ଧାମନଗର ଉପନିର୍ବାଚନ ପରବର୍ତ୍ତୀ ହିଂସା: ଦୋକାନୀଙ୍କୁ ସଂଘବଦ୍ଧ ଆକ୍ରମଣ

ଭଦ୍ରକ ଅଫିସ,୫।୧୧: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ସରିବା ପରେ ଶୁକ୍ରବାର ସନ୍ଧ୍ୟାରେ ତିହିଡି ଥାନା ତଳଗୋପବିନ୍ଧା ପଞ୍ଚାୟତ ପାଇକ ସାହିରେ ନିର୍ବାଚନ ପରବର୍ତ୍ତୀ ହିଂସା ଘଟିଛି । ଉକ୍ତ ଗ୍ରାମର ଶଶୀକାନ୍ତ ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ତିହିଡି ଥାନାରେ ଲିଖିତ ଅଭିଯୋଗ ହୋଇଛି। ସେ ତାଙ୍କ ଦୋକାନରେ ଥିବା ବେଳେ ଗ୍ରାମର କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ଆସି ଦୋକାନରୁ କିଛି ଜିନିଷ କିଣି ପଇସା ଦେଇ ନ ଥିଲେ । ପଇସା ମାଗିବାରୁ ଗାଳିଗୁଲଜ କରି ଦୋକାନରୁ ଭିଡି ଆଣି ତଳେ ପକାଇ ବିଧା ଗୋଇଠା ମାରିବା ସହ ତାଙ୍କ ମୁଣ୍ଡକୁ ଲୁହାରଡରେ ପିଟିଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଗୁରୁତର ଅବସ୍ଥାରେ ଶଶୀକାନ୍ତ ଭଦ୍ରକ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ସେହି ଗ୍ରାମରେ ଜଣେ ଯୁବତୀଙ୍କୁ ଭାଜପାକୁ ଭୋଟ ଦେଇଥିବାରୁ ଲୁହାରଡରେ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଯୁବତୀ ଜଣକ ଭଦ୍ରକ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।