ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍. ସୀମା ରେଡ୍ଡୀଙ୍କର ୬୩ ବର୍ଷ ବୟସରେ ପରଲୋକ ଘଟିଛି। ଓଡ଼ାସିଙ୍ଗି ଗ୍ରାମ ସ୍ଥିତ ମହନ୍ତ ଗୋବର୍ଦ୍ଧନ ଦାସ ଗୋସ୍ୱାମୀ ଉଚ୍ଚ ବିଦ୍ୟାପୀଠରୁ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିବା ସ୍ରଗତ ରେଡ୍ଡୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜଣେ ନିଷ୍ଠାବାନ୍ ଭକ୍ତ ଥିଲେ। ସତ୍ନାମ ଦୀକ୍ଷା ଗ୍ରହଣ କରି ସେ ଶେଷ ଜୀବନ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ଓ ଆଦର୍ଶରେ ନିଜକୁ ନିୟୋଜିତ ରଖିଥିଲେ।
ସୂଚନାଯୋଗ୍ୟ ଯେ, ସେ ଆସିକା ନିକଟସ୍ଥ ତାଙ୍କ ଶ୍ୱଶୁର ଘର ଆର୍. ଦାମୋଦରପଲ୍ଲୀକୁ ବୁଲି ଯାଇଥିବା ବେଳେ ଶନିବାର ସକାଳେ ହଠାତ୍ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଓଡ଼ାସିଙ୍ଗି ଗ୍ରାମ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କ ମର୍ତ୍ତ୍ୟ ଶରୀର ଗ୍ରାମରେ ପହଞ୍ଚିବା ପରେ ବହୁ ସଂଖ୍ୟକ ପୁରାତନ ଓ ପ୍ରାକ୍ତନ ଛାତ୍ରଛାତ୍ରୀ, ଅନୁକୂଳଚନ୍ଦ୍ରଙ୍କ ଭକ୍ତବୃନ୍ଦ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସେମାନେ ଶୋକସନ୍ତପ୍ତ ଏକମାତ୍ର କନ୍ୟା ଓ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଥିଲେ। ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।