ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ ଦେଶୀମଦ ଭାଟିକୁ ନନ୍ଦପୁର ପୋଲିସ ଭାଙ୍ଗି ନଷ୍ଟ କରିଛି । ଭାଟିରେ ଥିବା ମଦରନ୍ଧା ଚୁଲିକୁ ଭାଙ୍ଗି ଏକାଧିକ ପ୍ଲାଷ୍ଟିକ ଡ୍ରମରେ ଥିବା ୮୦୦ ଲିଟରରୁ ଉର୍ଦ୍ଧ୍ବ ପୋଚ ଢାଳି ନଷ୍ଟ କରିବା ସହ ସମିତି ସଭ୍ୟ ରମେଶ ବିଶୋଇ (୫୪)ଙ୍କୁ ବିଏନ୍ଏସ ଧାରା ୨୭୪/୨୭୫ ଓ ଆରଡବ୍ଲୁ ସେକ୍ସନ ୫୨(ଏ) ଗିରଫ କରି ଅଦାଲତ ଚାଲାଣ କରିଛି । ଥାନା କେସ ନ ୬୮/୨୦୨୭ ପ୍ରକାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ତ୍ରିନାଥ ଟୋଟାପାଡ଼ିଆ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ଗିରଫ ବିଶୋଇ ଭିମାରିପୁଟ ଗ୍ରାମରେ ଥିବା ତାଙ୍କ ନିଜସ୍ୱ ଘରେ ଦୀର୍ଘଦିନ ହେଲା ଦେଶୀମଦ ଭାଟି ସ୍ଥାପନ କରି ବିକ୍ରି କରୁଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପୋର୍ଟାଲରେ ଗ୍ରାମର ମହିଳାମାନେ ଅଭିଯୋଗ କରିଥିଲେ। ଅଭିଯୋଗ ଟିକେଟ କ୍ରମାଙ୍କ ସିଏମଓ ୨୦୨୬୧୫୯୬୧୯୪ ପ୍ରକାରେ ପଞ୍ଜୀକୃତ ହୋଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ନିମନ୍ତେ ଆସିଥିଲା। ଏସପି ଓ ନନ୍ଦପୁର ଏସଡିପିଓ ଦେବେନ୍ଦ୍ର ମଲ୍ଲିକଙ୍କ ନିର୍ଦ୍ଦେଶ ମୁତାବକ ନନ୍ଦପୁର ଥାନାଧିକାରୀ ଅଭିଯୋଗର ତଦନ୍ତ କରି ଭିମାରିପୁଟ ଗ୍ରାମରେ ସ୍ଥିତ ବିଶୋଇଙ୍କ ଘରେ ଚଢ଼ାଉ କରିଥିଲେ । ଗ୍ରାମବାସୀଙ୍କ ସମ୍ମୁଖରେ ପୋଲିସ ଦଳ ମଦରନ୍ଧା ଭାଟିର ଚୁଲା ଭାଙ୍ଗିବା ସହ ଏକାଧିକ ଡ୍ରମରେ ଥିବା ୮୦୦ ଲିଟର ପୋଚକୁ ଢାଳି ନଷ୍ଟ କରିଥିଲେ।

୭୦ ଲିଟରରୁ ଉର୍ଦ୍ଧ୍ବ ବିକ୍ରି ପାଇଁ ଗଚ୍ଛିତ ରନ୍ଧାମଦ ଜବତ କରିଥିଲେ । ଥାନା କେସ ନ ୬୮/୨୦୨୬ ପ୍ରକାରେ ମାମଲା ରୁଜୁ କରି ରମେଶ ବିଶୋଇଙ୍କୁ ଗିରଫ କରି ରବିବାର ଅଦାଲତ ଚାଲାଣ କରାଯାଇଥିବା ଥାନାଧିକାରୀ ତୋଟାପାଡ଼ିଆ ସୂଚନା ଦେଇଛନ୍ତି । ଚଢ଼ାଉ ଦଳରେ ଥାନାଧିକାରୀଙ୍କ ସମେତ ଏସଆଇ ଜ୍ୟୋତିମୟୀ ଶବର ପୋଲିସ ଓ ଆଇଆରବିଏନ୍ ଯବାନ ସାମିଲ ଥିଲେ।

 

Dharitri – Odisha’s No.1 Odia Daily

Share