୯୩ବର୍ଷରେ ଚଳଚଞ୍ଚଳ ମହେଶ୍ୱର

ସିମୁଳିଆ, ୨୬।୧(ଡି.ଏନ.ଏ.): ସମଗ୍ର ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ ତାଲିକାରେ ନାମ ନ ଥାଇ ମଧ୍ୟ ୯୩ବର୍ଷରେ ଚଳଚଞ୍ଚଳ ଅଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ମହେଶ୍ୱର ପଣ୍ଡା। ମହାମତ୍ା ଗାନ୍ଧୀଙ୍କ ଡାକରାରେ ସେ ବିନୋବା ଭାବେଙ୍କ ସହିତ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏପରିକି ପାଠପଢ଼ା ପରେ ତାଙ୍କୁ ଚାକିରି ଅଫର ମିଳିଥିଲା। ମାତ୍ର ସେ ଦେଶ ସେବା ପାଇଁ ଚାକିରି ପ୍ରତ୍ୟାଖ୍ୟାନ କରି ଦେଶ, ଜାତି ଓ ସମାଜ ପାଇଁ କାର୍ଯ୍ୟ କରିଥିଲେ। ପରିଣତ ବୟସରେ ମଧ୍ୟ ମହେଶ୍ୱରଙ୍କ କଲମ ଚାଳନା ଜାରି ରହିଛି। ବିନା ଚଷମାରେ ସେ ଲେଖାପଢ଼ା କରୁଛନ୍ତି ।

ମହେଶ୍ୱର ପଣ୍ଡା କହନ୍ତି ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ ପରେ ବାଲିଖଣ୍ଡ, ବାସୁଦେବପୁର, ସୋର ଓ ପରେ ଭଦ୍ରକ କଲେଜରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ପରେ ତାଙ୍କୁ ଶିକ୍ଷକ ଚାକିରି ମିଳିଥିଲେ ହେଁ ସେ ଦେଶସେବା ପାଇଁ ମନା କରିଦେଇଥିଲେ। ପରେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଇଥିଲେ। ଶିକ୍ଷକତା ସହିତ ସେ ସରପଞ୍ଚ, ଆର୍‌ଆଇ, ପୋଷ୍ଟମାଷ୍ଟର ଦାୟିତ୍ୱ ଏକ ସାଙ୍ଗରେ ତୁଲାଉଥିଲେ। ପୂର୍ବରୁ ୩ ବର୍ଷୀୟା ନିର୍ବାଚନରେ କୌଣସି ପ୍ରତିଦ୍ୱନ୍ଦ୍ୱୀ ନ ଥାଇ ସେ ଲଗାତର ୩ଥର ସରପଞ୍ଚ ହୋଇଥିଲେ। ସେହିପରି ଗ୍ରାମାଞ୍ଚଳର କଳହ ସମାଧାନ ପାଇଁ ସେ ଅଦାଲତ ମଞ୍ଚ ସଭାପତି ଦାୟିତ୍ୱ ତୁଲାଉଥିଲେ। ବନ୍ଧୁ ସ୍ବର୍ଗତ ନବୀନ ପଲାଇଙ୍କ ସହିତ ମିଶି ସେ ସ୍ଥାନୀୟ ଅଞ୍ଚଳରେ ୧୯୬୬ରେ ଦଶଭୁଜା ହାଇସ୍କୁଲ ଓ ସିମୁଳିଆ କଲେଜ ସ୍ଥାପନ କରିଥିଲେ। ମହେଶ୍ୱରଙ୍କର ବିଭିନ୍ନ ୪ଟି ପୁସ୍ତକ ପ୍ରକାଶିତ ହେବା ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନ ମିଳିଛି। ମହେଶ୍ୱରଙ୍କ ସ୍ତ୍ରୀ କମଳିନୀ ୪୪ବର୍ଷ ପୂର୍ବେ ଆଖି ବୁଜିଥିଲେ। ତାଙ୍କ ପୁଅ ଅଜୟ କୁମାର ପଣ୍ଡା ସୋର କଲେଜର ଅଧ୍ୟକ୍ଷ ଅଛନ୍ତି। ୩ ପୁଅ, ବୋହୂ, ୪ ଝିଅଙ୍କ ସମେତ ନାତୁଣୀନାତି ଅଛନ୍ତି। ସମାଜ ପାଇଁ ମହେଶ୍ୱରଙ୍କ ପ୍ରଚେଷ୍ଟା ଆଜି ମଧ୍ୟ ଜାରି ରହିଛି।