ଲଘୁଚାପ ବର୍ଷାରେ ଜଳମଗ୍ନ ଧାମନଗର ବ୍ଲକ

ଧାମନଗର, ୧୭।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପଜନିତ ଲଗାଣ  ବର୍ଷା ଯୋଗୁ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିବା ବେଳେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇଯାଇଛି। ରେବ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଭଗବାନପୁର ଗ୍ରାମପଞ୍ଚାୟତର ଇଚ୍ଛଦା ଓ ବ୍ରହ୍ମପୁର ଗ୍ରାମର ଏକାଧିକ ସାହି ଜଳବନ୍ଦୀ ହୋଇ ବାହ୍ୟଜଗତରୁ ପ୍ରାୟ ବିଚ୍ଛିନ୍ନ ହୋଇପଡ଼ିଛି।

ଇଚ୍ଛଦା ଗ୍ରାମର ସୂତାର ସାହି, ସାହୁ ସାହି, ପାଲାମଣ୍ଡପ ସାହି ସମେତ ବ୍ରହ୍ମପୁର ଗ୍ରାମର ଜେନା ସାହି ଓ ନନ୍ଦୀ ସାହିରେ ଲୋକମାନେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଗ୍ରାମର ରାସ୍ତାଘାଟ, ବସ୍ତି ଓ ଚାଷଜମିରେ ୩ରୁ ୪ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ରାସ୍ତା ଉପରେ ପାଣି ପ୍ରବାହିତ ହେବା ସହ ଗ୍ରାମ ଓ ସାହିଗୁଡ଼ିକୁ ସଂଯୋଗ କରୁଥିବା ଅନ୍ୟାନ୍ୟ ରାସ୍ତା ମଧ୍ୟ ଜଳମଗ୍ନ ହୋଇଛି। ଫଳରେ ଯାତାୟାତ ପ୍ରାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଯାଇପାରୁ  ନଥିବା ବେଳେ ରୋଗୀ ଓ ବୃଦ୍ଧବୃଦ୍ଧାଙ୍କୁ ଚିକିତ୍ସାଳୟକୁ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ଅନେକ ପାନୀୟ ଜଳ ଉତ୍ସ ବୁଡ଼ିଯାଇଥିବାରୁ ବିଶୁଦ୍ଧ ପାନୀୟ ଜଳର ସଙ୍କଟ ଦେଖାଦେଇଛି। ସେହିପରି ଶୁଖିଲା ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ନିତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ମଧ୍ୟ ସମସ୍ୟା ଉପୁଜିଛି।

ଅନ୍ୟପକ୍ଷରେ, ବ୍ୟାପକ ଚାଷଜମି ପାଣିରେ ବୁଡ଼ି ରହିଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ଗୃହପାଳିତ ପଶୁଙ୍କ ପାଇଁ ଚାରା ଓ ସୁରକ୍ଷିତ ଆଶ୍ରୟର ଅଭାବ ମଧ୍ୟ ଗ୍ରାମବାସୀଙ୍କ ଚିନ୍ତା ବଢ଼ାଇଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ଇଚ୍ଛଦା ଓ ବ୍ରହ୍ମପୁର ଗ୍ରାମ ଏଭଳି ଜଳବନ୍ଦୀ ପରିସ୍ଥିତିର ସମ୍ମୁଖୀନ ହେଉଥିଲେ ମଧ୍ୟ ସ୍ଥାୟୀ ଜଳନିଷ୍କାସନ ବ୍ୟବସ୍ଥା କିମ୍ବା ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ଦୀର୍ଘମିଆଦି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଲୋକଙ୍କୁ ଜଳବନ୍ଦୀ ଜୀବନ ବିତାଇବାକୁ ପଡ଼ୁଛି।

ନଦୀର ଜଳସ୍ତର ସନ୍ଧ୍ୟା ସୁଦ୍ଧା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଥିବା ବେଳେ ଏପର୍ଯ୍ୟନ୍ତ ବ୍ଲକ ପ୍ରଶାସନ କିମ୍ବା ପଞ୍ଚାୟତ ପକ୍ଷରୁ ସେଭଳି କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଗୁରୁତର ପରିସ୍ଥିତି ପ୍ରତି ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଜଳବନ୍ଦୀ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ରିଲିଫ୍ ସାମଗ୍ରୀ ଯୋଗାଇବା ସହ ସ୍ଥାୟୀ ଜଳନିଷ୍କାସନ ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ନାରାୟଣ ଚନ୍ଦ୍ର ସୂତାର, ଚନ୍ଦନ ପାଣି, ଦୟାନିଧି ଜେନା, ବିଜୟ ସେଠୀ ପ୍ରମୁଖ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 

Share