ଢାକା, ୧୩ା୭:ବାଂଲାଦେଶରେ ମୌସୁମୀଜନିତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ସ୍ଥିତି ସଙ୍ଗିନ ହୋଇପଡ଼ିଛି। ଗତ ଏକ ସପ୍ତାହ ମଧ୍ୟରେ ବନ୍ୟା ଓ ଭୂସ୍ଖଳନଜନିତ ବିଭିନ୍ନ ଦୁର୍ଘଟଣାରେ ଅତିକମରେ ୪୪ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୨.୬ଲକ୍ଷରୁ ଅଧିକ ପରିବାର ପ୍ରଭାବିତ ହୋଇଛନ୍ତି।
ନଦୀଗୁଡ଼ିକ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଦେଶର ଉତ୍ତର-ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗତ ଶନିବାର ମଧ୍ୟରାତ୍ରିରୁ ରବିବାର ସକାଳ ୬ଟା ମଧ୍ୟରେ ରେକର୍ଡ ୭୬ ମିମି ବର୍ଷା ହେବା ଫଳରେ ରାଜଧାନୀ ଢାକାର ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି , ଯାହାଦ୍ୱାରା ସହରୀ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ସହ ସେନା, ନୌସେନା ଓ ବାୟୁସେନାକୁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ କରାଯାଇଛି।
ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ସୂଚନା ଅନଯାୟୀ , ଗତ ଜୁଲାଇ ୫ରୁ ଏପର୍ଯ୍ୟନ୍ତ ସରକାରୀ ଭାବେ ୪୪ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି, ଯେଉଁଥିରେ ଜୁଲାଇ ୮ରେ କକ୍ସ ବଜାର ଶରଣାର୍ଥୀ ଶିବିରରେ ଭୂସ୍ଖଳନ ଯୋଗୁ ୭ଜଣ ରୋହିଙ୍ଗ୍ୟା ଶିଶୁ ଓ ଜଣେ ଶିକ୍ଷକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୨,୬୭,୯୧୮ ପରିବାର ଜଳବନ୍ଦୀ ଅବସ୍ଥାରେ ଥିବାବେଳେ, ୪୪,୪୫୭ରୁ ଅଧିକ ବନ୍ୟାବିପନ୍ନ ୧୧୦୦ରୁ ଊର୍ଦ୍ଧ୍ୱ ଆଶ୍ରୟସ୍ଥଳୀରେ ଶରଣ ନେଇଛନ୍ତି। ବନ୍ୟାଞ୍ଚଳରେ ଲୋକେ ଘରର ଛାତ ଉପରେ କିମ୍ବା ପ୍ଲାଷ୍ଟିକ ଜରି ଟାଣି ରାସ୍ତାକଡ଼ରେ ରହିବାକୁ ବାଧ୍ୟ ହେଉଛନ୍ତି।
ଏପରିକି ଅନେକ ସ୍ବାସ୍ଥ୍ୟକେନ୍ଦ୍ର ଜଳମଗ୍ନ ହୋଇଯାଇଥିବାରୁ ଚିକିସତ୍ା ସେବା ଯୋଗାଇବା କଷ୍ଟକର ହୋଇପଡ଼ିଛି।
ଢାକା ସମେତ ପ୍ରମୁଖ ବନ୍ଦର ସହର ଚଟ୍ଟଗ୍ରାମ ମଧ୍ୟ ଏହି ମୂଷଳଧାରା ବର୍ଷା ଯୋଗୁ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ଢାକାର ମିରପୁର ଭଳି ଅନେକ ଜନବହୁଳ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ବାଂଲାଦେଶର ବନ୍ୟା ପୂର୍ବାନୁମାନ ଓ ସତର୍କତା କେନ୍ଦ୍ର (ଏଫ୍ଏଫ୍ଡବ୍ଲୁସି) ଅନୁଯାୟୀ ମେଘନା ଓ ଦକ୍ଷିଣ-ପୂର୍ବ ପାର୍ବତ୍ୟ ଅବବାହିକାରେ ଥିବା ୪୫ଟି ନଦୀ ମନିଟରିଂ ଷ୍ଟେଶନ ମଧ୍ୟରୁ ୭ଟିରେ ଜଳସ୍ତର ବିପଦସଙ୍କେତ ଉପରେ ରହିଛି। ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶର ସିଲହଟ୍, ରଙ୍ଗପୁର ଏବଂ ମୟମନସିଂହ ସମେତ ପଡ଼ୋଶୀ ଭାରତୀୟ ରାଜ୍ୟ ଆସାମ, ମେଘାଳୟ ଓ ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବ୍ରହ୍ମପୁତ୍ର ଅବବାହିକାର ଅନ୍ୟ ଜିଲାଗୁଡ଼ିକରେ ବନ୍ୟା ସ୍ଥିତି ଆହୁରି ସଙ୍ଗିନ ହେବାର ଆଶଙ୍କା କରାଯାଉଛି।