୯ ଜିଲାକୁ ଘନ କୁହୁଡ଼ି ସତର୍କତା

ଭୁବନେଶ୍ୱର, ୧୬।୧(ବ୍ୟୁରୋ):ରାଜ୍ୟରେ ଏବେ ଶୀତ କମିଥିଲେ ମଧ୍ୟ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଥିଲା। ଆସନ୍ତା ଦୁଇଦିନ ଏପରି କୁହୁଡ଼ି ଅନୁଭୂତ ହେବ। ତେବେ ସୋମବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୯ଟି ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ। ଏସବୁ ଜିଲାକୁ ସତର୍କ ରହିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଏହାଛଡ଼ା ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ ଓ କନ୍ଧମାଳର କିଛି ସ୍ଥାନରେ ସ୍ବଳ୍ପ କୁହୁଡ଼ି ଦେଖାଯିବ। ସେହିପରି ମଙ୍ଗଳବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଗଜପତି, ଗଞ୍ଜାମର କିଛି ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
ଅପରପକ୍ଷେ ପାରଦ ଧୀରେ ଧୀରେ ଉପରକୁ ଉଠିବାରେ ଲାଗିଛି। ରବିବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଅନ୍ୟ ସ୍ଥାନରେ ୧୧ଡିଗ୍ରୀ ଉପରେ ରହିଥିଲା। ଆସନ୍ତା ୪-୫ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଏପରିସ୍ଥିତିରେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।