ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସେ ପରେଡ୍ର ଅଭିବାଦନ ଗ୍ରହଣ କରିଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ ଜନସାଧାରଣଙ୍କୁ ସମ୍ବୋଧିତ କରି ସ୍ୱାଧୀନତା ସଂଗ୍ରାମୀ ଓ ମହାପୁରୁଷମାନଙ୍କ ଅବଦାନକୁ ସ୍ମରଣ କରିଥିଲେ। ଦେଶ ସ୍ୱାଧୀନତା ଲାଭ କରିବା ପରେ ଦୀର୍ଘ ୭୯ ବର୍ଷ ମଧ୍ୟରେ ଭାରତ ବିଜ୍ଞାନ, ପ୍ରଯୁକ୍ତି ଓ ବିକାଶ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି ବୋଲି ସେ କହିଥିଲେ। ଦେଶର ବିକାଶରେ ଓଡ଼ିଶା ସହ କଳାହାଣ୍ଡି ଲା ମଧ୍ୟ ନିଜର ଅବଦାନ ରଖୁଛି ବୋଲି ସେ ମତବ୍ୟକ୍ତ କରିଥିଲେ।
କଳାହାଣ୍ଡିର ପୂର୍ବ ଚିତ୍ର ଓ ବର୍ତ୍ତମାନର ଚିତ୍ର ମଧ୍ୟରେ ବହୁ ପରିବର୍ତ୍ତନ ଘଟିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ କଳାହାଣ୍ଡି ଉଲ୍ଲେଖନୀୟ ପ୍ରଗତି କରି ରାଜ୍ୟ ତଥା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ି ତୋଳିଛି। ଜିଲାର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ ପଦକ୍ଷେପ ନିଆଯାଉଥିବା ସେ ଉଲ୍ଲେଖ କରିଥିଲେ।
ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଆୟୋଜିତ ପରେଡ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କ ମନ ମୋହିଥିଲା। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ର, ବିଶିଷ୍ଟ ନାଗରିକ ଓ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସମେତ ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଏସ୍ପି ନାଗରାଜ ଦେବରକୋଣ୍ଡାଙ୍କ ସମେତ ବହୁ ଅଧିକାରୀ, ଜନପ୍ରତିନିଧି ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।