ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ

ବାଂଲାଦେଶରେ ସେନା ସମର୍ଥନରେ ହୋଇଥିବା ହିଂସାତ୍ମକ ବିଦ୍ରୋହ ଯୋଗୁ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ କ୍ଷମତାଚ୍ୟୁତ କରାଗଲା। ଏହା ପରେ ସେଠାରେ ଅରାଜକତା ଲାଗି ରହିଛି। ଅର୍ଥ ବ୍ୟବସ୍ଥା ନିମ୍ନଗାମୀ ହେବାରେ ଲାଗିଛି। ଇସଲାମ୍‌ ମୌଳବାଦୀଙ୍କ ଶକ୍ତି ବଢ଼ିଚାଲିଛି। ଯୁବକମାନେ ଅଧିକ କଠୋରପନ୍ଥୀ ହେଉଛନ୍ତି। ଆଇନବିହୀନ ଅବ୍ୟବସ୍ଥା ଦେଖାଯାଇଛି। ଏହା ସହ ଧର୍ମୀୟ ଓ ଜାତିଗତ ସଂଖ୍ୟାଲଘୁମାନେ ଅବଦମିତ ହୋଇ ରହିଛନ୍ତି। ଏଭଳି ସ୍ଥିତିରେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ ବୋଲି ଆଶା କରାଯାଉନାହିଁ। ଅନେକେ ଆଶା କରିଥିଲେ, ହସିନା କ୍ଷମତାରୁ ଗଲା ପରେ ଏକଚ୍ଛତ୍ରବାଦ ଶାସନ ଅନ୍ତ ଘଟିବ ଓ ବାଂଲାଦେଶ ପାଇଁ ଗଣତନ୍ତ୍ରର ପରିବର୍ତ୍ତନ ସୁଗମ ହୋଇଯିବ। ଶେଷରେ ଛାତ୍ର ଆନ୍ଦୋଳନ ଶାସନ ପତନର କାରଣ ବୋଲି ସେମାନେ ଦର୍ଶାଇବା ଯୋଗୁ କ୍ଷମତାଶାଳୀ ସେନାର ନିର୍ଣ୍ଣାୟକ ଭୂମିକା ଗୌଣ ହୋଇଗଲା। ହସିନା ସେନାର ପ୍ରଭାବ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଥିବାରୁ ତାହା ସମସ୍ୟାରେ ଥିଲା ଏବଂ ଶେଷରେ ତାଙ୍କୁ ଭାରତକୁ ଚାଲିଯିବା ଲାଗି ବାଧ୍ୟ କରିଥିଲା। ସେହିପରି ଛାତ୍ର ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଓ ସହଯୋଗ କରିଥିବା ମୌଳବାଦୀମାନେ ହସିନାଙ୍କ ଶାସନରେ ଉପେକ୍ଷିତ ହୋଇ ରହିଥିଲେ। ସେମାନେ ମଧ୍ୟ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ସୁଯୋଗ ପାଇଗଲେ।
ବେଆଇନ ଭାବେ ହାସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ ଗଠିତ ମଧ୍ୟବର୍ତ୍ତିକାଳୀନ ସରକାରର ପ୍ରମୁଖ ପରାମର୍ଶଦାତା ଭାବେ ମହମ୍ମଦ ୟୁନୁସଙ୍କୁ ଅବସ୍ଥାପିତ କରାଯାଇଥିଲା। ୟୁନୁସ୍‌ ୨୦୦୬ରେ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିଲେ। ସେ ଗ୍ରାମୀଣ ବ୍ୟାଙ୍କର ମାଇକୋକ୍ରେଡିଟ ପାଇଁ ଗରିବଙ୍କ ତ୍ରାଣକର୍ତ୍ତା ଭାବେ ସାମ୍ନାକୁ ଆସିଥିଲେ। ତେବେ ଗ୍ରାମୀଣ ବ୍ୟାଙ୍କର ପ୍ରକୃତ ପ୍ରଭାବକୁ ନେଇ ନୋବେଲ କମିଟି ଚୟନରେ କିଛି ଊଣା ରହିଯାଇଥିଲା। ବରଂ ଏହା ଭୂରାଜନୈତିକ ବିଷୟକୁ ସୂଚିତ କରୁଥିଲା। ନୋବେଲ ପୁରସ୍କାର ପ୍ରଦାନ ଅବସରରେ କମିଟିର ଅଧ୍ୟକ୍ଷ ୟୁନୁସଙ୍କୁ ଇସ୍‌ଲାମ ଓ ପାଶ୍ଚାତ୍ୟ ମଧ୍ୟରେ ଏକ ପ୍ରତିକାତ୍ମକ ସେତୁ ଭାବେ ଅଭିହିତ କରିଥିଲେ। ଆମେରିକାରେ ୧୧ ସେପ୍ଟେମ୍ବର ୨୦୦୧ରେ ଉଗ୍ରବାଦୀ ଆକ୍ରମଣ ପରେ ପାଶ୍ଚାତ୍ୟରେ ଇସ୍‌ଲାମକୁ କ୍ରୂର ବୋଲି ପ୍ରଚାର କରାଯାଉଥିବାରୁ ନୋବେଲ ବିଜେତା ଭାବେ ୟୁନୁସଙ୍କ ଚୟନ ତାହାକୁ ପ୍ରତିହତ କରିପାରିବ ବୋଲି ଅଧ୍ୟକ୍ଷ ଆଶାପୋଷଣ କରିଥିଲେ। ତେବେ ୟୁନୁସଙ୍କୁ ଚୟନ କରାଯିବା ପଛରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ସମର୍ଥନକୁ ଅସ୍ବୀକାର କରାଯାଇ ନ ପାରେ।
ବାଂଲାଦେଶ ମଧ୍ୟବର୍ତ୍ତିକାଳୀନ ସରକାରର ନେତା ଭାବେ ୟୁନୁସ ବ୍ୟାପକ ସୁଧାର ଓ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରିବା ସକାଶେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ବାରମ୍ବାର ନିର୍ବାଚନକୁ ସ୍ଥଗିତ ରଖାଯାଇଆସୁଛି। ସାମ୍ବିଧାନିକ ବୈଧତାର ଅଭାବ ସତ୍ତ୍ୱେ ମଧ୍ୟବର୍ତ୍ତିକାଳୀନ ସରକାର ସ୍ବାଧୀନ ସଂସ୍ଥାଗୁଡ଼ିକରୁ ବ୍ୟକ୍ତିମାନଙ୍କୁ ହଟାଇବା ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସମେତ ୫ ଜଣ ବରିଷ୍ଠ ବିଚାରପତିଙ୍କୁ ପଦବୀରୁ ତଡ଼ିଦେବା ସହ ଦେଶର ସବୁଠୁ ପୁରୁଣା ଓ ବୃହତ୍ତମ ତଥା ବାଂଲାଦେଶକୁ ସ୍ବାଧୀନତା ଦେଇଥିବା ହାସିନାଙ୍କ ଆଓ୍ବାମୀ ଲିଗ୍‌ ଭଳି ରାଜନୈତିକ ଦଳକୁ ସେ ବେଆଇନ ଘୋଷଣା କରିଛନ୍ତି। ଏହି ସରକାରରେ ମାନବ ଅଧିକାର ଉଲ୍ଲଂଘନ ଘଟଣା ବୃଦ୍ଧି ପାଇଚାଲିଛି ଏବଂ ଦମନ ତୀବ୍ର ହୋଇଛି। ଆଇନଜୀବୀ, ଶିକ୍ଷାବିତ୍‌, ସାମ୍ବାଦିକ, କଳାକାରଙ୍କ ସମେତ ହସିନାଙ୍କ ସମର୍ଥକ ଏବଂ ଏବକାର ସରକାରକୁ ବିରୋଧ କରୁଥିବା ଲୋକଙ୍କୁ ଏକାଠି ଜେଲରେ ରଖାଯାଉଛି। ଫେବୃଆରୀଠାରୁ ଅନେକ ହଜାର ଲୋକଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଅନେକ ସାମ୍ବାଦିକଙ୍କୁ ବେଆଇନ ଭାବେ ହତ୍ୟାଠାରୁ ଆରମ୍ଭ କରି ଗୁରୁତର ଅପରାଧରେ ଛନ୍ଦି ଦିଆଯାଉଛି। ହାଜତରେ ଅବୈଧ ହତ୍ୟା ଓ ନିର୍ଯାତନାର ଖବର ଏବେ ସାଧାରଣ ଘଟଣା ହୋଇଗଲାଣି। ଇସ୍‌ଲାମ ମୌଳବାଦୀଙ୍କୁ ଏବେ ଥଇଥାନ କରାଯିବା ବିଷୟ ଅତ୍ୟନ୍ତ ଉଦ୍‌ବେଗଜନକ। ସେନା ଓ ମୁସଲମାନ ଧର୍ମଗୁରୁଙ୍କ ଦ୍ୱାରା ଚାଲୁଥିବା ଶାସନକୁ ନାମକୁମାତ୍ର ନେତୃତ୍ୱ ଦେଉଥିବା ୟୁନୁସ ପୂର୍ବରୁ ଉଗ୍ରବାଦ ସହ ଜଡ଼ିତ ଥିବା ଜେହାଦି ଗୋଷ୍ଠୀଙ୍କ ଉପରୁ ନିଷେଧାଦେଶ ଉଠାଇ ଦେଇଛନ୍ତି। କୁଖ୍ୟାତ ଇସ୍‌ଲାମ ନେତାମାନଙ୍କୁ ମୁକ୍ତ କରିଦେଇଛନ୍ତି। ଅନେକ ମୌଳବାଦୀ ଏବେ ମନ୍ତ୍ରୀପଦ କିମ୍ବା ଅନ୍ୟ ସରକାରୀ ପଦବୀକୁ ଦଖଲ କରିଛନ୍ତି ଏବଂ ସେମାନଙ୍କ ସହ ଅନୁବନ୍ଧିତ ବିରାଟ ଉପଦ୍ରବୀ ଗୋଷ୍ଠୀ ଖୋଲାଖୋଲି ଭାବେ ବିରୋଧୀଙ୍କୁ ଭୟଭୀତ କରୁଛନ୍ତି।
ବୌଦ୍ଧ, ହିନ୍ଦୁ ଓ ଖ୍ରୀଷ୍ଟିଆନ ଧର୍ମର ଲୋକ ଏବଂ ଆଦିବାସୀ ସମ୍ପ୍ରଦାୟଙ୍କ ଉପରେ ଆକ୍ର୍ରମଣ କରାଯାଉଛି। ମୌଳବାଦୀମାନେ ବିଚାରରେ ଯେଉଁମାନେ ଇସ୍‌ଲାମ ବିରୋଧୀ ଗୋଷ୍ଠୀ, ସେମାନେ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି। କିନ୍ତୁ ଆକ୍ରମଣକାରୀଙ୍କ ବିରୋଧରେ କୌଣସି ଦଣ୍ଡବିଧାନ ହେଉନାହିଁ। ଯେଉଁ ମହିଳାମାନେ ଠିକ୍‌ ଭାବେ ପୋଷାକ ପିନ୍ଧୁ ନାହାନ୍ତି, ସେମାନଙ୍କୁ ସର୍ବସାଧାରଣରେ ଅପମାନିତ ଓ ଆକ୍ରମଣ କରାଯାଉଛି। ସମାଜରେ କଠୋର କଟକଣା ଲାଗୁ କରିଥିବା ଏକ ତାଲିବାନୀ ସଂସ୍କୃତି ସେଠାରେ ଦୃଢ଼ ହେବାରେ ଲାଗିଛି। ସ୍ଥିତି ଏତେ ଖରାପ ହୋଇଛି ଯେ, ସରକାର ସପକ୍ଷବାଦୀ ତଥା ଆଓ୍ବାମୀ ଲିଗ୍‌ର ଘୋର ବିରୋଧୀ ଭାବେ ଜଣାଶୁଣା ବାଂଲାଦେଶ ନ୍ୟାଶନାଲିଟି ପାର୍ଟି (ବିଏନ୍‌ପି)ମୌଳିକ ସ୍ବାଧୀନତାର ଅବକ୍ଷୟକୁ ତୀବ୍ର ନିନ୍ଦା କରିଛି। ସମାଲୋଚନା କରି କହିଛି, ‘ଧର୍ମ ନାମରେ ପାଗଳାମି ପ୍ରକାଶ ପାଇଛି ’ ଏବଂ ରାସ୍ତାରେ ‘ଭୟାନକ ହିଂସା’ ଦେଖାଯାଇଛି।
ବାଂଲାଦେଶରେ ଭୁଶୁଡ଼ି ପଡ଼ୁଥିବା ଏକ ଅର୍ଥ ବ୍ୟବସ୍ଥା ଏହିସବୁ ସମସ୍ୟା ସୃଷ୍ଟି କରିବା ସ୍ବାଭାବିକ। ସେଠାରେ ଜିଡିପି ଅଭିବୃଦ୍ଧି ନିମ୍ନଗାମୀ ହୋଇଛି, ବୈଦେଶିକ ଋଣ ଅତ୍ୟଧିକ ବଢିଯାଇଛି। ୧୨ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି ସବୁଠୁ ଶୀର୍ଷରେ ପହଞ୍ଚିଛି। ନିବେଶକଙ୍କ ବିଶ୍ୱାସ କମିବା ସହ ୫ ବର୍ଷ ମଧ୍ୟରେ ଶେୟାର ବଜାର ସବୁଠୁ ନିମ୍ନ ସ୍ତରକୁ ଖସିଛି। ଲୋକେ ଚାକିରି ହରାଉଛନ୍ତି ଏବଂ ସେମାନଙ୍କ ଜୀବନଶୈଳୀର ଅଧୋଗତି କଟରବାଦ ଓ ସାମାଜିକ ଅସ୍ଥିରତା ସୃଷ୍ଟିକରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏକ ମୁସଲମାନ ଦେଶ ଭାବେ ବାଂଲାଦେଶ ଏକଦା ଧର୍ମନିରପେକ୍ଷ ଗଣତନ୍ତ୍ରକୁ ଧାରଣ କରିଥିଲା। କୋଭିଡ୍‌-୧୯ ମହାମାରୀ ପର୍ଯ୍ୟନ୍ତ ଆର୍ଥିକ କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଅଗ୍ରଗତି କରୁଥିଲା ଏବଂ ସାମାଜିକ ସ୍ଥିରତା ମଧ୍ୟ ରହିଥିଲା। କିନ୍ତୁ ବର୍ତ୍ତମାନ ଏହା ସେନା କଟକଣାରେ ଥିବା ଏକ ପ୍ରକାର ନିଷ୍କ୍ରିୟ ବ୍ୟବସ୍ଥାରେ ରହି ବିପଦ ମଧ୍ୟକୁ ଠେଲି ହୋଇଯାଇଛି। ଏଭଳି ସେନା ନିୟନ୍ତ୍ରଣ ଦୀର୍ଘଦିନ ହେଲା ପାକିସ୍ତାନକୁ ମଧ୍ୟ ସମସ୍ୟାରେ ପକାଇଛି ଏବଂ ତାହା ଏଥିରୁ ମୁକୁଳିବା ପାଇଁ ସଂଗ୍ରାମ ଜାରି ରଖିଛି।
ଏସବୁର ପରିଣାମ ସାରା ଅଞ୍ଚଳକୁ ପ୍ରଭାବିତ କରିବ। ବାଂଲାଦେଶର ତିନି ପାଖରେ ଭାରତର ସୀମା ରହିଛି ଏବଂ ଅନେକ ଲକ୍ଷ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ଭାରତରେ ରହିଛନ୍ତି। ଏହା ଭାରତକୁ ଅତ୍ୟଧିକ ପ୍ରଭାବିତ କରିବ। ହସିନାଙ୍କ ଶାସନ ସମୟରେ ବାଂଲାଦେଶ ବିଶେଷକରି ଉଗ୍ରବାଦ ବିରୋଧୀ ଓ ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ଭାରତର ନିକଟତମ ସହଯୋଗୀ ଥିଲା। ସେ ଶାସନରୁ ହଟିଯିବା ହିଁ ଭାରତର ରଣନୀତିକ ସ୍ବାର୍ଥ ପ୍ରତି ଏକ ଶକ୍ତ ଝଟ୍‌କା। କ୍ଷତି ଭରଣା କରିବାକୁ ଭାରତ ସରକାର ଏବେ ଧୀରେ ଧୀରେ ଚେଷ୍ଟା କରୁଛନ୍ତି, ଯଥା ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଉଗ୍ରବାଦୀ ଅନୁପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେଉଛନ୍ତି। ହାସିନାଙ୍କୁ କ୍ଷମତାରୁ ତଡ଼ିଦିଆଯିବା ଯୋଗୁ ସୃଷ୍ଟି ହୋଇଥିବା ବିପଦକୁ ଭାରତ ଉପଲବ୍ଧି କରିିପାରିଥିବାବେଳେ, ଆମେରିକା ଶାସନ ପରିବର୍ତ୍ତନକୁ ସମର୍ଥନ କରିଛି। କିନ୍ତୁ ଯଦି ବାଂଲାଦେଶ ଏବକାର ଧାରାରେ ଗତିକରେ, ତେବେ ଏକ ସ୍ବାଧୀନ, ମୁକ୍ତ, ସମୃଦ୍ଧ ତଥା ସ୍ଥାୟୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ନିଶ୍ଚିତ କରିବା ଲାଗି ନେଉଥିବା ପଦକ୍ଷେପକୁ ଏହା ଅଧିକ ଜଟିଳ କରିଦେବ। କେତେକେ ସତର୍କ କରି ଦେଇଛନ୍ତି ଯେ, ବାଂଲାଦେଶ ବିଶ୍ୱରେ ହିଂସା ଓ ସଂଘର୍ଷର ଆଉ ଏକ ଜ୍ୱଳନକେନ୍ଦ୍ର ପାଲଟିଯାଇପାରେ, ଯାହା ଦୂର ଦେଶଗୁଡ଼ିକର ଦୃଷ୍ଟି ଆକର୍ଷଣ କରିବ। ଆଉ ଯଦି ଅନ୍ତର୍ଜାତୀୟ ସମୁଦାୟ ଗଣତାନ୍ତ୍ରିକ ମୂଲ୍ୟବୋଧ, ଧର୍ମୀୟ ସ୍ବାଧୀନତା ଏବଂ ଆଞ୍ଚଳିକ ସ୍ଥିରତାର ସୁରକ୍ଷା ପାଇଁ ଗଭୀର ଭାବେ ଚିନ୍ତା କରୁଛନ୍ତି, ତେବେ ବାଂଲାଦେଶର ଲଗାତର ଅଧୋଗତିକୁ ଆଉ ବେଶି ଦିନ ଅଣଦେଖା କରିପାରିବ ନାହିଁ।

ବ୍ରହ୍ମ ଚେଲାନି
ପ୍ରଫେସର, ଏମରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri