ଏ ଭାଗ ସରିବ ତ

ରାପୃଷ୍ଠରେ ମଣିଷ ପ୍ରଥମେ ଯେତେବେଳେ କେବଳ ଖାଦ୍ୟ ଅନ୍ବେଷଣ କରୁଥିଲା, ସେତେବେଳେ କେବଳ ତାହାକୁ ଭାଗ କରୁଥିଲା ଓ ସେଥିରେ ଉପଯୁକ୍ତ ଭାଗ ହୋଇନଥିଲେ ମଧ୍ୟ କାହାର ଆପତ୍ତି ନ ଥିଲା। ମାତ୍ର ସମୟକ୍ରମେ ଯେତେବେଳେ ମଣିଷର କ୍ରମବିକାଶ ହେଲା, ସେତେବେଳେ ସେ ଭାଗ ଅଧିକାର ଓ ଦାବିକୁ ପ୍ରଥମେ ଏକ ପ୍ରମୁଖ ସମ୍ପତ୍ତି ଭାବରେ ନିର୍ଣ୍ଣୟକଲା। ତେଣୁ ଭାଗ ବା ଦାବି ଅଧିକାର ଧୀରେ ଧୀରେ ବ୍ୟକ୍ତିଠାରୁ ସମାଜ ଓ ତତ୍ପରେ ରାଜ୍ୟ ତଥା ଦେଶ ମଧ୍ୟରେ ବିସ୍ତାରିତ ହେଲା। ଉକ୍ତ ଭାଗ ବା ଅଧିକାର ଦାବିର କ୍ଷୁଣ୍ଣ ହେଲେ ସେଥିପାଇଁ ନ୍ୟାୟାଳୟ ମଧ୍ୟ ବିଚାରକରିବା ପାଇଁ ଗଠନହୋଇ ନ୍ୟାୟ ପ୍ରଦାନକଲା। ତେବେ ବ୍ୟକ୍ତିଗତ ଭାଗରେ ତ୍ରୁଟି ହେଲେ ମଣିଷ ନିଜ ନିଜ ମଧ୍ୟରେ ସଂଶୋଧନ କରିଥାନ୍ତି। ମାତ୍ର ଅନେକ ସମୟରେ ସମାଜ ଉକ୍ତ ଭାଗ ଦ୍ୱାରା ଆକ୍ରାନ୍ତ ଓ ଜର୍ଜରିତ ହୋଇ ଜୀବନ ଦୁର୍ବିଷହ ହୋଇପଡୁଛି ପରିମାଣର ଅଂଶୀଦାରକୁ ଆଧାରକରି। ମଣିଷ ସମ୍ପ୍ରତି ପ୍ରାୟ ସମସ୍ତ ବ୍ୟବସ୍ଥାରେ ନିଜର ଭାଗକୁ ସାବ୍ୟସ୍ତ କରିବା ପାଇଁ ଲଢ଼େଇ କରୁଛି।
ବର୍ତ୍ତମାନର ସମାଜରେ ଏକ ବିଡ଼ମ୍ବନା ପରିଲକ୍ଷିତ ହୁଏ ଯେ ମଣିଷ କର୍ତ୍ତବ୍ୟ ପ୍ରତି ଯେତିକି ଯତ୍ନଶୀଳ ନୁହେଁ, ତା’ଠାରୁ ଅନେକ ଗୁଣରୁ ଅଧିକ ନିଜର ଅଧିକାର ବା ଭାଗକୁ ସାବ୍ୟସ୍ତ କରିବାରେ ବ୍ୟସ୍ତ। ଆମେ ଯଦି ଆମର ସଂସ୍କୃତି ପରମ୍ପରା ବା ପୁରାଣ ଗ୍ରନ୍ଥକୁ ଅବଲୋକନ କରିବା ତେବେ ସେଥିରୁ ଅନେକ କିଛି ଶିକ୍ଷା କରିବା, କାରଣ ଅତୀତ ସବୁବେଳେ ଶିକ୍ଷା ଦେଇଥାଏ କେଉଁଟା କରିବା ଉଚିତ ବା କେଉଁଟା କରିବା ଅନୁଚିତ। ମଣିଷ ଶରୀରରେ ଯେଉଁ ବିବେକ ଥାଏ ତାହା ହେଉଛି ଉକ୍ତ କରଣୀୟ ଓ ଅକରଣୀୟର ସିଦ୍ଧାନ୍ତକର୍ତ୍ତା। ତେଣୁ ସେ ଦୃଷ୍ଟିରୁ ବିଚାରକଲେ ଦୃଶ୍ୟମାନ ହୋଇଥାଏ ଯେ ଆଜି ପ୍ରତ୍ୟେକ ସମାଜରେ ମହାଭାରତ ଏକ ଉଦାହରଣ ହୋଇ ଶିକ୍ଷା ପ୍ରଦାନ କରିଥାଏ। ସେଥିରୁ ଗୋଟିଏ ଶିକ୍ଷା ସର୍ବାଗ୍ରେ ରହେ ଯେ ମହାଭାରତର ଉତ୍ପତ୍ତି ହୋଇଥାଏ କେବଳ ଭାଗର କଳଙ୍କିତ ଦୃଷ୍ଟିକୋଣରୁ। ଏଠାରେ କେବଳ ପାର୍ଥିବ ବସ୍ତୁର ଇନ୍ଦ୍ରିୟ ଲୋଭ ଓ ଜିଦ୍‌ ତଥା ଅହଙ୍କାର ପାଇଁ ଭାଗର ଆବିର୍ଭାବ ଓ ପରିଣାମ ହୋଇଥିଲା ଧ୍ୱଂସର ଇତିହାସ। ମାତ୍ର ରାମାୟଣର ତ୍ୟାଗ ଓ ସମର୍ପଣକୁ ମଣିଷ ନିଜର ଦୈନନ୍ଦିନ ଜୀବନ ଚର୍ଚ୍ଚାରେ କାର୍ଯ୍ୟକାରୀ ନ କରି ସେହି ଭାଗର ଅଦୃଶ୍ୟ ଛାଇ ପଛରେ ଏବେ ଧାବମାନ।
ଭାରତ ସ୍ବାଧୀନ ହେବା ପରେ ଦୁଇ ଭାଗ ହୋଇଗଲା। ସମ୍ପ୍ରତି ସମାଜରେ ଧର୍ମର ମଧ୍ୟ ଭାଗ ହୋଇ ସାମ୍ପ୍ରଦାୟିକ ହିଂସାରେ ମଣିଷ ଆତଯାତ ହେଉଛି। ଏପରିକି ଗୋଟିଏ ଧର୍ମରେ ମଧ୍ୟ ଅନେକ ଭାଗହୋଇ ଧାର୍ମିକ ଦୃଷ୍ଟିକୋଣକୁ ଅଧିକ ଆଘାତ ଦେଉଛି। ସ୍ବାଧୀନତା ପରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ଯେତେବେଳେ ମଣିଷ ପାରିବାରିକ ସମ୍ପତ୍ତିର ଅଧିକାର ପାଇବାରେ ସାମର୍ଥ୍ୟ ପାଇଲା, ତତ୍ପରେ ପାରିବାରିକ ସମ୍ପର୍କରେ ଅନେକ ହିଂସା ବୃଦ୍ଧି ହେବାରେ ଲାଗିଲା, ତାହା ସମ୍ପତ୍ତିର ଭାଗ ପାଇଁ। ଏପରିକି ଭାଇ-ଭାଇ, ଭାଇ-ଭଉଣୀ ଓ ଅନ୍ୟ ସମ୍ପର୍କୀୟମାନଙ୍କ ମଧ୍ୟରେ ଭାଗକୁ କେନ୍ଦ୍ରକରି ସମ୍ପର୍କର ପୂର୍ଣ୍ଣଚ୍ଛେଦ ପଡ଼ିଲା। ତେଣୁ ଏଠାରେ ଭାଗ ଏକ ସହଯୋଗର ସରଳରେଖା ପରିବର୍ତ୍ତେ ସମ୍ପର୍କରେ ଏକ ପାଚେରି ଦଣ୍ଡାୟମାନ କରିଥାଏ। ଭାରତ-ପାକିସ୍ତାନ ସୀମା ଭାଗକୁ ନେଇ ଅମାନବୀୟ ଘଟଣା ଘଟୁଛି ଏବଂ ସେଥିରୁ ପ୍ରତୀୟମାନ ହୁଏ ଯେ ସମାଜରେ ଭାଗ କ’ଣ ଏତେ ଜରୁରୀ, ଯାହା ପାଇଁ ବ୍ୟକ୍ତି ସମାଜର ଅମୂଲ୍ୟ ସମ୍ପଦ କେତେ ଧନ ଜୀବନ ନଷ୍ଟ ହେଉଛି। ସେଥିପାଇଁ ମହାତ୍ମା ଗାନ୍ଧୀ ଭାରତ ଓ ପାକିସ୍ତାନର ବିଭାଜନକୁ ରୋକିବାକୁ ସକ୍ରିୟ ଭାବରେ ଚେଷ୍ଟା କରିଥିଲେ ଯେଉଁଥିରେ ସେ ଫଳପ୍ରସୂ ହୋଇପାରି ନ ଥିଲେ। ଭାରତ ପାକିସ୍ତାନ ଭାଗ ହୋଇଗଲା ଓ ପରବର୍ତ୍ତୀ ସମୟରେ ପୁଣି ବାଂଲାଦେଶ ଭାଗହୋଇ ଭୌଗୋଳିକ ଇତିହାସ ପରିବର୍ତ୍ତନ ହେଲା। ଦେଶକୁ ଧାର୍ମିକ ଦୃଷ୍ଟିକୋଣରେ ଭାଗ କରିବାର ଧାରଣାକୁ ଗାନ୍ଧୀ ପ୍ରତ୍ୟାଖ୍ୟାନ ଓ ବିରୋଧ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଭାଗ ହେତୁ ସଂଘର୍ଷ, ହିଂସା ହେଉଥିବା ସ୍ଥାନକୁ ଯାଇ ତାହାର ନିରାକରଣ କରିବା ସହ ଉପବାସ ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ସେ ଚେଷ୍ଟା କରିଥିଲେ।
ସ୍ବାଧୀନତାର ପରବର୍ତ୍ତୀ ସମୟରେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବର୍ତ୍ତମାନ ଅନେକ ବ୍ୟକ୍ତି ରାଜନୀତିର ଆଧାର ମଧ୍ୟରେ ଭାଗ ପାଇଁ ନିମଜ୍ଜିତ ରହୁଛନ୍ତି। ଦେଶ ମଧ୍ୟରେ ଅନେକ ଗୋଷ୍ଠୀ ଆବିର୍ଭାବ ହୋଇ ଭିନ୍ନ ରାଜ୍ୟ, ଦେଶ, ଜିଲା ଇତ୍ୟାଦି କରି ଗଣତନ୍ତ୍ରରେ ଭାଗକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାରେ ବ୍ୟସ୍ତ। ସମ୍ପ୍ରତି ସମଗ୍ର ଦେଶରେ ଏକ ସ୍ପର୍ଶକାତର ତଥା ରୋମାଞ୍ଚକର ସ୍ଥିତି ଜାଗ୍ରତ ହୋଇଛି, ତାହା ହେଉଛି ଜନନାୟକ ବା ମହାପୁରୁଷ ମାନଙ୍କୁ ଭାଗ କରିବା। ବର୍ତ୍ତମାନ ପ୍ରତିଷ୍ଠା, ସମର୍ଥନ, ସହାନୁଭୂତି ଆଦି ପାଇଁ ଦେଶ ବା ରାଜ୍ୟର ବିଶିଷ୍ଟ ମହାପୁରୁଷଙ୍କୁ ନେଇ ଭାଗକରିବା ଏକ ପରିତାପର ବିଷୟ। ଗୋଟିଏ ରାଜନୈତିକ ଦଳ ବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଯଦି ଜଣେ ସୁନାମଧନ୍ୟ ମହାପୁରୁଷଙ୍କ ଜନ୍ମବାର୍ଷିକୀ ବା ମହାପ୍ରୟାଣକୁ ମାନ୍ୟତା ଦେଇ କିଛି ସାମାଜିକ କାର୍ଯ୍ୟକ୍ରମ କରେ ତେବେ ଅନ୍ୟ ଏକ ରାଜନୈତିକ ଦଳ ବା ସାମାଜିକ ଗୋଷ୍ଠୀ ଅନ୍ୟ ଏକ ମହାପୁରୁଷଙ୍କ ଜନ୍ମ ବା ମହାପ୍ରୟାଣ ଦିନକୁ ଭିନ୍ନ ଶୈଳୀରେ ପାଳନ କରିଥାନ୍ତି। ଅନ୍ୟପକ୍ଷରେ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ମହାପୁରୁଷଙ୍କ ନାମରେ ଅନେକ ଯୋଜନା କାର୍ଯ୍ୟକାରୀ ହୁଏ ଓ ସମୟକ୍ରମେ ତାହା ବନ୍ଦ ହୋଇ ପୁଣି ଅନ୍ୟ ଜଣେ ମହାପୁରୁଷଙ୍କ ନାମରେ ନାମିତ ହୋଇଯାଏ। ମହାପୁରୁଷମାନଙ୍କୁ ମଧ୍ୟ ଏ ସମାଜ ଭାଗ କରିଚାଲିଛି। ଅନେକ ସମୟରେ କେତେଜଣ ବ୍ୟକ୍ତି ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଅପମାନକରି ଭାଙ୍ଗି ଦେଇଥାନ୍ତି, ଯାହା ଏ ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା ହୋଇଥାଏ। ଅତଏବ ଏହା ଏକ ସୁସ୍ଥ ମାନସିକତା ଓ ବ୍ୟବସ୍ଥା ହୋଇ ନ ପାରେ, ଯେଉଁଥିରେ ଉକ୍ତ ଜାତିର ଏବଂ ସମାଜର ସଂସ୍କାର ଓ ସଂସ୍କୃତି ଭୂଲୁଣ୍ଠିତ ହୋଇଥାଏ। ଏ ସମାଜ ଏଭଳି ଭାଗ ମନୋବୃତ୍ତି ଓ ଚିନ୍ତାଧାରାରୁ କ୍ଷାନ୍ତ ହେବା ଏକାନ୍ତ ଆବଶ୍ୟକ। ଅନ୍ୟଥା ମଣିଷ ଭାଗ କରିକରି ଚାଲିଥିବ ଓ ଯେତେବେଳେ ଭାଜ୍ୟ, ଭାଜକ ଓ ଭାଗଫଳ ଉପଯୁକ୍ତ ସ୍ଥାନରେ ଅବସ୍ଥିତ ହୋଇଯିବେ ସେତେବେଳେ ମଣିଷ ନିକଟରେ ଭାଗଫଳ ଥିବ କେବଳ ଶୂନ। ଅତଏବ ଏ ଭାଗ ସରିବ ତ ?

ଡ. ସତ୍ୟନାରାୟଣ ମିଶ୍ର

ସହାୟକ ନିର୍ଦ୍ଦେଶକ
ଜାତୀୟ ଅଭିଲେଖାଗାର, ଭାରତ ସରକାର
ମଧୁସୂଦନନଗର , ଭୁବନେଶର
ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

ଏଇ ଭାରତରେ

ତାମିଲନାଡୁର କୋଏମ୍ବାଟୁରରେ ଜଳସଙ୍କଟ ଦୂର କରିବାରେ ମଣିକନ୍ଦନ ଆର୍‌ଙ୍କ ପଦକ୍ଷେପ ପ୍ରଶଂସନୀୟ। ସେଠାରେ ଥିବା ହ୍ରଦ ଓ ଅନ୍ୟ ଜଳଉତ୍ସଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇବା ସହ…

ଭୂଗର୍ଭ ଫଙ୍ଗାଇ ବିଶ୍ଳେଷିକା

ଜଳବାୟୁ ପରିବର୍ତ୍ତନଜନିତ ବିପଦକୁ ବିଶ୍ୱବାସୀ ଭଲ ଭାବେ ଅନୁଭବ କଲେଣି। ସେଥିରୁ ରକ୍ଷା ପାଇବା ପାଇଁ ସଚେତନ ମଣିଷ ପଦକ୍ଷେପ ମଧ୍ୟ ନେଉଛି। ପ୍ରକୃତିକୁ ବିଗାଡ଼ି ଦେଉଥିବାରୁ…

ନଜର ଲାଗିଗଲା କି

ନିକଟରେ ଓଡ଼ିଶା ବିଧାନସଭାରେ ସଭ୍ୟମାନଙ୍କର ମାସିକ ଦରମା, ଭତ୍ତା ଓ ପେନ୍‌ସନ୍‌ ଆଦି ବୃଦ୍ଧି କରି ଏକ ବିଲ୍‌ ସର୍ବସମ୍ମତି କ୍ରମେ ପାସ୍‌ ହୋଇଗଲା। ବିଧାୟକମାନେ ଜନମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri