଆ ବିରୋଧୀ ଦଳଗୁଡ଼ିକର ବିକଳ୍ପ ପ୍ରାର୍ଥୀ ଏଡ୍‌ମୁଣ୍ଡେ ଗୋଞ୍ଜାଲେଜ୍‌ ଉରୁଟିଆଙ୍କୁ ସମର୍ଥନ ଘୋଷଣା କରିଥିଲେ। ହେଲେ ଏକଚ୍ଛତ୍ରବାଦୀ ଶାସକଙ୍କ ଆଗରେ ଗଣତନ୍ତ୍ରର ଅର୍ଥ କିଛି ନ ଥାଏ। ଭୋଟରେ ବ୍ୟାପକ କାରସାଦି କରିବାରୁ ମଦୁରୋ ପୁଣି ରାଷ୍ଟ୍ରପତି ହୋଇଥିଲେ।

ସୂଚନା ଦିଆଯାଇପାରେ ଯେ, ୧୯୯୦ ଦଶକ ଯାଏ ଭେନେଜୁଏଲା ଲାଟିନ୍‌ ଆମେରିକାରେ ସର୍ବାଧିକ ସମୟ ପାଇଁ ଅନ୍ୟତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ ଥିଲା। କିନ୍ତୁ ଏବେ ସେହି ଭୂଖଣ୍ଡରେ ଭେନେଜୁଏଲା ଏକଚ୍ଛତ୍ରବାଦୀ ଶାସକଙ୍କ କବଳକୁ ଚାଲିଯାଇଛି। ହୁଗୋ ଚାଭେଜ ଗଣତନ୍ତ୍ରକୁ ମୋଡ଼ିମକଚି ଏକଚ୍ଛତ୍ରବାଦର ଧ୍ୱଜା ଉଡ଼ାଇଲା ପରେ ତାଙ୍କ ପଥ ଅନୁସରଣ କରିଚାଲିଛନ୍ତି ନିକୋଲାସ ମଦୁରୋ। ଏଭଳି ପରିପ୍ରେକ୍ଷୀରେ ଦେଶରେ ଗଣତନ୍ତ୍ରକୁ ପୁନଃ ପ୍ରତିଷ୍ଠା କରିବା ଲାଗି ମାରିଆ ପୂର୍ଣ୍ଣପ୍ରାଣରେ ଲାଗିପଡ଼ିଛନ୍ତି।

ମାରିଆଙ୍କ ବ୍ୟକ୍ତିତ୍ୱକୁ ଦେଖିଲେ ସେ ଜଣେ ଦୃଢ଼ମନା, ନୀତିବାନ୍‌ ଓ ନ୍ୟାୟ ପାଇଁ ଲଢ଼ୁଥିବା ମହୀୟସୀ ମହିଳା ପାଲଟିଯାଇଛନ୍ତି। ଏକଚ୍ଛତ୍ରବାଦ ବିରୋଧରେ ସେ ଯେଉଁଭଳି ଭାବେ ଲଢ଼ିଚାଲିଛନ୍ତି, ତାଙ୍କୁ ସମର୍ଥକମାନେ ଦେଶର ‘ଆଇରନ୍‌ ଲେଡି’ ଭାବେ ଆଖ୍ୟା ଦେଇଛନ୍ତି। ଏପରି କି ତାଙ୍କୁ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚରଙ୍କ ସହ ତୁଳନା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାର ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ତାଙ୍କୁ ‘ଟାଇମ୍ସ ୨୦୨୫’ର ସବୁଠାରୁ ପ୍ରଭାବଶାଳୀ ୧୦୦ ତାଲିକାରେ ‘ଦୃଢ଼ତା, ଅଦମ୍ୟ ସାହସୀ ଓ ଦେଶପ୍ରେମର ପ୍ରତୀକ’ ଭାବେ ଅଭିହିତ କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ଭଳି ବ୍ୟକ୍ତି ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ମାରିଆ କରୁଥିବା ଉଦ୍ୟମକୁ ଉଚ୍ଚପ୍ରଶଂସା କରିଛନ୍ତି। ମାରିଆଙ୍କୁ ଦେଖିଲେ ମ୍ୟାନ୍‌ମାରର ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ବ୍ୟକ୍ତିତ୍ୱ ଆଖିଆଗକୁ ଆସିଥାଏ। ସୁ ଚୀ ମଧ୍ୟ ତାଙ୍କ ଦେଶରେ ଗଣତନ୍ତ୍ରକୁ ଏକପ୍ରକାର ସଫଳ କରିଆଣିଥିଲେ। ହେଲେ ଏକଚ୍ଛତ୍ରବାଦୀମାନେ ପୁନଶ୍ଚ ଲେଉଟି ପଡ଼ିଲେ। ତେବେ ସୁ ଚୀଙ୍କ ସଂଘର୍ଷ ତାଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ଦେଇଥିଲା।

ଭେନେଜୁଏଲା ତୈଳ ଭଣ୍ଡାରରେ ଭରପୂର ଏକ ଦେଶ, ଯାହାର ସୁଦୃଢ଼ ଅର୍ଥନୀତିକୁ ଏକଚ୍ଛତ୍ରବାଦୀ ଓ ତାଙ୍କ ସମର୍ଥକମାନେ କୋରି ଖାଇଚାଲିଛନ୍ତି। ମାରିଆଙ୍କ ଆଶା ରହିଛି ଦେଶକୁ ଗଣତନ୍ତ୍ର ଫେରିଆସିଲେ ସେଠାକାର ଜନସାଧାରଣ ତାହାର ସୁଫଳ ପାଇପାରିବେ। ଯେପର୍ଯ୍ୟନ୍ତ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କ ସଂଗ୍ରାମ ଜାରି ରହିବ ବୋଲି ମାରିଆ କହିଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ମାରିଆ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି। ତାଙ୍କର ତିନି ସନ୍ତାନ। ନିଜ ଦେଶରେ ଜୀବନ ପ୍ରତି ବିପଦ ଥିବାରୁ ପିଲାମାନେ ବିଦେଶରେ ଅଛନ୍ତି। ମାରିଆ ମାଚାଡୋ ଜଣେ କ୍ୟାଥୋଲିକ୍‌।

-ଜିତେନ୍ଦ୍ର କୁମାର ନାୟକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri