ଥୁଆମୂଳ ରାମପୁର,୧୧।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଲଗାଣ ବର୍ଷା ସତ୍ତ୍ୱେ ୧୭୪ ଜଣ ହିତାଧିକାରୀ ପଞ୍ଜୀକରଣ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ବର୍ଷା ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଥିଲେ ସୁଦ୍ଧା ବିଶେଷଜ୍ଞ ଡାକ୍ତରମାନେ ନିଷ୍ଠାର ସହ ଟର୍ଚ୍ଚ ଆଲୁଅରେ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିଲେ।
ଶିବିରରେ ଡାକ୍ତର ଅଶ୍ୱିନୀ ସାହୁ (ଅସ୍ଥିଶଲ୍ୟ), ଡାକ୍ତର ଅନନ୍ତ ଚରଣ ମେହେର (ମାନସିକ), ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା (ଇଏନ୍ଟି), ଡାକ୍ତର ନିବେଦିତା ମହାରାଣା (ଚକ୍ଷୁ), ଡାକ୍ତର ସମ୍ବିତ ସ୍ବରୂପ ପଣ୍ଡା (ଫିଜିଓଥେରାପି), ଡାକ୍ତର ରାଜଶ୍ରୀ ପ୍ରିୟଦର୍ଶିନୀ (ପିଆଣ୍ଡଓ) ଏବଂ ସହାୟକ ବୈଷୟିକ ଦଳ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ସରକାରୀ ତଥ୍ୟ ଅନୁସାରେ, ଅସ୍ଥିଶଲ୍ୟ ବିଭାଗରେ ୭୬, ଦୃଷ୍ଟିବାଧିତ ୩୯, ଶ୍ରବଣବାଧିତ ୩୧ ଏବଂ ମାନସିକ ବିଭାଗରେ ୨୮ ଜଣ ହିତାଧିକାରୀ ସାମିଲ ଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଦିଶା କମିଟି ସଦସ୍ୟ ପବିତ୍ର ନାଏକ, ବିଡିଓ ଧ୍ରୁବ ଚରଣ ମୁଦୁଲି, ବି ଏସଏସଓ ସୁନାରାମ ସୋରେନ, ଆର୍ଏଚବିପିସି ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂ ରଞ୍ଜନ ସାହୁ, ଏଡିଇଓ ଚୂଡ଼ାମଣି ରାଉତ, ପିଇଓ ଜୟନ୍ତ ପଟେଲ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
ଶିବିରରେ କ୍ୟାନ୍ସର ଯୋଗୁ ଗୋଟିଏ ଗୋଡ଼ ହରାଇଥିବା କାଠଘରା ଗ୍ରାମର ନରେନ୍ଦ୍ର ମାଝୀ ସରକାରୀ ସହାୟତା ପାଇଁ ଆବେଦନ କରିଥିବା ବେଳେ, ନିଜସ୍ବ ଉଦ୍ୟମରେ ଇଲେକ୍ଟ୍ରିକାଲ କାମ କରି ଦୋକାନ ଚଲାଉଥିବା ଓଡ୍ରୀ ଗ୍ରାମର ଦିବ୍ୟାଙ୍ଗ ହରିଶ ଚନ୍ଦ୍ର ମାଝିଙ୍କୁ ଏକ ଟ୍ରାଇ-ସାଇକେଲ ପ୍ରଦାନ କରାଯାଇଥିଲା। ସରକାରଙ୍କ ପକ୍ଷରୁ ଅଧିକ ବ୍ୟବସାୟିକ ସହାୟତା ମିଳିଲେ ସେ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି ହରିଶ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily

