ଦେବ ଦୀପାବଳି ଆରମ୍ଭ

ପୁରୀ ଅଫିସ, ୧୪ା୧୨:ଶ୍ରୀମନ୍ଦିରରେ ରବିବାରଠାରୁ ଦେବ ଦୀପାବଳି ଆରମ୍ଭ ହୋଇଛି। ଏହା ୩ଦିନ ଧରି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ କାଶ ଧଡ଼ିିଆ ବସ୍ତ୍ର ପରିଧାନ ସହ ଶ୍ରାଦ୍ଧବେଶରେ ଭୂଷିତ ହୋଇଛନ୍ତି। ସେ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ, ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ଏବଂ ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ। ସାଧାରଣତଃ ହିନ୍ଦୁମାନେ କାର୍ତ୍ତିକ ଅମାବାସ୍ୟା, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ସହ ଦୀପଦାନ କରିଥାନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ସହ ଦୀପଦାନ କରନ୍ତି। ପୁଷ୍ପାଳକ ସେବକମାନେ ଶ୍ରୀଜୀଉଙ୍କୁ ଶ୍ରାଦ୍ଧ ବେଶରେ ସଜ୍ଜିତ କରୁଥିବାବେଳେ ଠାକୁରମାନେ କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।