ବିକାଶ ନା ବିନାଶ: କୁଟ୍ରୁମାଳି ପାହାଡ଼ରେ ଖଣି ଖନନକୁ ନେଇ ଜଳୁଛି ଅସନ୍ତୋଷର ନିଆଁ

ଥୁଆମୂଳ ରାମପୁର,୨୭।୪(ଦୁର୍ଗା କୀର୍ତ୍ତି): ସିଜିମାଳି ପରେ ଏବେ ‘କୁଟ୍ରୁମାଳି’ । କଳାହାଣ୍ଡି ଓ ରାୟଗଡ଼ା ଜିଲା ସୀମାନ୍ତରେ ଥିବା ପ୍ରାକୃତିକ ସମ୍ପଦର ଗନ୍ତାଘର କୁଟ୍ରୁମାଳି ପାହାଡ଼କୁ ନେଇ ଏବେ ସଂଘର୍ଷର ଆଶଙ୍କା ଘନେଇବାରେ ଲାଗିଛି। ମେସର୍ସ କଳିଙ୍ଗ ଆଲୁମିନା ଲିମିଟେଡ (ଆଦାନୀ ଏଣ୍ଟରପ୍ରାଇଜେସ) ପକ୍ଷରୁ ପ୍ରସ୍ତାବିତ ବୃହତ୍‌ ବକ୍ସାଇଟ ଖଣି ପ୍ରକଳ୍ପ ପାଇଁ ଜନଶୁଣାଣି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଜନଅକ୍ରୋଶ ସୃଷ୍ଟି ହୋଇଛି।

ପ୍ରଶାସନର ଏହି ପଦକ୍ଷେପକୁ ସ୍ଥାନୀୟ ଆଦିବାସୀ ଓ ଦଳିତ ସମୁଦାୟ ‘ଜଳ-ଜମି-ଜଙ୍ଗଲ’ ଉପରେ ସିଧାସଳଖ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। କୁଟ୍ରୁମାଳି ବକ୍ସାଇଟ ବ୍ଲକରୁ ବାର୍ଷିକ ୪୦ ଲକ୍ଷ ଟନ ଖଣିଜ ଉତ୍ତୋଳନ ଏବଂ ୮୦୦ TPH କ୍ରସିଂ ୟୁନିଟ ସ୍ଥାପନ ପାଇଁ ଲକ୍ଷ୍ୟ ରଖାଯାଇଛି।

ଥୁଆମୂଳ ରାମପୁର ଓ କାଶିପୁର ତହସିଲ ଅଧୀନରେ ଥିବା କୁଟ୍ରୁମାଲି, ଲେଲିଙ୍ଗପଦର, ରାଖିଗୁଡ଼ା ଓ ଭିକାପଙ୍ଗା ଭଳି ଗ୍ରାମଗୁଡ଼ିକ ଏହି ପ୍ରକଳ୍ପ ଦ୍ୱାରା ସମ୍ପୂର୍ଣ୍ଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ୨୦୦୬ ବିଜ୍ଞପ୍ତିକୁ ଆଧାର କରି OSPCB ପକ୍ଷରୁ ମଇ ୧୨ ତାରିଖରେ ଜନଶୁଣାଣି ଧାର୍ଯ୍ୟ କରାଯାଇଛି, ଯାହାକୁ ନେଇ ଏବେ ବିରୋଧର ସ୍ବର ତୀବ୍ର ହେବାରେ ଲାଗିଛି। ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଜନଶୁଣାଣିର ସ୍ଥାନକୁ ନେଇ। ପ୍ରଭାବିତ ଗ୍ରାମଗୁଡ଼ିକରେ ଶୁଣାଣି ନକରି, ବ୍ଲକ ମୁଖ୍ୟାଳୟରେ ପୋଲିସ ଛାଉଣୀ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନିକ ପ୍ରୟାସକୁ ‘ଲୋକତାନ୍ତ୍ରିକ ମୂଲ୍ୟବୋଧର ହତ୍ୟା’ ବୋଲି କୁହାଯାଉଛି। ଡବଲ ଇଞ୍ଜିନ ସରକାର ବିକାଶର ନାରା ଦେଉଥିବା ବେଳେ ଗ୍ରାମସଭାର ଅନୁମତି ନନେଇ କର୍ପୋରେଟ ସ୍ବାର୍ଥ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ସ୍ଥାନୀୟ ଲୋକେ ଓ ପରିବେଶବିତମାନେ ଅଭିଯୋଗ କରିଛନ୍ତି। ପରିବେଶବିତ୍‌ଙ୍କ ମତରେ, କୁଟ୍ରୁମାଳି ପାହାଡ଼ ହେଉଛି ଅନେକ ପ୍ରାକୃତିକ ଝରଣାର ଉତ୍ସ।

ଖଣି ଖନନ ଫଳରେ ଏହି ଜଳସ୍ରୋତଗୁଡ଼ିକ ଶୁଷ୍କ ହୋଇଯିବ, ଯାହା ଫଳରେ ତଳି ଅଞ୍ଚଳର କୃଷି ଓ ପାରିପାର୍ଶ୍ୱିକ ଜୈବ-ବିବିଧତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ପାହାଡ଼ କେବଳ ପଥର ନୁହେଁ, ବରଂ ଆଦିବାସୀଙ୍କ ପାଇଁ ଏହା ଏକ ପବିତ୍ର ଆଧ୍ୟାତ୍ମିକ କେନ୍ଦ୍ର। କୁଟ୍ରୁମାଳି ଏବେ ବିକାଶ ବନାମ ଅଧିକାରର ମହାଲଢ଼େଇର କେନ୍ଦ୍ରବିନ୍ଦୁ। ଯଦି ପ୍ରଶାସନ ଲୋକଙ୍କ ଆପତ୍ତିକୁ ଅଣଦେଖା କରି ଏକପାଖିଆ ଭାବେ ଜନଶୁଣାଣି କରେ, ତେବେ ଏହା ଆଗାମୀ ଦିନରେ ଏକ ଭୟଙ୍କର ଜନଆନ୍ଦୋଳନର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଶ୍ନ ଉଠୁଛି ସରକାର ଲୋକଙ୍କ ସ୍ବର ଶୁଣିବେ ନା କର୍ପୋରେଟଙ୍କ ପାଇଁ ରାସ୍ତା ସଫା କରିବେ।

 

Dharitri – Odisha’s No.1 Odia Daily

 

Share