ରଥ ଛୁଇଁପାରିଲେନି ଭକ୍ତ

ପୁରୀ ଅଫିସ,୯।୭: ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବା ପରେ ସିଂହଦ୍ୱାର ସମ୍ମୁଖରେ ତିନି ରଥ ଦଣ୍ଡାୟମାନ ହୋଇ ରୁହେ। ଅନେକ ଭକ୍ତ ମହାପ୍ରଭୁଙ୍କ ରଥକୁ ସ୍ପର୍ଶ କରିବାର ଇଚ୍ଛା ନେଇ ଶ୍ରୀକ୍ଷେତ୍ର ଆସନ୍ତି। ସେହିଭଳି ମହାପ୍ରଭୁ ରଥରେ ବିରାଜମାନ ନ ଥିବା ବେଳେ ରଥକୁ ସ୍ପର୍ଶ ନ କରିବା କଟକଣା ମଧ୍ୟ ନାହିଁ। ମାତ୍ର ପ୍ରଶାସନ ଚଳିତ ବର୍ଷ କାହାରିକୁ ରଥ ସ୍ପର୍ଶ କରାଇବାକୁ ଦେଇନାହିଁ। ଭକ୍ତ ଓ ରଥ ମଧ୍ୟରେ ପ୍ରଶାସନ ବାଧକ ସାଜିଛି। ସୂଚନାଯୋଗ୍ୟ, ଚଳିତ ରଥଯାତ୍ରା ପରିଚାଳନା କମିଟିରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମହାପ୍ରଭୁ ରଥାରୂଢ଼ ହୋଇ ନ ଥିବା ବେଳେ ଭକ୍ତ ରଥକୁ ଛୁଇଁପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପ୍ରଶାସନ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିନାହିଁ। ରଥ ଚାରିପଟେ ବ୍ୟାରିକେଡ୍‌ କରାଯିବା ସହ ପୋଲିସ ମୁତୟନ କରାଯାଇଛି। ଭକ୍ତଙ୍କୁ ରଥକୁ ଛୁଇଁବାକୁ ଦିଆଯାଇନାହିଁ। ଅନ୍ୟପକ୍ଷରେ ଭିଭିଆଇପି ଏବଂ ଭିଆଇପି ରଥ ଛୁଉଁଥିବା ଦେଖିବାକୁ ମିଳିଥିଲା। ଭକ୍ତ ସରୋଜିନୀ ମାର୍ଥା କହିଛନ୍ତି, ଶରଧାବାଲିରେ ତିନିରଥ ଅଟକିବା ପରେ ଏହା ସମସ୍ତଙ୍କର। ତେଣୁ ରଥ ଛୁଇଁବାକୁ ପ୍ରଶାସନ ଅନୁମତି ଦେବା କଥା। ପୂର୍ବରୁ ରଥଯାତ୍ରା ବେଳେ ରଥ ଛୁଇଁଛୁ, ମାତ୍ର ଏବେ କାହିଁକି ବାରଣ କରାଯାଇଛି ତାହା ଜଣାନାହିଁ। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଲୋକଙ୍କୁ ରଥ ଛୁଇଁବାକୁ ଅନୁମତି ଦେବାକୁ ଦାବି କରି ପୁରୀର ସାମାଜିକ କର୍ମୀ ବଦ୍ରି ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଏ ନେଇ ଜିଲା ପ୍ରଶାସନ ବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଥିଲା।