ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ ବନ ପଞ୍ଚାୟତ ଗଢ଼ିଛନ୍ତି ଓ ତା’ ମାଧ୍ୟମରେ ଜଙ୍ଗଲର ସୁରକ୍ଷା କରୁଛନ୍ତି । ସେମାନଙ୍କ ମତରେ ଜଙ୍ଗଲ ରହିଲେ ଆମେ ବଞ୍ଚି ରହିବୁ। ଶଙ୍ଖଦୁରା ଗାଁର ଜଙ୍ଗଲକୁ ସ୍ଥାନୀୟ ସରପଞ୍ଚ ବାସନ୍ତି ରାଓ୍ବତଙ୍କ ନେତୃତ୍ୱରେ ମହିଳାମାନେ ସୁରକ୍ଷିତ ରଖିଛନ୍ତି। ତାଙ୍କ ସହ ୮ ମହିଳା ବନ ପଞ୍ଚାୟତରେ ରହିଛନ୍ତି। କେବଳ ଶଙ୍ଖଦୁରା ନୁହେଁ, ସର୍ମୋଲି ଜଣ୍ଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ମଲିକା ଭିର୍ଡି ମଧ୍ୟ ମେସାରିକୁଣ୍ଡର ପୁନରୁଦ୍ଧାର କରିପାରିଛନ୍ତି। ବନ ପଞ୍ଚାୟତ ମାଧ୍ୟମରେ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ସୁରକ୍ଷା ହେବା ଦ୍ୱାରା ଉତ୍ତରାଖଣ୍ଡର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରିଛି। ୧୯୩୧ରେ ଇଂରେଜମାନେ ପ୍ରଣୟନ କରିଥିବା ବନ ପଞ୍ଚାୟତ ନିୟମାବଳୀ ୧୯୭୨ରେ ଏହା ଭାରତୀୟ ଜଙ୍ଗଲ ଆଇନ-୧୯୨୭ ଅଧୀନକୁ ଆସିଥିଲା। ଉତ୍ତରାଖଣ୍ଡରେ ଏବେ ୬,୦୬୯ ବନ ପଞ୍ଚାୟତ ଦ୍ୱାରା ୪,୦୫,୪୨୬ ହେକ୍ଟର ଜଙ୍ଗଲର ସୁରକ୍ଷା ସମ୍ଭବ ହୋଇପାରିଛି।

