ନୂଆବର୍ଷରେ ରୁପା ପରଭା, ଛତରରେ ସଜ୍ଜିତ ହେଲେ ମା’ ସମଲେଶ୍ୱରୀ

ସମ୍ବଲପୁର,୧ା୧(ବି.ଶଙ୍କର): ନୂଆବର୍ଷକୁ ଦୃଷ୍ଟିରେ ରଖି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମା’ଙ୍କ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୫ଟାରେ ମଙ୍ଗଳ ଆଳତି ଶେଷ ପରେ ସକାଳ ୬ଟାରେ ଭକ୍ତମାନଙ୍କ ଦର୍ଶନ ସକାଶେ ମୁଖ୍ୟଦ୍ୱାର ଖୋଲା ଯାଇଥିଲା। ସେହିପରି ନବବର୍ଷରେ ମା’ଙ୍କୁ ରୁପାରେ ନିର୍ମିତ ପରଭା ଓ ଛତରରେ ସଜ୍ଜିତ କରାଯାଇଛି। ଶ୍ରଦ୍ଧାଳୁ ଧାଡିରେ ଆସି ମା’ଙ୍କ ଦର୍ଶନ କରି ୨୦୨୪ ସୁଖ, ସମୃଦ୍ଧିର ବର୍ଷ ହେଉ ବୋଲି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ପୂର୍ବାହ୍ନ ୧୧ଟା୪୫ରୁ ଅପରାହ୍ନ ୧୨ଟା୧୫ ପର୍ଯ୍ୟନ୍ତ ଦେବୀଙ୍କ ଠାରେ ଅନ୍ନଭୋଗ ନୀତି କରାଯାଇଥିଲା। ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ଅନ୍ନଭୋଗ ନୀତି ହେବା ପରେ ପୁଣି ଭକ୍ତମାନେ ମା’ଙ୍କ ଦର୍ଶନ କରିଥିଲେ।

ଏପରିକି ସନ୍ଧ୍ୟା ୭ଟା ୪୫ ରୁ ୮ଟା୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି ପାଇଁ ଦର୍ଶନ ବନ୍ଦ ରହିବ। ଆଳତି ପରେ ପୁଣି ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି। ରାତ୍ର ୯ଟା ରୁ ୯ଟା ୨୦ଟା ପର୍ଯ୍ୟନ୍ତ ରାତ୍ର ଅନ୍ନ ଭୋଗ ପାଇଁ ଦର୍ଶନ ବନ୍ଦ ରହିବ। ରାତ୍ର ୧୦ଟାରେ ମା’ ସମଲେଶ୍ୱରୀଙ୍କ ପହଡ଼ ନୀତି ହେବ ବୋଲି ସଭାପତି ସଞ୍ଜୟ କୁମାର ବାବୁ କହିଛନ୍ତି।