ନିର୍ବାଚନ ମଇଦାନରେ ଧର୍ମଶାଳା ବିଧାୟକଙ୍କ ଭାଇ

ଧର୍ମଶାଳା,୩ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବହୁ ନେତାଙ୍କ ସମ୍ପର୍କୀୟ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ଏହିକ୍ରମରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ କୁମାର ବଳବନ୍ତରାୟ ଚଳିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ ଗତ ପଞ୍ଚାୟତ ନିର୍ବାଚନରେ ଏହି ବ୍ଲକ ଭବାନୀପୁର ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇ ବ୍ଲକ ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇଛନ୍ତି। ଚଳିତ ନିର୍ବାଚନରେ ସେ ପୁନର୍ବାର ଦୁଇଟି ଆସନରୁ ସମିତିସଭ୍ୟ ପ୍ରାର୍ଥୀ ହୋଇ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବ୍ଲକ୍‌ର କୁମାରୀ ଏବଂ ଚକ୍ରଧରପୁର ପଞ୍ଚାୟତରୁ ଦଳୀୟ ସମର୍ଥତ୍ତ ସମିତିସଭ୍ୟ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢୁଛନ୍ତି। ମଙ୍ଗଳବାର ବଳବନ୍ତରାୟ କୁମାରୀ ପଞ୍ଚାୟତର ଦଳୀୟ ସମର୍ଥତ୍ତ ସରପଞ୍ଚ ପ୍ରାର୍ଥୀ କବିତା ବେହେରା, ୧୩ ନମ୍ବର ଜୋନ୍‌ ବିଜେଡି ଜିଲାପରିଷଦ ପ୍ରାର୍ଥୀ ସ୍ମୃତିରେଖା ବେହେରାଙ୍କ ସମେତ ଦଳୀୟ ସମର୍ଥକଙ୍କ ସହ ପଞ୍ଚାୟତର ପଣ୍ଡୁଆ ଓ ଜାମୁବଣିଆ ଗ୍ରାମ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି। ସେ ୫ ବର୍ଷ ଧରି ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଧର୍ମଶାଳାର ବିକାଶ ଧାରାକୁ ଆଗେଇ ନେଇଥିବା ବେଳେ ଲୋକଙ୍କ ସମର୍ଥନ ଥିବାରୁ ପୁନର୍ବାର ନିର୍ବାଚନ ଲଢୁଥିବା କହିଛନ୍ତି।