ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର ଥିଲା। କିଛି ଜରୁରୀ ବିଷୟ ଉପରେ ଶୁଣାଣି ରହିବାରୁ ଡିଜିପି ଚୟନ ବାବଦ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଡିଜିପି ଚୟନ କ୍ଷେତ୍ରରେ ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ବାଲେଶ୍ୱରର ଜୟନ୍ତ ଦାଶ
ଜନସ୍ବାର୍ଥ ମାମଲା(ପିଆଇଏଲ୍‌) ଫାଇଲ୍‌ କରିଥିଲେ। ଉକ୍ତ ଆବେଦନର ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ସହଯୋଗୀ ଆମିକସ୍‌କ୍ୟୁରୀ ରାଜୁ ରାମଚନ୍ଦ୍ରନ ମଧ୍ୟ ଓଡ଼ିଶା ସରକାରଙ୍କ ବିରୋଧରେ ଜୟନ୍ତ ଦାଶ ଆଣିଥିବା ଅଭିଯୋଗକୁ ଠିକ୍‌ ବୋଲି କହିବା ସହିତ ଏକ ରିପୋର୍ଟ ଦାଖଲ କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର କିନ୍ତୁ ଡିଜିପି ଚୟନରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ଅବଲମ୍ବନ କରିଥିବା ଯୁକ୍ତି ବାଢିଛନ୍ତି।
ଓଡ଼ିଶାର ଆଡେଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୟୁପିଏସ୍‌ସିକୁ ନାଁ ସୁପାରିସ୍‌ କରିବାରେ ସରକାର କିଛି ତ୍ରୁଟି କରି ନାହାନ୍ତି। ସର୍ବୋଚ୍ଚ ନ୍ୟାୟଳୟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିଜିପି ଚୟନ ଶୁଣାଣି ୨୨କୁ ଘୁଞ୍ଚତ୍ଛି। ସେ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା ତ୍ୱରିତ ଶୁଣାଣି ପାଇଁ ନିବେଦନ କରିଛନ୍ତି। ପ୍ରକାଶ ସିଂ ରାୟ ଆଧାରରେ ଓଡ଼ିଶା ସରକାର ଡିଜିପି ଚୟନ ପାଇଁ ନାମ ସୁପାରିସ୍‌ କରିଛନ୍ତି। କୌଣସି ଠାରେ ସୁପ୍ରିମ୍‌କୋର୍ଟ କହିନାହାନ୍ତି ଡିଜିପି ଚୟନ ଲାଗି କେତେ ଜଣଙ୍କ ନାମ ସୁପାରିସ କରାଯିବ। ୩ଜଣଙ୍କ ନାମ ସୁପାରିସ ନେଇ କିଛି ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି। ଯଦି ସରକାର ୟୁପିଏସ୍‌ସିକୁ ୩ଟି ନାମ ପଠାଇବେ ଏବଂ ୟୁପିଏସ୍‌ସି ୩ଟି ନାମ ଫେରାଇବ, ତେବେ ସେଥିରେ ଚୟନ କ’ଣ ହେବ। ସରକାର ସମ୍ପୂର୍ଣ୍ଣ ଆଇନସମ୍ମତ କାର୍ଯ୍ୟ କରିଛନ୍ତି। ରାଜ୍ୟରେ କିଏ ଡିଜିପି ହେବେ ତାହା ସମ୍ପୂର୍ଣ୍ଣ ସରକାରଙ୍କ ନିଜସ୍ବ ନିଷ୍ପତ୍ତି। ଏହି ମାମଲା ପଛରେ କେତେଜଣ ଅଫିସରଙ୍କ ଅଭିଷନ୍ଧି ରହିଛି ବୋଲି ପୀତାମ୍ବର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଡିଜିପି ଚୟନ ନେଇ ପ୍ରଥମେ ଗତ ମେ’ ୧୪ ତାରିଖରେ ୧୧ ଜଣିଆ ଆଇପିଏସ୍‌ ଅଧିକାରୀଙ୍କ ତାଲିକା ୟୁପିଏସ୍‌ସିକୁ ପଠାଇଥିଲେ। ଗତ ଅଗଷ୍ଟ ୭ ତାରିଖରେ ୟୁପିଏସ୍‌ସି ସେଥିରୁ ଚୂଡ଼ାନ୍ତ ୩ ଜଣିଆ ଅଫିସରଙ୍କ ତାଲିକା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେଇଥାନ୍ତେ, ମାତ୍ର ୭ ତାରିଖ ବୈଠକ ବସିବାର ଦୁଇ ଦିନ ପୂର୍ବରୁ ୨୦୨୫ ଏସ୍‌ଆଇ ପରୀକ୍ଷା ଦୁର୍ନୀତିରେ ସୁଶାନ୍ତ ନାଥଙ୍କୁ ଜେରା କରାଯାଇପାରେ ବୋଲି ସିବିଆଇଠୁ ଆଣିଥିବା ଏକ ଚିଠିକୁ ୟୁପିଏସ୍‌କୁ ଦେଇଥିଲେ। ଏହି ଆଧାରରେ ସୁଶାନ୍ତଙ୍କୁ ଡିଜିପି ଦୌଡ଼ରୁ ବାଦ୍‌ ଦେଲେ। ଏହା ସହ ଏକ ନୂଆ ଆଇପିଏସ୍‌ ତାଲିକା ଦେବେ ବୋଲି କହି ୟୁପିଏସ୍‌ସିଙ୍କ ସହ ବୈଠକ ସରକାର ବାତିଲ୍‌ କରିଥିଲେ। ଏହାପରେ ଅଗଷ୍ଟ ୧୦ରେ ଦୁଇ ଏଡିଜି ପାହ୍ୟାର ଆଇପିଏସ୍‌ଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଗଲା। ପୂନର୍ବାର ସରକାର ସୁଶାନ୍ତ ନାଥଙ୍କୁ ବାଦ ଦେଇ ଡିଜିପି ଚୟନ ଲାଗି ଯେଉଁ ନୂଆ ତାଲିକା ପ୍ରସ୍ତୁତ କଲେ ସେଥିରେ ପଦୋନ୍ନତି ପାଇଥିବା ଦୁଇ ଅଫିସରଙ୍କ ନାମ ଯୋଡ଼ିଲେ। ସରକାରଙ୍କ ଏହି ସବୁ ପକ୍ରିୟାରେ ସ୍ବଚ୍ଛତା ନ ଥିବା ଏବଂ ଜଣେ ନିର୍ଦ୍ଧିଷ୍ଟ ଅଫିସରଙ୍କ ଡିଜିପି ପାହ୍ୟାରେ ବସାଇବା ପାଇଁ ସରକାର ନିୟମ ଉଲ୍ଲଂଘନ କରିଥିବା କୁହାଯାଉଛି। ୧୯୯୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥଙ୍କୁ ଡିଜିପି ଦୌଡ଼ରୁ ଓଡ଼ିଶା ସରକାର ବାଦ୍‌ ଦେବାପରେ ସେ ମଧ୍ୟ କୋର୍ଟର ଆଶ୍ରୟ ନେଇଛନ୍ତି। ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସୁଶାନ୍ତ ଅଯଥାରେ ଫସିଛନ୍ତି ବୋଲି କୋର୍ଟରେ ଦର୍ଶାଇ କୋର୍ଟରେ ଆଶ୍ରୟ ନେଇଛନ୍ତି। ଏହାସହ ତାଙ୍କ ଓକିଲ କରୁଣା ନନ୍ଦୀ ଏହି ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ପ୍ରଦାନ କରିବାକୁ ଗତ ୭ ତାରିଖରେ ସର୍ବୋଚ୍ଚ ନ୍ୟାୟଳୟରେ ନିବେନନ କରିଥିଲେ। ମିଳିଥିବା ସୂଚନା ମୁତାବକ ସୁଶାନ୍ତଙ୍କୁ ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ପ୍ରଦାନ କରାଯାଇଛି। ଆସନ୍ତା ୨୨ରେ ହେବାକୁ ଥିବା ଶୁଣାଣି ସମୟରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପିଠ ସବୁ ପକ୍ଷରୁ ଯୁକ୍ତି ଶୁଣି କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି।

Share