ପ୍ରଗତିଶୀଳ ସାହିତ୍ୟର ଆବଶ୍ୟକତା

ଅଧ୍ୟାପକ ଗୋପବନ୍ଧୁ

ବିଶ୍ୱ ସାମାଜିକ ସଂଗ୍ରାମର ଇତିହାସରେ ଯେକୌଣସି ବିପ୍ଳବର ସଫଳତା ପଛରେ ମୁଖ୍ୟ ଭୂମିକା ଗ୍ରହଣ କରିଆସିଛି ସାହିତ୍ୟ। ୟୁରୋପର ରେନଁାସାଠାରୁ ଆରମ୍ଭ କରି ଫରାସୀ ବିପ୍ଳବ ପର୍ଯ୍ୟନ୍ତ, ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ବିରୋଧୀ ଆନ୍ଦୋଳନଠାରୁ ଆରମ୍ଭ କରି ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ଆନ୍ଦୋଳନ ପର୍ଯ୍ୟନ୍ତ, ରୁଷିଆର ବୋଲ୍‌ଶେଭିକ ଆନ୍ଦୋଳନଠାରୁ ଆରମ୍ଭ କରି ଚାଇନାର କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସାହିତ୍ୟର ଭୂମିକା ସର୍ବାପେକ୍ଷା ଅଧିକ। କାରଣ ସାହିତ୍ୟ ହିଁ ବିପ୍ଳବର ବାର୍ତ୍ତାକୁ ପୁରପଲ୍ଲୀରେ ପହଞ୍ଚାଇବାକୁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ଏହାହିଁ ସୃଷ୍ଟିକରେ କୌଣସି ବିପ୍ଳବର ସାମାଜିକ ପୃଷ୍ଠଭୂମି। ବର୍ତ୍ତମାନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମର ବହୁଳ ପ୍ରସାର ସାହିତ୍ୟର ଗତିକୁ ଆହୁରି ତୀବ୍ରତର କରିଛି। ପୁସ୍ତକ ରୂପରେ ମୁଦ୍ରଣ ସଙ୍କୁଚିତ ହୋଇଥିଲେ ବି ଗଣମାଧ୍ୟମ ଏହାର ଅଭାବକୁ ଅନେକ ମାତ୍ରାରେ ପୂରଣ କରୁଛି।
ଭାରତବର୍ଷରେ ଏକ ସଫଳ ସାମାଜିକ ବିପ୍ଳବ ଜରିଆରେ ଜାତିବାଦ ଓ ଧାର୍ମିକ ମୌଳବାଦର ଧ୍ୱଂସ ସାଧନ କରି ସମାନତା ଓ ଯୁକ୍ତିଯୁକ୍ତତା ଉପରେ ପ୍ରତିଷ୍ଠିତ ଏକ ନୂତନ ସମାଜର ସଂସ୍ଥାପନ ପାଇଁ ପ୍ରଗତିଶୀଳ ଓ ସଂସ୍କାରବାଦୀ ସାହିତ୍ୟ ସୃଷ୍ଟିର ଆବଶ୍ୟକତା ରହିଛି। ଯେଉଁ ସାହିତ୍ୟ ଜାତିବାଦର ମୂଳତତ୍ତ୍ବ ଉଚ୍ଚନୀଚ ଭେଦଭାବ, ଘୃଣାଦ୍ୱେଷଭାବ, ପାତରଅନ୍ତରଭାବ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ହୋଇଥିବ। ଏହା ସହିତ ନିର୍ଭୀକ ଭାବେ ଧାର୍ମିକ ପାଖଣ୍ଡବାଦର ମୁଖା ଖୋଲି ପାରୁଥିବ। ଯେଉଁ ସାହିତ୍ୟ ଜନସାଧାରଣଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାରରୁ ମୁକ୍ତ ହେବା ପାଇଁ ବୌଦ୍ଧିକ ଖୋରାକ ଯୋଗାଉଥିବ। ବୌଦ୍ଧିକ ଦାସତ୍ୱରୁ ମୁକୁଳିବାର ମାର୍ଗ ଦର୍ଶନ କରୁଥିବ। ବୈଜ୍ଞାନିକ ଚେତନାର ବିକାଶ ସହିତ ମାନବିକତା ଓ ନୈତିକତା ଉପରେ ପ୍ରତିଷ୍ଠିତ ଏକ ନୂତନ ଉତ୍କର୍ଷ ସମାଜର ସମ୍ଭାବନାକୁ ଅଙ୍କୁରିତ କରୁଥିବ।
ଦୁଃଖର କଥା ଭାରତବର୍ଷ ତଥା ଓଡ଼ିଶାରେ ଏପରି ପ୍ରଗତିଶୀଳ ଓ ବିପ୍ଳବୀଧର୍ମୀ ସାହିତ୍ୟର ପ୍ରସାର ଆଶାନୁରୂପେ ହୋଇପାରି ନାହିଁ। ବିଭିନ୍ନ ସମୟରେ, ବିଭିନ୍ନ କ୍ଷେତ୍ରରେ କାଁ ଭାଁ ବିକ୍ଷିପ୍ତ ବିପ୍ଳବୀ ସାହିତ୍ୟ ସୃଷ୍ଟି ହୋଇଛି ସତ୍ୟ, କିନ୍ତୁ ଏଗୁଡ଼ିକ ସୁଦୂରପ୍ରସାରୀ ପ୍ରଭାବ ପକାଇ ପାରି ନାହିଁ। ଏହା ପୂର୍ବ ସାମାଜିକ ଓ ଏହାକୁ ନେଇ ଗଢ଼ିଉଠିଥିବା ବୌଦ୍ଧିକ ଭିତ୍ତିଭୂମିକୁ ଦୋହଲାଇ ପାରି ନାହିଁ। ଫଳରେ ଏପରି ସାହିତ୍ୟ ଗୋଟିଏ ସଫଳ ଗଣବିପ୍ଳବ ତିଆରି କରିବାରେ ସଫଳ ହୋଇପାରି ନାହିଁ। ବିପ୍ଳବୀ ସାହିତ୍ୟ ସୃଷ୍ଟିର ଯେଉଁ ଟିକକ ବି ପ୍ରୟାସ ହୋଇଛି, ତାହା ଜାତିବାଦୀ ଓ ପାଖଣ୍ଡବାଦୀ ସାହିତ୍ୟର ଦୃଢ଼ ବେଷ୍ଟନୀ ମଧ୍ୟରେ ହଜିଯାଇଛି। ତେଣୁ ଏହା ସ୍ପଷ୍ଟ ଯେ ଅଦ୍ୟାବଧି ସାମାଜିକ ବିପ୍ଳବର ଭିତ୍ତିଭୂମି ତିଆରି ହୋଇପାରି ନାହିଁ। ତେବେ ଏହା ଦାନା ବାନ୍ଧୁଥିବା ପ୍ରତୀୟମାନ ହେଉଛି।
ଅତୀତରେ ବହୁ ମହାମନୀଷୀ ସଂସ୍କାରବାଦୀ ଓ ପ୍ରଗତିଶୀଳ ସାହିତ୍ୟ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି। କିନ୍ତୁ ଏମାନେ ଜାତିବାଦ ଓ ପାଖଣ୍ଡବାଦର କବଚକୁ ଛିଦ୍ର କରିପାରି ନାହାନ୍ତି। ଏହାର କାରଣ ହେଉଛି ଏବେବି ଦେଶରେ ଜାତିବାଦୀ ଓ ମୌଳବାଦୀ ସାହିତ୍ୟ ପ୍ରଧାନ୍ୟ ବିସ୍ତାର କରି ରହିଛି। ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଲେଖନୀ ଚାଳନା ହେଉନାହିଁ। ବିଭେଦଭରା ସମାଜର ସ୍ଥିତାବସ୍ଥାକୁ ବଜାୟ ରଖିବାକୁ ସାହିତି୍ୟକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ସଂଖ୍ୟାଧିକ ଲେଖନୀ ପୋଥିପୁରାଣର ପ୍ରାଚୀନ ବିଚାରକୁ ପରିବ୍ୟାପ୍ତ କରିବା ପାଇଁ ଉଦ୍ଦିଷ୍ଟ। ଏଥିରେ ନୂତନତାର ଛାପ ନଥାଏ। ବିଭିନ୍ନ ଧର୍ମଗ୍ରନ୍ଥରେ ଯାହା ବର୍ଣ୍ଣନା କରାଯାଇଛି ତାକୁ ହିଁ ଫେଣେଇବାରେ ସାହିତି୍ୟକମାନେ ବ୍ୟସ୍ତ। ସମାଜରେ ପ୍ରଗତିଶୀଳ ଚେତନା ଆଣିବା ଦିଗରେ ଏମାନେ ଅକ୍ଷମ। ତଥାପି ଏମାନେ ସାହିତି୍ୟକ। କାହିଁ କେତେ ପୁରସ୍କାର ଓ ସମ୍ମାନ ଏମାନଙ୍କ ଉପରେ ଅଜଡ଼ାଯାଏ। ଯେହେତୁ ଏମାନେ ସାହିତ୍ୟ ମାଧ୍ୟମରେ ପ୍ରଗତିଶୀଳ ଚେତନାର ପ୍ରସାରକୁ ପ୍ରତିରୋଧ କରନ୍ତି। ସାମାଜିକ ବିପ୍ଳବକୁ ଅଟକାନ୍ତି ଓ ସ୍ଥିତାବସ୍ଥାକୁ ବଜାୟ ରଖନ୍ତି।
ସମାଜର ବ୍ୟବସ୍ଥାଗତ ତ୍ରୁଟିକୁ ଜଣେ ସାହିତି୍ୟକ ଯଦି ଦେଖିପାରିବ ନାହିଁ, ତେବେ ଆଉ କାହା ପାଖରୁ ଏହା ଆଶା କରାଯାଇପାରେ! ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ। ଏହା କେବଳ ସମସାମୟିକ ସାମାଜିକ ସ୍ଥିତିକୁ ଉଦ୍ଭାସିତ କରେ ତାହା ନୁହେଁ, ଏହା ସହିତ ଯେଉଁ ଅଭାବ ଅସୁବିଧା ରହିଛି; ତାହାର ମଧ୍ୟ ସମାଧାନର ମାର୍ଗ ଦର୍ଶନ କରେ। ଜଣେ ସାହିତି୍ୟକର ଗଭୀର ଚିନ୍ତନ ଏପରି ଦିଗ୍‌ଦର୍ଶନ ଦେବାରେ ସହାୟକ ହୁଏ। ଗୋଟିଏ ସମ୍ବେଦନଶୀଳ ହୃଦୟ ଭିତରୁ ଏପରି ସାହିତ୍ୟ ନିଃସୃତ ହେବା ସ୍ବାଭାବିକ। ସାହିତ୍ୟ ହେଉଛି ମୁକ୍ତ ଚିନ୍ତନର ପରିପ୍ରକାଶ। ଯେତେବେଳେ ଗୋଟିଏ ଭ୍ରାନ୍ତ ବ୍ୟବସ୍ଥାର ସପକ୍ଷରେ ସାହିତ୍ୟ ସୃଷ୍ଟି କରାଯାଏ, ତାହା ଆଉ ମୁକ୍ତ ଚିନ୍ତନର ପରିଭାଷା ହୁଏ ନାହିଁ। ତାହା ଭ୍ରଷ୍ଟ ବ୍ୟବସ୍ଥା ସହିତ ବୁଝାମଣା ବୋଲି ଧରିନେବାକୁ ହୁଏ। ବର୍ତ୍ତମାନର ପରିପ୍ରେକ୍ଷୀରେ ପୂର୍ବାବସ୍ଥା ସହିତ ବୁଝାମଣାଭିତ୍ତିରେ ସାହିତ୍ୟର ସୃଜନ ହେଉଛି ବୋଲି ଧରିନେବାକୁ ହେବ।
ଜଣେ ସାହିତି୍ୟକର ସଫଳତା ସେ କେତେ ପୁରସ୍କାର ପାଇଛି ଓ କେତେ ସମ୍ମାନିତ ହୋଇଛି ତା’ ଉପରେ ନିର୍ଭର କରେ ନାହିଁ। ସେମାନେ ହେଉଛନ୍ତି ସଫଳ ସାହିତ୍ୟ ସ୍ରଷ୍ଟା, ଯେଉଁମାନେ ନିଜର କଲମ ମୁନରେ ବିପ୍ଳବ ସୃଷ୍ଟି କରିପାରିଛନ୍ତି। ଏଠାରେ ଯ୍ୟାରିଏଟ ଷ୍ଟୋଙ୍କ ‘ଅଙ୍କଲ ଟମ୍ସ କ୍ୟାବିନ’ ବହିଟି ଉଲ୍ଲେଖଯୋଗ୍ୟ, ଯାହା ଯୁକ୍ତରାଷ୍ଟ୍ର ଆମେରିକାରେ ଦାସତ୍ୱ ପ୍ରଥା ଉଚ୍ଛେଦ ବିରୋଧରେ ହୋଇଥିବା ଆନ୍ଦୋଳନକୁ ମଜଭୁତ କରିବାରେ ସହାୟକ ହୋଇଥିଲା। ଏହାର ଓଡ଼ିଆ ଅନୁବାଦ ହୋଇଛି ‘ଟମ କକାଙ୍କ କୁଟୀର’। ୟୁରୋପରେ ରୁଷୋ, ଭୋଲ୍‌ଟାୟାର, ମଣ୍ଟେଷ୍କୁଙ୍କ ପରି ଦାର୍ଶନିକମାନଙ୍କ ବିପ୍ଳବୀ ଲେଖନୀ ୟୁରୋପର ନବଜାଗରଣ ଆନ୍ଦୋଳନକୁ ମଜଭୁତ କରିଥିଲା। ଯ୍ୟାକ୍ସିମ ଗୋର୍କିଙ୍କ କାଳଜୟୀ ଲେଖନୀ ‘ମଦର’ ସେ ସମୟରେ ରୁଷିଆରେ ଚାଲିଥିବା ସାମ୍ୟବାଦୀ ଆନ୍ଦୋଳନକୁ ଖୋରାକ ଯୋଗାଇଥିଲା। ଏହାର ଓଡ଼ିଆ ଅନୁବାଦ ହୋଇଛି ‘ମାଁ’। ସେହିପରି ଖ୍ୟାତନାମା ବେଙ୍ଗଲୀ ଲେଖିକା ତସ୍‌ଲିମା ନସରିନ୍‌ଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ଲଜ୍ଜା’ ବିପ୍ଳବୀ ସାହିତ୍ୟର ଅନ୍ୟ ଏକ ଦୃଷ୍ଟାନ୍ତ। ଏହିପରି ଅନେକ ଲେଖକ ଓ ଲେଖିକା ପ୍ରଗତିଶୀଳ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ଏବଂ ବୈପ୍ଳବିକ ପ୍ରେରଣାକୁ ବଞ୍ଚାଇ ରଖିଛନ୍ତି।
ଭାରତବର୍ଷରେ ମଧ୍ୟ ଏପରି କିଛି କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଛି, ଯାହାର ଲୋକପ୍ରିୟତା ଏବେ ଅନୁଭୂତ ହେଉଛି। ଏଗୁଡ଼ିକ ମଧ୍ୟରୁ ମହାତ୍ମା ଫୁଲେଙ୍କ ପୁସ୍ତକ ‘ଗୋଲାମଗିରି’ ଅନ୍ୟତମ। ଯେଉଁଥିରେ ସେ ଜାତି ବ୍ୟବସ୍ଥାରେ ସମାଜର ତଳ ସ୍ତରର ଲୋକମାନେ କିପରି ଦାସତ୍ୱର ଜୀବନ ଯାପନ କରନ୍ତି, ତାହାର ନିଖୁଣ ଚିତ୍ର ଉପସ୍ଥାପନ କରିଛନ୍ତି। ରାମସ୍ବାମୀ ପେରିୟାରଙ୍କ ‘ସତ୍ୟ ରାମାୟଣ’ ଏବଂ ‘ଜାତିସତ୍ତା ଓ ପିତୃପୁରୁଷ’ ପରି ତାମିଲ ପୁସ୍ତକ ଜାତିବାଦ ଓ ଧାର୍ମିକ ପାଖଣ୍ଡାବାଦକୁ ଶକ୍ତ ପ୍ରହାର। ସେହିପରି ଡ ଆମ୍ବେଦକରଙ୍କ ରଚିତ ‘ଏନିହିଲେଶନ ଅଫ କାଷ୍ଟ’ ବା ଜାତିପ୍ରଥାର ବିଲୋପ ବହିଟି ସାମାଜିକ ସଂସ୍କାରର ପ୍ରଭାବଶାଳୀ ସୃଷ୍ଟି, ଯାହା ଜାତିପ୍ରଥା ବିଲୋପର ଯୋଜନାବଦ୍ଧ ମାର୍ଗଦର୍ଶନ କରେ। ଏହାବାଦ୍‌ ବି ଆହୁରି କିଛି ବିପ୍ଳବୀ ସାହିତ୍ୟ ସୃଷ୍ଟି ରହିଛି।
ତଥାପି ଭାରତବର୍ଷ ତଥା ଓଡ଼ିଶାରେ ପ୍ରଗତିଶୀଳ ଲେଖନୀର ପ୍ରଚୁର ଅଭାବ ରହିଛି। ଏ ଦିଗରେ ସାହିତି୍ୟକ ଓ ସାହିତ୍ୟ ଜଗତ ଅନୁଶୀଳନ କରିବା ବିଧେୟ।
ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ବାରିପଦା, ମୟୂରଭଞ୍ଜ
ମୋ. ୭୦୦୮୯୭୬୧୮୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri