ଦେବୋପମ ଦେବେନ୍ଦ୍ର ଶତପଥୀ

ଡ. ହୃଷୀକେଶ ମଲ୍ଲିକ

 

ଦେବେନ୍ଦ୍ର ଶତପଥୀଙ୍କ କଥା ସ୍ମରଣକୁ ଆସିବାମାତ୍ରେ ତାଙ୍କୁ ଜାଣିଥିବା ଲୋକଙ୍କ ଆଖି ସାମ୍ନାକୁ ଏକ ଦିବ୍ୟ ଚେହେରା ଆସିଯାଏ। ଶାନ୍ତ, ସୁଧାର, ସୌମ୍ୟ ଅଥଚ ବୁଦ୍ଧିଦୀପ୍ତ, ସଦା ପ୍ରସନ୍ନ। ସେ ଢେଙ୍କାନାଳର ଲୋକ ସଭା ସଦସ୍ୟ ଥିଲେ। ‘ଧରିତ୍ରୀ’ର ଥିଲେ ସମ୍ପାଦକ। କେବଳ ନିଜ ଲୋକ ସଭା କ୍ଷେତ୍ର ନୁହେଁ, ସାଧାରଣ ଗରିବ ମଣିଷଟିଏ ଯେଉଁଠି କିଛି ସମସ୍ୟାର ଶରବ୍ୟ ହେଉଥିଲା ଏବଂ ଯାହାର ଦୂରୀକରଣ ଅପରିହାର୍ଯ୍ୟ; ସେ ଦିଗରେ ସେ ସମାଧାନର ନିଜସ୍ବ ସୂତ୍ରଟିଏ ଧରି ଅଗ୍ରସର ହେଉଥିଲେ। ଥରେ ସେ ଶୁଣିଲେ ଯେ ଆଚାର୍ଯ୍ୟ ବିହାର ଛକରେ ବାରମ୍ବାର ଦୁର୍ଘଟଣା ହେଉଛି ଓ ଲୋକଙ୍କର ପ୍ରାଣହାନି ଘଟୁଛି। ଏ ସମ୍ପର୍କରେ ତୁରନ୍ତ ‘ଧରିତ୍ରୀ’ରେ ନିଜେ ଲେଖୁଥିବା ‘ଡାଏରୀ’ ପୃଷ୍ଠାରେ ଏହାର ସମାଧାନ ଦିଗରେ ସରକାର ଉଦ୍ୟମ କରିବାକୁ ପ୍ରସ୍ତାବ ଦେଲେ। ଦେବେନ୍ଦ୍ର ବାବୁଙ୍କ ଲେଖାଟି ‘ଡାଏରୀ’ ପୃଷ୍ଠାରେ ପ୍ରକାଶ ପାଇବା ପରେ ସରକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା ଓ ଏକ ମାସ ମଧ୍ୟରେ ଆଚାର୍ଯ୍ୟ ବିହାରର ଟ୍ରାଫିକ୍‌ ବ୍ୟବସ୍ଥାର ପରିବର୍ତ୍ତନ କରାଯାଇ ସୁଧାର ଅଣାଗଲା।
ଆଉ ଗୋଟିଏ ଘଟଣା। ଥରେ ଦେବେନ୍ଦ୍ର ବାବୁଙ୍କ ଗାଡ଼ି ଚାଳକ ତାଙ୍କର ଆଣ୍ଠୁବ୍ୟଥା ସମସ୍ୟା ପାଇଁ ଛ’ନମ୍ବର ସରକାରୀ ଡାକ୍ତରଖାନାର ବହିର୍ବିଭାଗକୁ ଯାଇଥିଲେ। ସେଠାରେ ଥିବା ଡାକ୍ତର ତାଙ୍କୁ ଏକ ଔଷଧ ଲେଖିଦେଲେ, ଯାହାର ମୂଲ୍ୟ ଚାରିଶହ ଟଙ୍କା। ଡାକ୍ତରଖାନାରେ ଆଣ୍ଠୁବ୍ୟଥା ଉପଶମ ପାଇଁ କୌଣସି ଔଷଧ ଉପଲବ୍ଧ ନୁହେଁ ବୋଲି ନିରାଶବାଣୀ ଶୁଣିଲା ପରେ ଆର୍ଥିକ ଭାବେ ସ୍ବଚ୍ଛଳ ନ ଥିବା ଚାଳକ ଜଣଙ୍କ ଡାକ୍ତରଙ୍କ ଲେଖାଟି ଧରି ମୁହଁ ଶୁଖାଇ ଘରକୁ ଫେରିଆସିଲେ। ଯେତେବେଳେ ଦେବେନ୍ଦ୍ର ବାବୁ ତାକୁ ପଚାରିଲେ- ”କିରେ, ମୁହଁ ଶୁଖାଇଛୁ କାହିଁକି?“ ସେ ସବୁକଥା କହିଲା। ତାହା ଶୁଣି ଦେବେନ୍ଦ୍ର ବାବୁ ବ୍ୟଥିତ ହେଲେ ଓ ସେହି ବିଷୟଟିକୁ ‘ଡାଏରୀ’ ସ୍ତମ୍ଭରେ ନିଜର ମତାମତ ସହ ଲେଖିଲେ। ତାଙ୍କ ଲେଖାଟିର ସାରମର୍ମ ଥିଲା- ଯଦି ଜଣେ ଗରିବ ରୋଗୀ ସାମାନ୍ୟ ଏକ ସ୍ବାସ୍ଥ୍ୟ ସମସ୍ୟା ନେଇ ସରକାରୀ ଡାକ୍ତରଖାନାକୁ ଯାଏ ଓ ଔଷଧ ନ ପାଇ ଏକ ଦାମୀ ଔଷଧର ଚିଠା ଧରି ଫେରେ, ତେବେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଡାକ୍ତରଖାନାଗୁଡ଼ିକ କେଉଁ କାମରେ ଲାଗିବେ! ଦେବେନ୍ଦ୍ର ବାବୁଙ୍କର ଲେଖାଟି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟିକୁ ଆସିବା ପରେ ସରକାରୀ ଡାକ୍ତରଖାନାରେ ଔଷଧ ମହଜୁଦ ରଖିବା ପାଇଁ ଓ ରୋଗୀଙ୍କୁ ତାଙ୍କ ସାମର୍ଥ୍ୟ ଅନୁରୂପ ଔଷଧ ଲେଖିଦେବାକୁ ତାଗିଦା କରାଗଲା।
‘ଧରିତ୍ରୀ’ର ସମ୍ପାଦକ ଦାୟିତ୍ୱରେ ଥିବାବେଳେ ସବୁବେଳେ ସେ ଗୁରୁତ୍ୱ ଦିଅନ୍ତି ଖବରଦାତାମାନେ ନିଜ ଅଞ୍ଚଳର ସତ୍ୟ ଖବର ଦିଅନ୍ତୁ। ମିଛ ଓ ଚାଞ୍ଚଲ୍ୟକର ଖବର ଚହଳ ପକାଇପାରେ, କିନ୍ତୁ ସମୟକ୍ରମେ ଯଦି ତାହା ମିଛ ବୋଲି ଜଣାପଡ଼ିଗଲା, ତେବେ ଲୋକେ ଆଉ ସେହି କାଗଜକୁ ଓ କାଗଜର ପ୍ରତିନିଧିଙ୍କୁ ବିଶ୍ୱାସକୁ ନେବେ ନାହିଁ। ‘ମିଥ୍ୟା ଖବର’ ଗୋଟିଏ ଖବରକାଗଜର ତାତ୍‌କାଳିକ କାଟ୍‌ତି ବଢ଼ାଇ ଦେଇପାରେ, କିନ୍ତୁ କିଛିଦିନ ପରେ ଖବରକାଗଜ ପ୍ରତି ଲୋକଙ୍କ ଆସ୍ଥା ତୁଟାଇଦେବ। ସମସ୍ୟା ଯେତେ ବଡ଼ ହେଉ, ତା’ର ଏକ ସରଳ ସମାଧାନଟିଏ ତାଙ୍କ ପାଖରେ ସଦାବେଳେ ମହଜୁଦ ଥିଲା। ସବୁଠୁଁ ବଡ଼ କଥା ହେଲା, କୌଣସି ଘଟଣା, ରାଜନୈତିକ ହେଉ କି ସାମାଜିକ ହେଉ, ତାଙ୍କୁ କଦାପି ବିଚଳିତ କରୁ ନ ଥିଲା। ସେ ଥିଲେ ଗଭୀର ଆତ୍ମବିଶ୍ୱାସୀ, ପ୍ରଶସ୍ତମନା ଓ ଆଧ୍ୟାତ୍ମିକ ମନୋଭାବନାଯୁକ୍ତ ଜଣେ ସମ୍ପୂର୍ଣ୍ଣ ମଣିଷ। ତାଙ୍କ ମୁହଁରେ ହସ ନ ଥିବା ବୋଧହୁଏ କେହି କେବେ ଦେଖି ନ ଥିବେ! ତାଙ୍କ ପାଖକୁ ଆସି ଅସମ୍ମାନିତ ହୋଇ କେହି କେବେ ଫେରିଯାଇଥିବେ, ଏ କଥା ଘଟି ନ ଥିବ।
ସେ ରାଜନୀତି କରୁଥିଲେ ସତ୍ୟ, କିନ୍ତୁ ରାଜନୀତିର ପଙ୍କ କାଦୁଅରେ ଘାଣ୍ଟି ହେଉ ନ ଥିଲେ। ଲୋକଙ୍କୁ ସେ କେବେ ନ କରିପାରିବା କାମ ପାଇଁ ପ୍ରତିଶ୍ରୁତି ଦେଉଥିବା କେହି କହିପାରିବ ନାହିଁ। ‘ଧରିତ୍ରୀ’ ଓ ତାଙ୍କ ଘର ଥିଲା ବୁଦ୍ଧିଜୀବୀ, ବିଦ୍ୱାନ୍‌ମାନଙ୍କର ଅବିରାମ ଚଳପ୍ରଚଳର ଏକ ଖୋଲା ଅବକାଶ। ଲେଖିକା ଲେଖକମାନଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣୁଥିଲେ ଓ ତାଙ୍କୁ ଅଯାଚିତ ଭାବେ ସମ୍ମାନ ଦେଉଥିଲେ। ଫଳରେ ‘ଧରିତ୍ରୀ’ ସାହିତ୍ୟ ଓ ସଂସ୍କୃତିର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଭାବେ ମୂଳରୁ ଗଢ଼ିଉଠିଥିଲା। ସେ ଥିଲେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଆଶ୍ରିତ। ଶ୍ରୀଅରବିନ୍ଦଙ୍କ ସିଦ୍ଧି ଦିବସ ନଭେମ୍ବର ୨୪ ତାରିଖ ୧୯୭୪ ମସିହାରେ ‘ଧରିତ୍ରୀ’ ପ୍ରକାଶ ପାଇଥିଲା। ପ୍ରଥମ ପ୍ରକାଶଦିନ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ରାମନାଥ ପଣ୍ଡା (‘ଧରିତ୍ରୀ’ର ପ୍ରଥମ ସମ୍ପାଦକ)ଙ୍କ ସହ ସେ ଉପସ୍ଥିତ ଥିଲେ। ‘ଧରିତ୍ରୀ’ ପଛରେ ଆଧ୍ୟାତ୍ମିକ ସଦ୍ଦିଚ୍ଛା ଥିବାରୁ କି କ’ଣ, ଏହାର ଜନ୍ମ କାହାରି ପ୍ରତିଦ୍ୱନ୍ଦ୍ୱୀ ଭାବେ ହୋଇ ନାହିଁ କି କୌଣସି କଳୁଷିତ ରାଜନୈତିକ ଅଭିସନ୍ଧିକୁ ଚରିତାର୍ଥ କରିବାକୁ ହୋଇ ନାହିଁ। ଏପରି ଏକ ନିରପେକ୍ଷ, ସତ୍ୟନିଷ୍ଠ କାଗଜର ଜନ୍ମଲଗ୍ନ ସହ ଦେବେନ୍ଦ୍ର ବାବୁଙ୍କ ଭଳି ମହତ୍‌ ଲୋକଙ୍କ ଯୋଡ଼ିହେବା ଆଜି ଇତିହାସ।
ସେ ରାଜନୀତିରେ ଅବାଞ୍ଛିତ ଭାବେ ମହତ୍ତ୍ୱାକାଂକ୍ଷୀ ନ ଥିବାରୁ ରାଜନୀତିର ଆସନ୍ତାକାଲିଗୁଡ଼ିକୁ ଢେର୍‌ ଆଗରୁ ଦେଖିପାରୁଥିଲେ। ନନ୍ଦିନୀ ଦେବୀ କେନ୍ଦ୍ରରେ ଉପମନ୍ତ୍ରୀ ଥିବାବେଳେ ସେ ‘ଧରିତ୍ରୀ’ର ବାର୍ତ୍ତା ସମ୍ପାଦକ ନଗେନ୍‌ ବେଉରିଆଙ୍କୁ ଏକ ପତ୍ରରେ ଲେଖିଥିଲେ, ଓଡ଼ିଶାର ରାଜନୀତିରେ କେତେକ ଅଭାବିତ କଥା ଘଟିବାକୁ ଯାଉଛି। ରାଜ୍ୟର ନେତୃତ୍ୱ ଯୁବଶକ୍ତି ହାତକୁ ଆସିପାରେ। ତାହା ହିଁ ହେଲା। କିଛିଦିନ ପରେ ନନ୍ଦିନୀ ଦେବୀ କେନ୍ଦ୍ରର ମନ୍ତ୍ରୀ ପଦ ଛାଡ଼ି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ। ସେହିପରି ଭାରତରେ ଜରୁରିକାଳୀନ ସ୍ଥିତି ଜାରି ହେବାର ବହୁ ପୂର୍ବରୁ ସେ ଦେଶ ଏକ ରାଜନୈତିକ ଏକଚ୍ଛତ୍ରବାଦ ଆଡ଼କୁ ଆଗଉଛି ବୋଲି ଅନୁମାନ କରିପାରିଥିଲେ ଏବଂ ତାହା ହିଁ ହେଲା। ଇନ୍ଦିରା ଗାନ୍ଧୀ ୧୯୭୫ରେ ଦେଶରେ ଜରୁରୀ ସ୍ଥିତି ଜାରି କଲେ। ଏହାଦ୍ୱାରା ମୁଁ ଏକଥା କହୁ ନାହିଁ ଯେ, ଦେବେନ୍ଦ୍ର ବାବୁ ସର୍ବଜ୍ଞ ଥିଲେ। କିନ୍ତୁ ପୁଣ୍ୟାତ୍ମା ଥିବାରୁ ମହାଭାରତର ବିଦୁରଙ୍କ ପରି ଅନେକ ଆଗତ କଥା ତାଙ୍କ ଚେତନାରେ ଛାୟାପାତ କରୁଥିଲା। ଏହିଭଳି ଜଣେ ମହାନୁଭବୀ, ଦେବୋପମ ବ୍ୟକ୍ତିଙ୍କର ଆଜି ପୁଣ୍ୟତିଥି। ତାଙ୍କ ପବିତ୍ର ସ୍ମୃତି ପ୍ରତି ଶ୍ରଦ୍ଧାର୍ପଣ ଆଜି ଆମର ଏକ ଜାତୀୟ କର୍ତ୍ତବ୍ୟ।
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri