ଶ୍ରୀଶଙ୍କରାନନ୍ଦ ମଠର ବିକାଶକୁ ଗୁରୁତ୍ୱ

ପୁରୀ ଅଫିସ, ୭ା୧୧:ଶ୍ରୀଶଙ୍କରାନନ୍ଦ ମଠ ଐତିହ୍ୟ ପୁସ୍ତକର ଉନ୍ମୋଚନ ଉତ୍ସବ ରବିବାର ମଠ ପରିସରରେ ଟ୍ରଷ୍ଟବୋର୍ଡ଼ ସଭାପତି ଦୁର୍ଗାପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଅତିଥି ଭାବେ ଯୋଗଦେଇ କହିଥିଲେ, ଦୃଶ୍ୟମାନ ଶ୍ରୀମନ୍ଦିରର ସମସାମୟିକ ଶ୍ରୀଶଙ୍କରାନନ୍ଦ ମଠର ବିକାଶ ଜରୁରୀ। ମଠର ଭଗ୍ନ ଅବସ୍ଥା ଦେଖି ମନରେ ଭାବାନ୍ତର ସୃଷ୍ଟି ହେଉଛି। ଏହାର ବିକାଶ ପାଇଁ କୌଣସି ଏକ ଯୋଜନାରେ ଏହି ମଠକୁ ଅନ୍ତର୍ଭୁକ୍ତ କରିବାକୁ ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କିଟ୍‌ ପ୍ରତିଷ୍ଠାତା ସଦସ୍ୟ ଓ କିଟ୍‌ ବିଜ୍ଞାନ ବିଭାଗର ଚେୟାରମ୍ୟାନ୍‌ ଡ. ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ କହିଥିଲେ, ଆମର ମହାନ ସଂସ୍କୃତି ଐତିହ୍ୟ ଓ ପରମ୍ପରାର ବିକାଶ ନ ହେଲେ ପୂର୍ଣ୍ଣ ସାମାଜିକ ବିକାଶ ସମ୍ଭବ ନୁହେଁ। ବସ୍ତୁବାଦର ବିକାଶ ପଥଚ୍ୟୁତ କରିପାରେ। ମଠ ଥିଲା ସାମାଜିକ ସଂହତି, ଉଚ୍ଚ ଭାବନା ଶିକ୍ଷାର ବିକାଶ ଓ ମାନବିକତାର ମୂଳକେନ୍ଦ୍ର। ମଠ ଥିଲା ସାମାଜିକ ସଂହତି, ଉଚ୍ଚ ଭାବନା ଶିକ୍ଷାର ବିକାଶ ଓ ମାନବିକତାର ମୂଳକେନ୍ଦ୍ର। ମଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ। ସେହିପରି ମୁଖ୍ୟବକ୍ତା ଭାବେ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଯୋଗଦେଇ କହିଥିଲେ, ଓଡ଼ିଶାର ଲୁପ୍ତ ଗୌରବ ଗାଥାକୁ ଅନୁସନ୍ଧାନ କରି ଜାତୀୟ ସ୍ତରରେ ଉପସ୍ଥାନ କରିବାର ସମୟ ଆମକୁ ଅପେକ୍ଷା କରିଛି। ସମ୍ମାନିତ ଅତିଥି ଭାବେ ଡ. କୈଳାସ ଚନ୍ଦ୍ର ଟିକାୟତ ରାୟ ଯୋଗଦେଇ କହିଥିଲେ, ଭାରତ ବିଶ୍ୱଗୁରୁ ହେବାର ସମୟ ଉପନୀତ। ଆମେ ଆମର ପୂର୍ବ ସଂସ୍କୃତି, ଉପାସନା ଓ ପରମ୍ପରାକୁ ପୁନରୁଦ୍ଧାର କରିବା ପ୍ରଥମ କର୍ତ୍ତବ୍ୟ। ଏହି ମଠର ବିକାଶ ୫ବର୍ଷ ମଧ୍ୟରେ ଶୀର୍ଷରେ ପହଞ୍ଚିବ ବୋଲି ବିଶ୍ୱାସ। ସମ୍ମାନିତ ବକ୍ତା ଭାବେ ଯାମିନୀକାନ୍ତ ମିଶ୍ର ଯୋଗଦେଇ କହିଥିଲେ, ଶଙ୍କରାନନ୍ଦ ମଠର ପୂର୍ବ ପ୍ରତିଷ୍ଠାକୁ ସ୍ମରଣ କରିବା ସହିତ ଏଠାରେ ଶିକ୍ଷାର ବିକାଶ ପାଇଁ ଶିକ୍ଷାନୁଷ୍ଠାନ ପରିଚାଳିତ ହେଉଥିଲା। ମଠର ସ୍ବାମୀମାନଙ୍କ ଅବଦାନ ସମ୍ବନ୍ଧରେ ସେ ଆଲୋକପାତ କରିଥିଲେ। ଏହି ମଠର ସ୍ବାମୀମାନେ ଅତୀତରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱ ସହିତ ଶ୍ରୀଲୋକନାଥ ମନ୍ଦିର, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିର, କପିଳାସର ଶ୍ରୀଚନ୍ଦ୍ରଶେଖର ମନ୍ଦିରର ପରିଚାଳନା କରୁଥିଲେ ବୋଲି ପୁସ୍ତକର ମୁଖ୍ୟ ସମ୍ପାଦକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କହିବା ସହ ପୁସ୍ତକ ପ୍ରକାଶନର ଆଭିମୁଖ୍ୟ ପ୍ରସଙ୍ଗରେ ପ୍ରକାଶ କରିଥିଲେ। ଉତ୍ସବକୁ ମିହିର କୁମାର ମିଶ୍ର ଓ ଆଦିତ୍ୟ ମିଶ୍ର ସଂଯୋଜନା କରିଥିଲେ। ମହୀପ୍ରକାଶ ମଠର ମହାରାଜ, ଡ. ରବିଚରଣ ରଥ, ଶ୍ରୀ ପତ୍ରିକାର ସମ୍ପାଦକ ଶ୍ରୀକୃଷ୍ଣ ନାୟକ, ଡ. ଭାସ୍କର ମିଶ୍ର, ଡ. ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଦେବୀ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବରେ ନୀଳକଣ୍ଠ ମିଶ୍ରଙ୍କ ଲିଖିତ ପ୍ରୀତି ପଞ୍ଚୁକ ଐତିହ୍ୟ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକ ସମ୍ବନ୍ଧରେ ଲେଖକ ମତ ଦେଇଥିଲେ। ପୁରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବଳିଆର ସିଂ ଧନ୍ୟବାଦ ଦେଇଥିଲେ।