ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…

ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଏକ ନୂତନ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ ଅକ୍ସଫାମ ଏହାର ବାର୍ଷିକ ଅସମାନତା ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ଧନ କୁବେରମାନଙ୍କର ସମ୍ପତ୍ତି ଦିନ ପିଛା କୁ ଦିନ ୨.୭ ବିଲିୟନ ଡ଼ଲାରରେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ବିଶ୍ୱର ୧.୭ ବିଲିୟନ ଶ୍ରମିକ ସେହି ଦେଶରେ ବାସ କରନ୍ତି ଯେଉଁଠାରେ ଦରମାଠାରୁ ମୁଦ୍ରାସ୍ଫୀତି ଅଧିକ ।

ଅକ୍ସଫାମ ନିଜ ରିପୋର୍ଟରେ କହିଛି ଯେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ଉପରେ ୫ ପ୍ରତିଶତ ଟିକସ ଲାଗୁ କରି ଗୋଟିଏ ବର୍ଷରେ ପ୍ରାୟ ୧.୭ ଟ୍ରିଲିୟନ ଡଲାର ସଂଗ୍ରହ କରାଯାଇପାରିବ, ଯାହା ପ୍ରାୟ ୨ ବିଲିୟନ ଲୋକଙ୍କୁ ଦାରିଦ୍ର୍ୟ ସୀମାରୁ ବାହାର କରିପାରିବ। ସୁରଭାଇବାଲ ଅଫ ଦି ରିଚ ଶୀର୍ଷକ ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ମସିହାରୁ ବିଶ୍ୱରେ ପ୍ରାୟ ୪୨ ଟ୍ରିଲିୟନ ଡଲାର ସମ୍ପତ୍ତି ଅର୍ଜନ କରାଯାଇଛି, ଯେଉଁଥିରୁ ପ୍ରାୟ ଦୁଇ ତୃତୀୟାଂଶ ସମ୍ପତ୍ତି କେବଳ ଏକ ପ୍ରତିଶତ ଧନକୁବେରଙ୍କ ଦ୍ୱାରା ହୋଇଛି।

ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧି ମଧ୍ୟରେ ବିଶ୍ୱର ସବୁଠାରୁ ୧ ପ୍ରତିଶତ ଧନୀ ବିଶ୍ୱର ମୋଟ ସମ୍ପତ୍ତିର ଅଧା ଅଂଶ ହାସଲ କରିଛନ୍ତି। ତେବେ ଗତ ୨୫ ବର୍ଷ ମଧ୍ୟରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଜଣେ ସାଧାରଣ ଲୋକ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ବହୁ ବଳିଦାନ ଦେଉଥିବାବେଳେ ଧନୀ ଲୋକମାନେ ଦିନକୁ ଦିନ ଧନୀ ହେବାରେ ଲାଗିଛନ୍ତି। ଗତ ଦୁଇ ବର୍ଷ ଧନୀମାନଙ୍କ ପାଇଁ ବିଶେଷ ଲାଭଦାୟକ ଥିଲା ।

କରୋନା ମହାମାରୀ ସମୟରେ ମିଳିଥିବା ସମୁଦାୟ ସମ୍ପତ୍ତି ମଧ୍ୟରୁ ୨୬ ଟ୍ରିଲିୟନ ଡଲାର ଧନୀମାନଙ୍କ ଦ୍ୱାରା ଅର୍ଜନ କରାଯାଇଥିଲା। ଯେତେବେଳେ କି, ଅବଶିଷ୍ଟ ୯୯ ପ୍ରତିଶତ ଲୋକ କେବଳ ୧୬ ଟ୍ରିଲିୟନ ଡଲାର ସମ୍ପତ୍ତି ପାଇଛନ୍ତି। ୨୦୨୨ ମସିହାରେ ଧନୀମାନଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଏହାର କାରଣ ହେଉଛି ମୁଦ୍ରାସ୍ଫୀତି ଏବଂ ଶକ୍ତି କ୍ଷେତ୍ରରୁ ହୋଇଥିବା ଲାଭରେ ବୃଦ୍ଧି। ରିପୋର୍ଟ ଅନୁଯାୟୀ, ଗତ ବର୍ଷ ୯୫ ପ୍ରତିଶତ ଖାଦ୍ୟ ଏବଂ ଶକ୍ତି କମ୍ପାନୀର ଲାଭ ଦ୍ୱିଗୁଣିତ ହୋଇଛି।

Share