ମାଘ ସପ୍ତମୀ ପାଇଁ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ସମାଗମ

କୋଣାର୍କ,୨୮।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଶୁକ୍ରବାର ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁମାନେ ବାଉଁଶ କଣିରେ କୁଡ଼ିଆ ତିଆରି କରି ବିଶ୍ରାମ ନେଇଛନ୍ତି। ସେମାନେ ମାଟିହାଣ୍ଡିରେ ରୋଷେଇ ସାରି କୁଡ଼ିଆରେ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଶ୍ରୀ ଶ୍ରୀ ତ୍ରିବେଣୀଶ୍ବର, ଈଶାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ରାତି ୮ଟା ପରେ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନ୍‌ଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ପୂଜା ପରେ ରାତି ୩ ସୁଦ୍ଧା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚତ୍ବେ। ଚଳନ୍ତି ପ୍ରତିମାଙ୍କ ପୂଜା ହୋମ କର୍ମ ସମ୍ପାଦନ ସରିଲେ ୨୮ ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ରବେଳା ୩ଟା ୫୦ରେ ତୀର୍ଥଜଳରେ ତିନିଠାକୁର ସ୍ନାନ କରିବେ। ରାତି ୪ଟା ୪୧ରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ। ଗ୍ରହ ଶାନ୍ତି ନିମନ୍ତେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରୁ ପାଦରେ ଚାଲି ଚାଲି ଆସି ନବଗ୍ରହଙ୍କ ନିକଟରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଥାନ୍ତି। ମେଳାପଡ଼ିଆରେ ସ୍ବାସ୍ଥ୍ୟସେବା ଶିବିର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ନୀରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ, ବେଳାଭୂମିରେ ୨ ଦମକଳ ଗାଡ଼ି ମୁତୟନ, ଶୁକ୍ରବାର ସାରା ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ କୋଣାର୍କ ଓ ଚନ୍ଦ୍ରଭାଗାରେ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି।