ଭୁବନେଶ୍ୱର, ୩ା୭ (ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ସଙ୍କଟ ଟଳି ନ ଥିବାବେଳେ ଡେଙ୍ଗୁ ଆତଙ୍କ ଦେଖିବାକୁ ମିଳିଛି। ବର୍ଷା ଆରମ୍ଭରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବିଭିନ୍ନ ଓ୍ବାର୍ଡରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଚନ୍ଦ୍ରଶେଖରପୁର ଓ ନୀଳାଦ୍ରିବିହାର ଅଞ୍ଚଳରେ ୧୨ଜଣ ରୋଗୀ ଚିହ୍ନଟ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସୂଚନା ଦିଅଯାଇଥିବାବେଳେ ସହରରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେସରକାରୀ ସୂତ୍ରରୁ ଜଣାପଡିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଘରୋଇ ହସ୍ପିଟାଲ ଓ ଘରେ ରହି ଚିକିତ୍ସିତ ହେଉଛନ୍ତି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍ସି ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ବିଏମସିର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ୱରର ନର୍ଥ ଜୋନ୍ ପରିଦର୍ଶନ କରି ଲୋକଙ୍କୁ ସଚେତନ କରାଇଛି। ବିଏମ୍ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତର୍ଯ୍ୟାମୀ ମିଶ୍ର, ସିଟି ହେଲ୍ଥ ଅଫିସର ଡ. ବସନ୍ତ କୁମାର ମିଶ୍ର, ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ, ଓ୍ବାର୍ଡ ଅଫିସର, ମେଡିକାଲ ଟିମ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳକୁ ଯାଇ ପରିମଳ ବ୍ୟବସ୍ଥା ତଦାରଖ କରିଛନ୍ତି। ବର୍ଷା ଦିନ ଚାଲିଥିବାରୁ ଜମା ହୋଇରହିଥିବା ଅଳିଆରେ ଏଡ଼ିସ୍ ମଶା ବଂଶ ବୃଦ୍ଧି କରିବା ସହ ଡ଼େଙ୍ଗୁ ରୋଗର ବାହାକ ହୋଇପାରେ। ଏଣୁ ନିଜ ସ୍ତରରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ବିଏମ୍ସି ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ସେହିପରି ସହରରେ ଜମା ହୋଇ ରହୁଥିବା ପାଣି ଓ ଅଳିଆ ଆବର୍ଜନାର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।


