ଜେଲ ଗଲେ ଢାବା ମ୍ୟାନେଜର: ମହିଳାଙ୍କୁ ବଳାତ୍କାର ଘଟଣା

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ଢାବାରେ ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର ଅଭିଯୋଗରେ ଉକ୍ତ ଢାବାର ମ୍ୟାନେଜର ସୁକାନ୍ତ ନାୟକଙ୍କୁ ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲାରେ ହୋଇଥିବାବେଳେ ସେ ଭୁବନେଶ୍ୱର ୟୁନିଟ-୩ରେ ରହି ଢାବାରେ ମ୍ୟାନେଜର କାମ କରୁଥିଲେ। ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ଏକ ଢାବା ରହିଛି। ଲକ୍‌ଡାଉନ ପରେ ଏକ ଗରିବ ଦମ୍ପତି ସେଠାରେ ରହି କାର୍ଯ୍ୟ କରୁଥିଲେ। ଶନିବାର ସନ୍ଧ୍ୟାରେ ସୁକାନ୍ତ ମହିଳାଙ୍କୁ ଏକୁଟିଆ ପାଇ ବଳାତ୍କାର କରିଥିଲେ। ଏନେଇ ମହିଳା ଜଣଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ଏସମ୍ପର୍କରେ ମହିଳାଙ୍କ ସ୍ବାମୀ ସୁକାନ୍ତଙ୍କୁ ପଚାରିବାରୁ ସେ ଓଲଟା ଧମକ ଦେଇ ମାଡ଼ ମାରିଥିଲେ। ଏ ସମ୍ପର୍କରେ ବାହାରେ କାହାକୁ ନ କହିବା ପାଇଁ ଚାପ ପକାଇବା ସହ ଆପୋସବୁଝାମଣା ପାଇଁ ବାଧ୍ୟ କରିଥିଲେ। ଘଟଣା ସମ୍ପର୍କରେ ରବିବାର ସକାଳୁ ମହିଳା ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ଢାବାରେ ଚଢ଼ାଉ କରିବା ସହ ସୁକାନ୍ତଙ୍କୁ ଗିରଫ କରିଥିଲା।