ବିଳମ୍ବ ସତ୍ତ୍ୱେ ଜମୁଛି ବାଣ ବେପାର

ଅନୁଗୋଳ ଅଫିସ, ୨୪ା୧୦:ଦୀପାବଳିକୁ ନେଇ ଏଥର ବିପୁଳ ଉତ୍ସାହ। କରୋନା ପାଇଁ ଗତ ୨ ବର୍ଷ ଧରି କଟକଣା ମଧ୍ୟରେ ଏହି ଆଲୋକର ପର୍ବ ପାଳନ ହୋଇଥିବା ବେଳେ ଚଳିତବର୍ଷ ମହାମାରୀକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ। ତେଣୁ ସୋମବାର ଲୋକେ ଦୀପାବଳି ପାଳନ କରିବାକୁ ଯାଉଥିବାରୁ ଦୀପଠାରୁ ଆରମ୍ଭ କରି ବାଣ କିଣିବା ପାଇଁ ବଜାରରେ ଲାଗିଲାଣି ଗହଳି। ଅନୁଗୋଳ ସହରରେ ବିଳମ୍ବରେ ବାଣ ଦୋକାନ ଖୋଲିଥିଲେ ବି ଜମୁଛି ବେପାର। ଏପରି କି ରବିବାର ଗୋଟିଏ ଦିନରେ ସହରବାସୀ ୩୦ ଲକ୍ଷ ଟଙ୍କାର ବାଣ କିଣି ନେଇଥିବା ସୂଚନା ମିଳିଛି। ତେବେ ଏହି ବ୍ୟବସାୟ ପାଇଁ ଆଉ ମାତ୍ର କିଛି ଘଣ୍ଟା ହାତରେ ଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବାଣ ଦୋକାନୀମାନେ। ପ୍ରଶାସନ ଠିକ୍‌ ସମୟରେ ଅନୁମତି ପ୍ରଦାନ କରିଥିଲେ ଆହୁରି ଦିନଟିଏ ବେପାର ପାଇଁ ମିଳିଥାନ୍ତା ବୋଲି କେତେଜଣ ବାଣ ବ୍ୟବସାୟୀ ପ୍ରକାଶ କରିଛନ୍ତି।
କେତେଜଣ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ବାଣ ଦୋକାନ ଖୋଲିବା ପାଇଁ ବହୁ ପୂର୍ବରୁ ଜିଲା ପ୍ରଶାସନଠାରୁ ଅନୁମତି ଲୋଡ଼ାଯାଇଥିଲା। ହେଲେ ପ୍ରଭାବଶାଳୀ ବ୍ୟବସାୟୀଙ୍କ ପତିଆରା ଯୋଗୁ ପ୍ରଶାସନ ନିଷ୍ପତ୍ତି ନେବାରେ ବହୁ ବିଳମ୍ବ କରିଦେଲା। ଲାଇସେନ୍ସ ମିଳିବା ତ ଦୂରର କଥା କେଉଁ ସ୍ଥାନରେ ବଜାର ବସିବ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବାରୁ ଟେଣ୍ଟ ମଧ୍ୟ ବନ୍ଧାଯାଇପାରି ନ ଥିଲା। ତେବେ ଡେରି ହେଉ ପଛେ ପ୍ରଶାସନ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ ରବିବାର ସକାଳ ୮ ସୁଦ୍ଧା ବାଣ ବେପାରୀମାନଙ୍କୁ ଆଶ୍ୱସ୍ତି ମିଳିଥିଲା। ଏହାପରେ ବ୍ୟବସାୟ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କରାଯାଇଥିଲା। ଅନୁଗୋଳ ଷ୍ଟାଡିୟମ ସମ୍ମୁଖ ପଡ଼ିଆରେ ୬୫ ଦୋକାନ ଖୋଲିବା ମାତ୍ରେ ଭିଡ଼ ଆରମ୍ଭ ହୋଇଯାଇଥିଲା। ପୂର୍ବାହ୍ନ ୧୧ଟାରୁ ସହରବାସୀ ବାଣ ବଜାରକୁ ଆସି କିଣାକିଣି ଆରମ୍ଭ କରିଦେଇଥିଲେ। ଅପରାହ୍ନରୁ ରାତି ୧୦ଟା ଯାଏ ପ୍ରବଳ ଗହଳି ହୋଇଥିଲା। ଲୋକଙ୍କ ଆଗ୍ରହକୁ ନଜରରେ ରଖି ଏଥର ଭଲ କମ୍ପାନୀର ଆତସବାଜି ସାମଗ୍ରୀ ଅଣାଯାଇଛି। ୫ ଟଙ୍କାରୁ ଆରମ୍ଭ କରି ୫ହଜାର ଟଙ୍କା ଯାଏ ବାଣ ମୂଲ୍ୟ ରହିଛି। ଲୋକେ ପିଲାଙ୍କୁ ଧରି ଆସୁଥିବାରୁ ପ୍ରଥମ ଦିନରେ ଚକ୍ରି, ଝୁରୁଝୁରି, କୁମ୍ପି, ଧପଧପି, ରଶି, ଚଡ଼ଚଡ଼ି, ଦିଆସିଲି, ସାପ ଓ ରସୁଣ ବାଣ ଆଦି ବହୁ ପରିମାଣର ବିକ୍ରି ହୋଇଛି। ସେହିପରି ଯୁବପିଢ଼ି ସ୍କାଏ ଶର୍ଟ, ଆକାଶ ଦୀପକୁ ଅଧିକ ପସନ୍ଦ କରୁଥିବାରୁ ତାହା କିଣି ନେଉଛନ୍ତି। ସୋମବାର ଲୋକେ ଦୀପାବଳି ପାଳନ କରିବାକୁ ଥିବାରୁ ସନ୍ଧ୍ୟା ଯାଏ ବିକ୍ରି ଚାଲିବ। ତେବେ ଅନ୍ୟ ସହର ପରି ଅନୁଗୋଳରେ ଆଉ ଦିନକ ଆଗରୁ ବାଣ ବ୍ୟବସାୟ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଥିଲେ ବ୍ୟବସାୟୀଙ୍କ ସହ ସହରବାସୀ ଅଧିକ ଉପକୃତ ହୋଇପାରିଥାନ୍ତେ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି।