ସବୁରି ଉପରେ ମଣିଷ ସତ୍ୟ (ନନ୍ଦିନୀ ଶତପଥୀଙ୍କ ଜୀବନଦୃଷ୍ଟି)

ମର-ଜଗତରେ ଯାହା କିଛି ଦୃଶ୍ୟମାନ, ତାହା ସବୁ କ୍ଷୟଶୀଳ। ଗଛଲତା, ପଶୁପକ୍ଷୀଙ୍କ ପରି ମଣିଷ ଜନ୍ମ ହେଲେ ମରେ। ଏହି ମୃତ୍ୟୁଶୀଳତା ଭିତରେ କିନ୍ତୁ ଏପରି କୌଣସି କୌଣସି ବ୍ୟକ୍ତିଙ୍କର ଆବିର୍ଭାବ ଘଟେ, ଯାହାଙ୍କର ଜୀବନାବସାନ ପରେ ବି ତାଙ୍କ ବିଚାରବୋଧର ମୃତ୍ୟୁ ଘଟେ ନାହିଁ। ଏହିପରି ଜଣେ ବ୍ୟକ୍ତି ଥିଲେ ନନ୍ଦିନୀ ଶତପଥୀ। ଅଭାବ ଅନଟନ ଭିତରେ ଜନ୍ମ ହୋଇ, ନାନା ପ୍ରତିକୂଳତା ଭିତରେ ସେ ନିଜକୁ ଜଣେ ଦୃଷ୍ଟାନ୍ତକାରୀ ବ୍ୟକ୍ତିତ୍ୱରେ ପରିଣତ କରିପାରିଥିଲେ। ତାରୁଣ୍ୟରେ, ନିଜର ନିଷ୍ଠା ଓ ଅଧ୍ୟବସାୟ ଦ୍ୱାରା ଭାରତୀୟ ରାଜନୀତିରେ ସେ ନବୀନତମ ନକ୍ଷତ୍ରର ଗରିମା ହାସଲ କରିଥିଲେ। କେନ୍ଦ୍ରରେ ମନ୍ତ୍ରୀ ହେବା ସାଙ୍ଗକୁ ଦୁଇ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳି ଥିଲେ। କଂଗ୍ରେସ ସମେତ ଭାରତର ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ଯେତେବେଳେ ଘୋର ଦ୍ୱନ୍ଦ୍ୱ ଓ ସଂଘାତ ଦେଇ ଗତି କରୁଥିଲେ, ସେଇ ଘନଘଟା ଭିତରେ ନିଜର ପାରଦର୍ଶୀ ଦକ୍ଷତା ଦ୍ୱାରା ସେ ରାଜନୀତି ଓ ପ୍ରଶାସନରେ ନିଜ ପାଇଁ ଏକ ମହତ୍ତର ଆସନ ବାଛି ନେଇଥିଲେ। ସେ ଏପରି ଜଣେ ନେତ୍ରୀ ଥିଲେ, ଯେ କୌଣସି ନିର୍ବାଚନରେ ପରାଜୟ ବରଣ କରି ନ ଥିଲେ।

ଗଭୀର ଆତ୍ମବିଶ୍ୱାସର ପ୍ରତୀକ ଥିଲେ ନନ୍ଦିନୀ। ଯେଉଁ କାର୍ଯ୍ୟଟି ହେବାର ନୁହେଁ, ତାକୁ କରି ଦେଖାଇବାକୁ ସେ ଥିଲେ ନଛୋଡ଼ବନ୍ଦା। ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୁଏ- ଏହା ସେ ତାଙ୍କ ଜୀବନରେ ବାରବାର ପ୍ରମାଣ କରି ଦେଖାଇଥିଲେ। ତୁଳସୀ ଗଛଟିଏ ଜନ୍ମରୁ ତୁଳସୀ ବୋଲି ଜଣାଗଲା ପରି ନନ୍ଦିନୀ ଶୈଶବରୁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୬୨ ମସିହା କଥା। କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋ ଥା’ନ୍ତି ତାଙ୍କ ବାପା କାଳିନ୍ଦୀ ଚରଣ ପାଣିଗ୍ରାହୀ। ଏକାଡେମୀର ଏକ ବୈଠକ ସାରି ସେ ଏକାଡେମୀ ବାହାରେ ଠିଆ ହୋଇଥାଆନ୍ତି। ସେହି ବୈଠକରେ ଇନ୍ଦିରା ଗାନ୍ଧୀ ମଧ୍ୟ ଯୋଗ ଦେଇଥିଲେ। ସେତେବେଳେ ଏକାଡେମୀର ସଭାପତି ଥା’ନ୍ତି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ। ଇନ୍ଦିରା ଗାନ୍ଧୀ ସେଇ ବାଟ ଦେଇ ଫେରିଲାବେଳେ ସେ କାଳିନ୍ଦୀବାବୁଙ୍କୁ ବାହାରେ ଠିଆ ହୋଇଥିବାର ଦେଖି ପଚାରିଲେ: ”ଆପଣ ନନ୍ଦିନୀର ବାପା ନା?“ କାଳିନ୍ଦୀବାବୁ କହିଲେ: ”ଆପଣ ଏହା କିପରି ଜାଣିଲେ?“ ”ଆପଣଙ୍କ ମୁହଁ ସାଙ୍ଗରେ ତା’ ମୁହଁ ମିଶିଯାଉଛି“- କହିଲେ ଇନ୍ଦିରା ଗାନ୍ଧୀ। କାଳିନ୍ଦୀବାବୁ କହିଲେ- ଏହା ସତ ଯେ ହେଲେ ମୁଁ ନନ୍ଦିନୀର ବାପା ନୁହେଁ, ନନ୍ଦିନୀ ମୋ’ ଝିଅ।“ ଏହା ଶୁଣି ଇନ୍ଦିରା ଗାନ୍ଧୀ ଠୋ ଠୋ ହୋଇ ହସିଉଠିଲେ ଓ ତାଙ୍କୁ ନେଇ ନନ୍ଦିନୀ ଦେବୀ ରହୁଥିବା କ୍ୱାର୍ଟରରେ ଛାଡ଼ିଦେଇ ଆସିଲେ। ତିରିଶ ଡେଇଁଲାବେଳକୁ ବାପାଙ୍କୁ ଅତିକ୍ରମ କରି ନନ୍ଦିନୀଙ୍କର ଏକ ନିଜସ୍ବ ପରିଚୟ ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇ ସାରିଥିଲା।

ଅତି ଛୋଟବେଳୁ ନନ୍ଦିନୀ ନିଜ ବୟସର ଅନେକ ଝିଅଙ୍କଠାରୁ ବେଶ୍‌ ନିଆରା ଥିଲେ। ବାପା କାଳିନ୍ଦୀ ଚରଣ ମୟୂରଭଞ୍ଜରେ ‘ଭଞ୍ଜ ପ୍ରଦୀପ’ ପତ୍ରିକାର ସମ୍ପାଦକ ଥିବାବେଳେ ସେଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ ନନ୍ଦିନୀ ଭର୍ତ୍ତି ହୋଇଥା’ନ୍ତି। ସ୍କୁଲକୁ ମୋଟେ ସାତ ଆଠ ଦିନ ଯାଇଛନ୍ତି କି ନା, ଦିନେ ବାପାଙ୍କୁ ଆସି କହିଲେ- ”ବାପା, ମତେ ଏ ସ୍କୁଲ ଜମା ଭଲ ଲାଗୁନି। ମୁଁ କଟକରେ ପଢ଼ିବି।“ କାଳିନ୍ଦୀବାବୁ ପଚାରିଲେ- ”ପଢ଼ିବୁ ଯେ, କିନ୍ତୁ କାହିଁକି?“ ନନ୍ଦିନୀ କହିଲେ- ଆମ ସ୍କୁଲରେ କ’ଣ ପ୍ରାର୍ଥନା ବୋଲାଯାଉଛି, ଜାଣ? ”ଏହି ମୋର ଭଞ୍ଜଭୂମି ଏହି ମହାରାଜା/ ଜନ୍ମେ ଜନ୍ମେ କରୁଥିବି ଏ ଦୁହଁିଙ୍କୁ ପୂଜା। – ଯେଉଁଠି ରାଜାଙ୍କର ସ୍ତୁତିଗାନ କରାଯାଉଛି, ସେ ସ୍କୁଲରେ ମୁଁ ପଢ଼ିବି ନାହିଁ।“ ପିଲାଟିଦିନରୁ ବାପା ଓ କକା ଭଗବତୀ ଚରଣଙ୍କ ସଂସ୍ପର୍ଶରେ ଆସି ନନ୍ଦିନୀଙ୍କର ହୃଦ୍‌ବୋଧ ହୋଇଥିଲା ଯେ ପୃଥିବୀରେ ମଣିଷ ହିଁ ଏକମାତ୍ର ସତ୍ୟ, ମଣିଷଠୁଁ ବଳି ବଳୀୟାର ଆଉ କେହି ନାହିଁ। ଏ ମଣିଷ ପୁଣି ସାଧାରଣ ମଣିଷ, ମେହେନତ କରୁଥିବା ମଣିଷ, ଯେତେ ବାଧାବିଘ୍ନର ସମ୍ମୁଖୀନ ହେଲେ ବି କାହାକୁ ହାରିଗୁହାରି ନ କରି ନିଜର ଅସ୍ମିତାକୁ ନେଇ ଗର୍ବବୋଧ କରୁଥିବା ମଣିଷ।

ନିଜେ ନାରୀ ହୋଇ ବି କେବେ ନାରୀକୁ ନାରୀ ବୋଲି ସେ ବିଚାରୁ ନ ଥିଲେ। ତାଙ୍କ ମତରେ ନାରୀ, ନାରୀ ନୁହେଁ; ‘ବ୍ୟକ୍ତି’। ନାରୀ ରୂପଭେକରେ ଯେତେ ଆଧୁନିକ ହେଉ, ମନା ନାହିଁ; କିନ୍ତୁ ତା’ ମନରେ ଆଧୁନିକତା ଆସିବା ଦରକାର। ବିଦ୍ୟା, ବୁଦ୍ଧି ଓ ଗୁଣରେ ଆଧୁନିକତା ଆସିଲେ ଯାଇ ନାରୀ ସମାଜର ହିତରେ ଲାଗିପାରିବ। ଯଦି କେହି କହେ- ‘ନାରୀ ପରାଧୀନ, ତାକୁ ଏ ସମାଜ କୋଉ ସ୍ବାଧୀନତା ଦେଇଛି’- ତେବେ ତତ୍‌କ୍ଷଣାତ୍‌ ସେ ଏହାର ପ୍ରତିବାଦ କରି କହୁଥିଲେ: ”ଭୁଲ୍‌ କଥା। କେହି କାହାରିକୁ ସ୍ବାଧୀନତା ଯାଚି ଦିଏ ନାହିଁ। ନିଜ ସାମର୍ଥ୍ୟ ଓ ଆସ୍ପୃହା ବଳରେ ଜଣକୁ ଏହା ଅର୍ଜନ କରିବାକୁ ହୋଇଥାଏ। ଚିଟାଗଙ୍ଗ ଅସ୍ତ୍ରାଗାର ଲୁଣ୍ଠନ ମାମଲାରେ ଗିରଫ ହୋଇ ଫାଶୀ ପାଇଥିବା ମହିଳାମାନଙ୍କୁ କିଏ ଦେଇଥିଲା ସ୍ବାଧୀନତା? ଅସୂର୍ଯ୍ୟଂପଶ୍ୟା ଜମିଦାର ଘରର ବୋହୂ, ଝିଅ ଓ ବଡ଼ ଧନୀଘରର ଉଚ୍ଚଶିକ୍ଷିତା ଝିଅମାନେ କିପରି ହେଲେ, ଏତେ ସ୍ବାଧୀନଚେତା ଯେ ମଦ ଦୋକାନ ଆଗରେ ସତ୍ୟାଗ୍ରହ କରିବାକୁ ଅଣ୍ଟାରେ ଶାଢ଼ି ଭିଡ଼ି ଠିଆ ହେଇଗଲେ? ଲବଣ ସତ୍ୟାଗ୍ରହରେ ଭାଗନେଇଥିବା, ବିଦେଶୀ ବସ୍ତ୍ରରେ ନିଅଁା ଲଗାଇ ଦେଇଥିବା, ଖଦଡ଼ ପିନ୍ଧି ବ୍ରିଟିଶ୍‌ ପୋଲିସ୍‌ର ଲାଠି ଆଗରେ ମୁଣ୍ଡ ପତାଇ ଦେଇଥିବା ମହିଳାମାନଙ୍କୁ କିଏ ମୋଫତରେ ଦେଇଥିଲା ସ୍ବାଧୀନତା? ଏମାନଙ୍କୁ କେହି ସ୍ବାଧୀନତା ଦେଇ ନ ଥିଲେ, ନିଜର ମନୋବଳ, ଅଙ୍ଗୀକାରବଦ୍ଧତା ଓ ଆଦର୍ଶ ବଳରେ ଏମାନେ ଛାଅଁାକୁ ଛାଅଁା ସ୍ବାଧୀନ ହୋଇ ଉଠିଥିଲେ ନିଜ ବିଚାରଣାରେ, କାର୍ଯ୍ୟପନ୍ଥା ନିର୍ଦ୍ଧାରଣରେ। ଦେଶ ସ୍ବାଧୀନ ହେଲା ପଛରେ, ଆଗ କିନ୍ତୁ ଭାରତୀୟ ମହିଳାମାନଙ୍କୁ ମିଳିସାରିଥିଲା ସ୍ବାଧୀନତା।

ଏପରି କହୁଥିଲେ ସତ, ତା’ ବୋଲି ନାରୀକୁ କଦାପି ବାଧାବିପତ୍ତିରେ ଏକା ଛାଡ଼ିଦେଇ ନିଜକୁ ନିରାପଦ ଦୂରତ୍ୱରେ ରଖୁ ନ ଥିଲେ ନନ୍ଦିନୀଦେବୀ। ଜୀବନର ସାୟାହ୍ନରେ ଯେତେବେଳେ କ୍ଷମତା ହାତଛଡ଼ା, ନିଜ ଲୋକ ପର; ଠିକ୍‌ ସେତିକିବେଳେ ସେ ‘ଯୌତୁକ ପ୍ରଥା’ ବିରୁଦ୍ଧରେ ଅଣ୍ଟାଭିଡ଼ି ଛିଡ଼ା ହୋଇଥିଲେ। ପ୍ରତିପକ୍ଷ କହୁଥିଲେ- ”ନନ୍ଦିନୀଦେବୀଙ୍କର କିଛି କାମ ନାହିଁ। ଯତୁକ ଭଳି ତୁଚ୍ଛା କଥାଟାରେ ଦିନରାତି ମାତିଛନ୍ତି।“ ହେଲେ ତାଙ୍କରି ଲଗାତର ପ୍ରବର୍ତ୍ତନା ଯୋଗୁଁ ଯୌତୁକ ନିରୋଧ ଆଇନ ତିଆରି ହେଲା, ଯାହାର ଫଳ ଆଜି ଆମ ଆଖିସାମ୍ନାରେ।
‘ମଣିଷ ସତ୍ୟ’ ବୋଲି ନିଶ୍ଚିତ ଥିଲେ ବୋଲି ନିଜର ସାହିତ୍ୟକର୍ମରେ ସେ ନିପୀଡ଼ିତ ଜନତାର ଲହୁଲୁହକୁ ସୃଜନର ସାମଗ୍ରୀ କରି ଆପଣାଇ ନେଇଥିଲେ। ତାଙ୍କ ପ୍ରଥମ ପ୍ରକାଶିତ ଗଳ୍ପର ଶୀର୍ଷକ ଥିଲା ‘ଅନାଥ’, ଯାହା କଟକ ଟ୍ରେନିଂ ସ୍କୁଲ ପତ୍ରିକାରେ ପ୍ରକାଶ ପାଇଥିଲା। ‘ଅନାଥ’ ଥିଲା ପିତୃମାତୃହୀନ ଏକ ପିଲାର ଜୀବନ କାହାଣୀ। ମାନବିକତାର କ୍ରମିକ ଅବକ୍ଷୟରେ ମଣିଷର ବାମନତ୍ୱ ଲାଭ ପ୍ରସଙ୍ଗରେ କହିବାକୁ ଯାଇ ସେ କହିଥିଲେ- ”ଦିନକୁ ଦିନ ମଣିଷ ସାନ ହୋଇଯାଉଛି। ସେଇ ରୂପକଥାର ଏକୋଇଶ ହାତ ମଣିଷ- ଯିଏ କମି କମି ହେଲା ଚଉଦ ହାତ। ତା’ପରେ ସାତ ଓ ଶେଷରେ ସାଢ଼େ ତିନି ହାତ। ହୁଏତ ଆହୁରି ଛୋଟ ହୋଇଯିବ ମଣିଷ। ତାକୁ ସେତେବେଳେ ଇଞ୍ଚରେ ମପା ହେବ।“

ମଣିଷକୁ ହୃଦୟର ଗଭୀରରୁ ଭଲ ପାଉଥିଲେ ବୋଲି ମଣିଷମାନେ ତାଙ୍କୁ ନିଦରେ ଆସି ନିଜ ନିଜର ଗପ କହି ଯାଉଥିଲେ। ନନ୍ଦିନୀଙ୍କ ଭାଷାରେ- ”ରାତିରେ ଶୋଇ ଶୋଇ ମୁଁ ଗୋଟିଏ ଗୋଟିଏ ଗପ ପୂରା ସ୍ବପ୍ନରେ ଦେଖିଦିଏ। ଏମିତିକି ମଝିରୁ ଉଠି ବାଥ୍‌ରୁମ୍‌କୁ ଯାଇ ପୁଣି ଆସି ଶୋଇପଡ଼ିଲେ ସେଇ ଗପର ଧାରା ଅବ୍ୟାହତ ରହିଥାଏ। କବିତାର ଅବସ୍ଥା ବି ସେଇଆ। ନିଦରେ ଶୋଇ ଶୋଇ କବିତା କହୁଥାଏ ଆଉ ଉଠି ଧୈର୍ଯ୍ୟ ଥିଲେ ଲେଖିପକାଏ।“ କଳ୍ପନା ନୁହେଁ, ନନ୍ଦିନୀ ଥିଲେ ବାସ୍ତବତାର ସଚ୍ଚୋଟ ରୂପକାର। ତାଙ୍କୁ ସହି ପାରୁ ନ ଥିବା ସମକାଳୀନମାନେ ଆଜି ଇତିହାସରେ ନିରୁଦ୍ଦିଷ୍ଟ ହେଇଗଲେଣି, ହେଲେ ମୃତ୍ୟୁର ଦୁଇ ଦଶନ୍ଧି ପରେ ଅତୀତର ଅନ୍ଧାର ଭିତରୁ ଆଜି ଯେଉଁ ମୁହଁଟି ଉଜ୍ଜ୍ୱଳ ହୋଇ ଦିଶିଯାଉଛି, ସେଇଟି ଅବଧାରିତ ଭାବେ ନନ୍ଦିନୀଙ୍କର। ବଜ୍ରବିଜୁଳିିର ସେଇ ଅତୁଟ ପ୍ରତିମାଙ୍କୁ ତାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କର ଶତକୋଟି ପ୍ରଣାମ!

ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?