କାରଣ-ନିରାକରଣ ପ୍ରଶ୍ନ

ସଂହତ ସମାଜବୋଧ ନ ଥିବା କିଛି ମଣିଷ ପାଇଁ ଏହି କାରଣ-ନିରାକରଣ ପ୍ରଶ୍ନଟି ଗୋଟିଏ ଗୋଲକଧନ୍ଦା ଭଳି ପ୍ରତୀୟମାନ ହୁଏ। ଅଥଚ ଏହି ପ୍ରଶ୍ନ ପ୍ରତି ମଣିଷର ଆଭିମୁଖ୍ୟରୁ ଜଣାପଡ଼େ ସେ କେତେ ସ୍ବାର୍ଥପର, ସୁବିଧାବାଦୀ, ଆତ୍ମକୈନ୍ଦ୍ରିକ ଓ କେତେ ପଳାତକ। ଆମେ ଶୁଣୁ କେତେ ସ୍ବଚ୍ଛନ୍ଦରେ ଲୋକେ କହି ଯାଆନ୍ତି, ‘ଏହା ମୋ ସମୟର କଥା ନୁହେଁ; ମୁଁ ଏ ପାଇଁ ଦାୟୀ ନୁହେଁ, ମୋ କାର୍ଯ୍ୟକାଳ ଆଗରୁ ଏ ଘଟଣା ଇତ୍ୟାଦି।’

ଉଚ୍ଚତା ନେଇ ମଣିଷର ଚିନ୍ତନ। ଗାନ୍ଧିଜୀଙ୍କୁ ‘ଏହା ମୋ କାମ ନୁହେଁ ବା ଏହା ମୋ ସମୟର ଘଟଣା ନୁହେଁ’ ଭଳି କଥା ବହୁତ କଷ୍ଟ ଦେଉଥିଲା। ସେଥିପାଇଁ ସେ ଯେତେବେଳେ କହୁଥିଲେ, ‘ମୁଁ ପୃଥିବୀର ସବୁ ଦୀନ ଦୁଃଖୀ ମଣିଷଙ୍କ ଆଖିରୁ ଲୁହ ପୋଛି ଦେବାକୁ ଚାହେଁ’ ଏବଂ ଯେତେବେଳେ ପ୍ରଶ୍ନ ହେଲା, ‘ଆପଣ ତ ଏହି ଲକ୍ଷ ଲକ୍ଷ ଲୋକଙ୍କ ଅଶ୍ରୁପାତର କାରଣ ନୁହନ୍ତି?’ ଗାନ୍ଧୀ ଉତ୍ତର ଦେଇଥିଲେ, ‘କାରଣ ନ ହେଲେ ବି ନିରାକରଣ ବି ତ ନୁହେଁ। ଅର୍ଥାତ୍‌ ମୁଁ ସେ ମଣିଷ ବା ମଣିଷମାନଙ୍କର ନ କାନ୍ଦିବା ପାଇଁ କ’ଣ କରିଛି?’

କାହାରି ଦୁଃଖଲାଘବ ପାଇଁ ବସ୍ତୁତଃ କାରଣ ନ ଥାଇ, ଆତ୍ମ-ଦାୟିତ୍ୱ ନ ଥାଇ ସଂଶ୍ଳିଷ୍ଟ ହୋଇ ପଡ଼ିବା ମନୋଭାବରୁ ନାଗରିକତ୍ୱ ଆରମ୍ଭ। କିଛିଦିନ ତଳେ ମୋ ଘରକୁ ଆସିଥିବା ପାଣିମିସ୍ତ୍ରିଟିଏ ପାଣିବୁହା କଳ ବିକୁଥିବା ବ୍ୟବସାୟୀଙ୍କୁ ପ୍ରଶଂସା କରି କହିଲା, ‘ବାବୁ, ମୁଁ ତାଙ୍କ ଯୋଗୁ ବଞ୍ଚିଛି।’ ପାଣିବୁହା ମେଶିନ ବିକୁଥିବା ଯୁବ ବ୍ୟବସାୟୀ ଜଣକ ମୋର ଛାତ୍ର ହୋଇଥିବାରୁ ମୁଁ ମିସ୍ତ୍ରିଟିର ମନ୍ତବ୍ୟର ସତ୍ୟାସତ୍ୟ ବିଷୟରେ ପଚାରିଲାରୁ ସେ କହିଲା, ”ସେ ହୁଏତ ଅତିରଞ୍ଜିତ କରୁଥିବ। ସତକଥା ହେଲା, ମିସ୍ତ୍ରିଜଣକ ସଚ୍ଚୋଟ, କିନ୍ତୁ ଗରିବ। ମୁଁ ଚାହୁଁନି ସେ ପ୍ରକାର ଲୋକ ଅଭାବଗ୍ରସ୍ତ ହେଉ। ଦୁର୍ଦ୍ଦିନ ଦେଇ ଗତି କରୁ। ତେଣୁ ମୁଁ ଏଠୁ ସେଠୁ କିଛି କାମ ସାଉଁଟି ଆଣି ତାକୁ ଦିଏ, ଯେମିତି ସେ ଭଲରେ ଚଳିଯିବ।“

ପ୍ରକୃତରେ କାରଣ ନ ହୋଇ ନିରାକରଣ ପାଇଁ ଝାସଦେବା ଖାଲି ଉତ୍ତମ ନାଗରିକତ୍ୱର ସୂଚନା ନୁହେଁ, ଏହା ମଧ୍ୟ ସମାଜସେବାର ପ୍ରଥମ ଲକ୍ଷଣ। ତେବେ ସବୁକିଛି ସୁରୁଖୁରୁରେ ଚାଲେ ନାହିଁ, ଯାହା ବାରମ୍ବାର ଘଟୁଥିଲା ପଣ୍ଡାବାବୁ ପୋଷ୍ଟ ମାଷ୍ଟରଙ୍କ ଜୀବନରେ। ପଣ୍ଡାବାବୁ ଜଣେ ନିଷ୍ଠାପର, ସାଧୁଶ୍ରେଣୀର ମଣିଷ। ନିଜର ନାଗରିକତ୍ୱ ପ୍ରତିପାଦନ କରିବାକୁ ସଦା ଆଗ୍ରହୀ ସେ। ସେଇଥି ପାଇଁ ପୁଅବୋହୂଙ୍କଠୁ ବହୁତ କଥା ଶୁଣନ୍ତି। ତଥାପି ଜୀବନରେ ସେ ନିଜ ଟ୍ରାକ୍‌ କେବେ ପରିବର୍ତ୍ତନ କରିନାହାନ୍ତି। ପଣ୍ଡାବାବୁ ଯାଇଥିଲେ ଗ୍ରାମାଞ୍ଚଳ ବନ୍ଧୁ ଘରକୁ। ଫେରିବା ଦିନ ରାଜପଥର ଏକ ଛକରେ ବସ ଅଟକିଲା। ଅଧିକାଂଶ ପୁରୁଷ ଲୋକ ବସରୁ ଓହ୍ଲାଇ ପଡ଼ିଲେ। ଯେ ଯାହା ବାଗରେ ନିଜ ନିଜ ପିନ୍ଧାଲୁଗାର ଉତ୍ତମ ପରିଚାଳନା କରି କୃତ୍ରିମ ହ୍ରଦମାନ ସୃଷ୍ଟି କଲେ! ଏ ଅଭାବନୀୟ ଦୃଶ୍ୟ ବସର ଝରକା ପାଖରୁ ଦେଖୁଥିଲେ ପଣ୍ଡାବାବୁ ଓ କିଛି ମହିଳା ସହଯାତ୍ରୀ। ତୁରନ୍ତ ଓହ୍ଲେଇପଡ଼ି ସେ ଚିତ୍କାର କଲେ; ”ପ୍ରକୃତିର ତାଡ଼ନାର ଉତ୍ତର ପାଇଁ ଆପଣମାନେ ଆଉ ଟିକେ ଦୂରକୁ ଯାଇ ପାରିଲେନି? ବସର ଝରକା ପାଖରେ ବସିଥିବା ମା’, ଭଉଣୀମାନେ କି ଦୃଶ୍ୟ ଦେଖୁଛନ୍ତି?“ ଅସାମାଜିକଙ୍କୁ ଉତ୍ତର କାହିଁ? ଜଣେ ଦୁଇଜଣ ଝପଟି ଆସି ତାଙ୍କୁ ପଚାରିଲେ, ‘ଏତେ ବଡ଼ ବଡ଼ କଥା କହୁଛ, ତୁମେ କିଏ?’ ପଣ୍ଡାବାବୁ କହିଥିଲେ, ‘ମୁଁ ଜଣେ ନାଗରିକ।’
ଶାରୀରିକ ହେଉ ଅବା ମାନସିକ କାହାରି କଷ୍ଟ ନିବାରଣରୁ ସଭ୍ୟତା ଆରମ୍ଭ। ପ୍ରଖ୍ୟାତ ନୃତତ୍ତ୍ୱବିତ୍‌ ମାର୍ଗାରେଟ ମିଡ୍‌ ଏ ପ୍ରସଙ୍ଗରେ ତାଙ୍କ ଛାତ୍ରୀଛାତ୍ରଙ୍କୁ ଏକ ଅଭିନବ ତତ୍ତ୍ୱ ପ୍ରଦାନ କରିଥିଲେ। ‘ଆମ ସଂସ୍କୃତି ଭିତରେ ସଭ୍ୟତା କେବେ ଆତ୍ମପ୍ରକାଶ କଲା?’ ପ୍ରଶ୍ନର ଉତ୍ତରରେ ମିଡ୍‌ କହିଥିଲେ, ମଣିଷର ଭଙ୍ଗା ଜଙ୍ଘ ହାଡ଼ର ଯତ୍ନ ଆଉଜଣେ ମଣିଷ ଯେବେଠୁ ନେଲା, ସେବେଠୁ ସଭ୍ୟତା ଆରମ୍ଭ। କଥାଟିକୁ ସେ ବୁଝାଇ କହିଥିଲେ ଯେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଥରେ ଜଙ୍ଘହାଡ଼ ଭାଙ୍ଗିଲେ ସେମାନେ ସମଗ୍ର ଜୀବନ ପାଇଁ ଅକାମୀ ହୋଇଯାନ୍ତି। ଅଚିରେ ମୃତ୍ୟୁଲାଭ କରି, ଅନ୍ୟର ଖାଦ୍ୟ ମଧ୍ୟ ପାଲଟି ଯାଆନ୍ତି। ମଣିଷ ପାଇଁ ମଧ୍ୟ ସେଇ ଏକା କଥା। ଯେଉଁଦିନଠୁ ପଟି ବାନ୍ଧିଦେବା ଭଳି ଅନ୍ୟର ଯତ୍ନରେ ଜଙ୍ଘହାଡ଼ ଭାଙ୍ଗିଥିଲେ ହେଁ, ମଣିଷ ବିକଳାଙ୍ଗ ହେଉପଛେ ବଞ୍ଚିଛି, ଅନ୍ୟ କାହାରି ସେବା ଶୁଶ୍ରୂଷା, ଯତ୍ନ, ସାଧାରଣଜ୍ଞାନ ସୁଲଭ ଚିକିତ୍ସା ଦ୍ୱାରା, ସେହି ଦିନଠୁ ସଭ୍ୟତାର ସୂତ୍ରପାତ। ପରିଚିତ ହେଉ ଅବା ଅପରିଚିତ, କାହାରି କଷ୍ଟର ନିରାକରଣ ବା ରୋଗ ନିବାରଣ ପାଇଁ ହେଉଥିବା ମାନବିକ ଉଦ୍ୟମରୁ ସଭ୍ୟତାର ସୂର୍ଯ୍ୟୋଦୟ।

କାରଣ ନ ହୋଇ ନିରାକରଣକୁ ପାଥେୟ କରି ବଞ୍ଚିଥିବା ମଣିଷମାନେ କଳ୍ପିତ କର୍ମର ବ୍ୟାପକତା ନେଇ ବ୍ୟସ୍ତ ହୁଅନ୍ତି ନାହିଁ। ଗାନ୍ଧୀ ପରି ମଦର ଟେରେସା, ସାମାନ୍ୟ ଭିନ୍ନତା ପ୍ରକାଶ କରି କହିଥିଲେ, ‘ମୁଁ ପୃଥିବୀର ସବୁ ଦରିଦ୍ରତମ ବ୍ୟକ୍ତିଙ୍କ ସେବା କରିବାକୁ ଚାହେଁ।’ ଯେତେବେଳେ ତାଙ୍କୁ କୁହାଗଲା ସେମାନଙ୍କ ସଂଖ୍ୟା ଅସୁମାରୀ, ମଦର୍‌ କହିଥିଲେ, ‘ମୁଁ ସେବାର ପରିମାଣ ନେଇ ଚିନ୍ତିତ ନୁହେଁ, ମୋ ପାଇଁ ସେବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜାଣେ ମୋ ସେବା ସମୁଦ୍ରକୁ ବୁନ୍ଦାଏ ପାଣି, ତଥାପି ସେହି ବୁନ୍ଦାଏ ପାଣିର ଅନୁପସ୍ଥିତି ସମୁଦ୍ରକୁ ସେହି ପରିମାଣରେ ତ ଦରିଦ୍ର କରିବ!!’

ନିଜ ଆଖପାଖ ପରିବେଶରେ ଘଟୁଥିବା ଘଟଣାର ପ୍ରତ୍ୟକ୍ଷ ଉତ୍ତରଦାୟିତ୍ୱ ନିଜ ମୁଣ୍ଡ ଉପରେ ନ ଥାଇ ମଧ୍ୟ କିଛି ଗୋଟାଏ ଚମକପ୍ରଦ କାମ କରି ସବୁଦିନ ପାଇଁ ଅମର ହୋଇଯାଇଥିବା ବ୍ୟକ୍ତି ଜଣକ ହେଲେ ପ୍ରଖ୍ୟାତ ଇଂରାଜୀ କବି ସାର୍‌ ଫିଲିପ୍‌ ସିଡ୍‌ନୀ। କବି ହେଲେ ବି ସିଡ୍‌ନୀ କିଛିଦିନ ସେନାରେ ସୈନିକ ହିସାବରେ କାମ କରୁଥିଲେ। ଯୁଦ୍ଧକ୍ଷେତ୍ରର ଦୁଇଟି ଘଟଣା ତାଙ୍କୁ ଅମର କରି ତୋଳିଛି। ସାଥୀ ସୈନିକଟି ବିନା ଉରୁଆଚ୍ଛାଦନରେ (ଥାଇ ଗାର୍ଡ) ଯୁଦ୍ଧ କରୁଥିବାରୁ ସେ ନିଜେ ପିନ୍ଧିଥିବା ଉରୁ ଆବରଣ ଫିଙ୍ଗି ଦେଇଥିଲେ, ଯାହା ତାଙ୍କ ପାଇଁ ବିପଦ ଡାକି ଆଣିଲା। କାରଣ, ପରବର୍ତ୍ତୀ ସମୟରେ ସେହି ଖୋଲା ଜଙ୍ଘରେ ଗୁଳିବିଦ୍ଧ ହୋଇ, ଭୟଙ୍କର ସଂକ୍ରମଣର ଶିକାର ହୋଇ ସେ ମୃତ୍ୟୁବରଣ କଲେ। ତେବେ ନିଜ ଗୁଳିବିଦ୍ଧ, ରକ୍ତାକ୍ତ ଶରୀରକୁ ଘୋଷାରି ଘୋଷାରି ଶିବିରକୁ ଯାଉଥିବାବେଳେ ସେ ବହୁତ ତୁଷାର୍ତ୍ତ ଅନୁଭବ କରୁଥିଲେ। ଦିଆଯାଇଥିବା ପାଣି ବୋତଲରୁ ପାଣି ପିଇବାକୁ ଉଦ୍ୟତ ହେଉଥିଲାବେଳେ ସେ ଆଉ ଜଣେ ଆହତ ସାଥୀ ସୈନିକର ତୃଷାର୍ତ୍ତ ଓଠର ବ୍ୟାକୁଳତା ଅନୁଭବ କରି ବଢ଼େଇ ଦେଇଥିଲେ ତାଙ୍କ ବୋତଲ ଏବଂ କହିଥିଲେ -ତୁମ ଆବଶ୍ୟକତା ମୋଠୁ ବହୁତ ବେଶି (ୟୋର ନିଡ ଇଜ୍‌ ଗ୍ରେଟର ଦ୍ୟାନ୍‌ ମାଇନ୍‌)।

ନିଜ ଆଖପାଖରେ ଘଟୁଥିବା ଘଟଣା ସହ ପ୍ରତ୍ୟକ୍ଷ ସଂଶ୍ଳିଷ୍ଟହୀନତା ଯୋଗୁଁ ‘ମୁଁ ଏଥିପାଇଁ ଦାୟୀ ନୁହେଁ’ ଭାବିବା ପରିବର୍ତ୍ତେ ନିକଟ ସମାଜ ଅବା ବୃହତ୍ତର ବିଶ୍ୱ ସମାଜରେ ମନକୁ ଆନ୍ଦୋଳିତ କଲାଭଳି ଘଟୁଥିବା ଘଟଣା ପାଇଁ ‘ମୁଁ ମଧ୍ୟ ଦାୟୀ’ ବୋଲି ଆମେ ଯଦି ଭାବି ପାରନ୍ତୁ, ତା’ହେଲେ ଆମେ ନିଜ ପାଇଁ, ପରସ୍ପର ପାଇଁ ଜୀବନାଦର୍ଶର ଏକ ନୂତନ ସଂଜ୍ଞା ନିରୂପଣ କରିପାରିଥାନ୍ତୁ।

ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର
ମୋ: ୯୪୩୭୩ ୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

ମହମ୍ମଦ ମୋକିମ କିଏ… ବର୍ଷିଲେ ପିସିସି ସଭାପତି: ଗୁମର ଖୋଲି କହିଲେ..

ଭୁବନେଶ୍ୱର,୧୬।୧୨: କଂଗ୍ରେସରୁ ମହମ୍ମଦ ମୋକିମଙ୍କ ବହିଷ୍କାର ପରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ଦେଇଛନ୍ତି। ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଛନ୍ତି, ମହମ୍ମଦ ମୋକିମ କିଏ,...

ବଢିଲା ଶୀତ: ଦାରିଙ୍ଗବାଡିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି, ୧୬।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପୁଣି ବଢିଲା ଶୀତର ପ୍ରକୋପ ବିଭିନ୍ନ ସ୍ଥାନରେ ଘନ କୁହୁଡି ସହ ଶୀତ ଦ୍ବିଗୁଣିତ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri