ମହାପ୍ରଭୁଙ୍କୁ ନେଇ କାର୍ଟୁନ: ଶ୍ରଦ୍ଧାଳୁ, ସେବାୟତଙ୍କ ନାପସନ୍ଦ

ପୁରୀ ଅଫିସ,୫।୭: ମହାପ୍ରଭୁଙ୍କୁ ନେଇ ହୋଇଥିବା ଏକ କାର୍ଟୁନ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୀଳାଦ୍ରିବିଜେ କାହାଣୀକୁ ନେଇ ଏହି କାର୍ଟୁନ କରାଯାଇଛି। ଭାଇ, ଭଉଣୀକୁ ସାଥିରେ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ନବଦିନାତ୍ମକ ଯାତ୍ରା କରିଥିଲେ। ତେଣୁ ଅଭିମାନ କରିଥିଲେ ଲକ୍ଷ୍ମୀ। ମହାପ୍ରଭୁ ଫେରିବା ପରେ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ମନାଇବା ପାଇଁ ସାଙ୍ଗରେ ଆଣିଥିଲେ ରସଗୋଲା। ନୀଳାଦ୍ରିବିଜେ ଦିନ ମହାପ୍ରଭୁ ରସଗୋଲା ଖୁଆଇ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିଥାନ୍ତି ବୋଲି ପରମ୍ପରା ରହିଛି। ତେଣୁ ଏହାକୁ ନେଇ କେହି କାର୍ଟୁନ କରିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି। ଆଗରେ ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ଶ୍ରୀମନ୍ଦିରକୁ ପ୍ରବେଶ କରି ଲୁଚିକି ଚାହିଁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ହାତରେ ରସଗୋଲା ଧରି ଲକ୍ଷ୍ମୀଙ୍କ ପାଖକୁ ଯିବାର ଚିତ୍ର ରହିଛି। ତେଣୁ ଏହି କାର୍ଟୁନକୁ ଭକ୍ତ ଏବଂ ସେବାୟତ ନାପସନ୍ଦ କରିଛନ୍ତି । ମହାପ୍ରଭୁଙ୍କୁ ନେଇ ଏଭଳି କାର୍ଟୁନ କରିବା କଥା ନୁହେଁ ବୋଲି କ୍ଷୋଭର ସହ କହିଛନ୍ତି।