ଧବଳେଶ୍ୱର ପୀଠକୁ ଆହୁରି ଆକର୍ଷଣୀୟ କରାଯିବ

ଭୁବନେଶ୍ୱର,୯।୭(ବ୍ୟୁରୋ): ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ କରାଯାଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଶୁକ୍ରବାର କୃଷି ଭବନଠାରେ ଅନୁଷ୍ଠିତ ହୋଇଥିଲା। କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ପୀଠର ଭିତ୍ତିଭୂମି ଓ ପାରିପାର୍ଶ୍ୱିକ ଉନ୍ନତି କରାଯାଇ ଏହାକୁ ଆହୁରି ଅଧିକ ଆକର୍ଷଣୀୟ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ଆଠଗଡ଼ ଉପଜିଲାପାଳ ଏବଂ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ପ୍ଲାନ ଓ ବ୍ୟୟ ଅଟକଳ ଚୂଡ଼ାନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା। ଏହି ଅନୁସାରେ, ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ପ୍ଲାନ୍‌ ଓ ବ୍ୟୟ ଅଟକଳର ଆବଶ୍ୟକ ଯାଞ୍ଚ ପରେ ସପ୍ତାହକ ମଧ୍ୟରେ ପ୍ରଶାସନିକ ଅନୁମୋଦନ ନିମନ୍ତେ କଟକ ଜିଲାପାଳଙ୍କ ନିକଟରେ ଦାଖଲ କରିବେ। ଅନୁମୋଦିତ ପ୍ଲାନ ଓ ବ୍ୟୟ ଅଟକଳକୁ କଟକ ଜିଲାପାଳ ଚଳିତ ମାସ ତୃତୀୟ ସପ୍ତାହ ମଧ୍ୟରେ ପର୍ଯ୍ୟଟନ ବିଭାଗରେ ଦାଖଲ କରିବେ। ଏଥିସହିତ ପ୍ରକଳ୍ପର ସ୍ଥପତି ଏସ୍‌ ଆଣ୍ଡ୍‌ ଜେ ଅସୋସିଏଟ୍‌ସ ୯ ତାରିଖରେ ଦେବୋତ୍ତର ବିଭାଗର ଅଧିକାରୀଙ୍କ ସହିତ ପୀଠ ସ୍ଥାନ ପରିଦର୍ଶନ କରି ନିରୁପମା କ୍ୟାମ୍ପସ୍‌ ନିକଟରେ ଥିବା ଅବଶିଷ୍ଟ ୧୧ଟି କୋଠରୀର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବେ। ବୈଠକରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ରାସ୍ତା ଓ ଗୃହ ନିର୍ମାଣ ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ ମହାନ୍ତି, ଆଠଗଡ଼ ଉପଜିଲାପାଳ ହେମନ୍ତ ସ୍ବାଇଁ ଉପସ୍ଥିତ ଥିଲେ।