ଉପକୂଳ ଅଞ୍ଚଳରେ ବୃଦ୍ଧିପାଉଛି ଦେଶୀ ହାଣ୍ଡିଆ ଭାଟି: ନିଶା ସେବନ କରି ଯୁବପିଢ଼ି…

ମହାକାଳପଡ଼ା,୪ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଛି ଦେଶୀ ହାଣ୍ଡିଆ ଭାଟି। ବିଶେଷ କରି ଏହି ଅଞ୍ଚଳର ଜନଜାତି ମହିଳା ଓ ପୁରୁଷମାନେ ଘରେ ପଖାଳ ଭାତରେ ଏହି ବାଖରା ଗୋଳିକୁ ପକାଇ ଏକ ବଡ ରସ ହାଣ୍ଡିରେ ଦୁଇ ଦିନ ପର୍ଯ୍ୟନ୍ତ ପଚା ଯାଏ । ଦୁଇ ଦିନ ପରେ ହାଣ୍ଡିଆ ଭାଟିରୁ ଦେଶୀ ମଦ ପ୍ରସ୍ତୁତ କରି ବେଲା ପିଛା ୧୦ ରୁ ୨୦ ଟଙ୍କାରେ ବିକ୍ରି କରୁଥିବା କୁହାଯାଉଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ହାଣ୍ଡିଆ ଭାଟିରେ ଚେରମୂଳି ଓ ନିଶା ଟାବ୍‌ଲେଟରେ ମିଶ୍ରିତ (ବାଖରା ଗୋଳି) ହାଣ୍ଡିଆ ପ୍ରସ୍ତୁତ ହେଉଛି। ସେହିପରି ଗୁଡ଼ପୋଚ ରନ୍ଧା ଯାଇ ଏଥିରେ କେତେକ ଟାବ୍‌ଲେଟ ମିଶାଯାଇ ଦେଶୀ ମଦ ପ୍ରସ୍ତୁତ କରାଯାଉଛି। ଫଳରେ ଶ୍ରମିକ ଶ୍ରେଣୀର ଲୋକମାନେ ନିଶା ପାନ କରୁଥିବା ଅଭିଯୋଗ ହେଉଛି। ଏହି ନିଶା ପାନକରି ବୟସ୍କଠାରୁ ଆରମ୍ଭ କରି ଯୁବ ପିଢ଼ିମାନେ କିଡ୍‌ନୀ ହେଉ କି ପେଟ ଯନ୍ତ୍ରଣାରେ ଶିକାର ହେଉଥିବା ନଜିର ରହିଛି। ସେହିଭଳି ଯୁବପିଢି ନିଶା ପାନ କରି ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅକାଳରେ ଜୀବନ ଯାଉଛି। ଅପର ପକ୍ଷରେ ବିଶେଷ କରି ଗରିବ ଖଟିଖିଆ ଓ ଶ୍ରମିକମାନେ ଦୈନିକ ମଜୁରି ଯାହା ପାଉଛନ୍ତି ସେଥିରୁ ଅଧିକାଂଶ ଦେଶୀ ମଦ ହାଣ୍ଡିଆ ଭାଟିରେ ଅର୍ଥ ବାଟମାରଣା ହେଉଛି। ଫଳରେ ଏମାନଙ୍କ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି ହେବା ସହ ପରିବାର ମଧ୍ୟରେ କଳହ ଲାଗୁଛି ଫଳରେ ଘରେ ଚୁଲି ଜଳୁନି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଗୁରୁଭା ହଁାସଦା ।
ବ୍ଲକର ଉପକୂଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବାଘୁଆ ମେଦ, ଶବର ପଡ଼ା, ଜମ୍ବୁ, ପ୍ରଭାକରପୁର, ପାଣିଖିଆ, ସୁନିତି, ଅଠରବାଙ୍କି ଓ ସିଂପଡା ଆଦି ଅଞ୍ଚଳରେ ବହୁଳ ଭାବରେ ଦେଶୀ ମଦ ହାଣ୍ଡିଆ ଓ ଜଳା ପାଉଚ ଖୋଲାଖୋଲି ବିକ୍ରି ହେବା ସହ ରାତି ଅଧିଆ ଜିଲା ତଥା ବାହାରକୁ ଚାଲାଣ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଜିଲା ଅବକାରୀ ବିଭାଗ ବରିଷ୍ଠ ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Dharitri – Odisha’s No.1 Odia Daily

Share