ପିଣ୍ଡି ହଟାଇବା ଦାବିରେ ତହସିଲ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୧୫।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ହରିରାଜପୁର ମୌଜାରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ଏକ ଗୋଚର ଜମିରେ ଥିବା ପିଣ୍ଡି ହଟାଇବାକୁ ଉପଜିଲାପାଳ ଆଦେଶ ଦେଇଥିଲେ। ତେବେ ତହସିଲ ପକ୍ଷରୁ ଏହାକୁ ହଟାଯାଇ ନ ଥିଲା। ଏହାର ପ୍ରତିବାଦରେ ବୁଧବାର ସମ୍ପୃକ୍ତ ପରିବାର ସଦସ୍ୟମାନେ ତହସିଲ ସମ୍ମୁଖରେ ଧାରଣା ଦେଇଛନ୍ତି।

ସୂଚନାନୁଯାୟୀ, ହରିରାଜପୁର ଗ୍ରାମର ଦିଲୀପ କୁମାର ମଲ୍ଲିକ ନିଜ ପୁଅ କାନୁ ମଲ୍ଲିକ ନାମରେ ମିଳିଥିବା ପ୍ରଧାନ ମନ୍ତ୍ରୀ ଆବାସ ଘର କରି ପରିବାର ସହ ରହୁଥିଲେ । ଗ୍ରାମର କିଛି ଲୋକେ ତାଙ୍କ ଘର ସମ୍ମୁଖରେ ଥିବା ଗୋଚର କିସମ ଜମିରେ ଏକ ପିଣ୍ଡି କରିଥିଲେ । ଏ ନେଇ ଦିଲୀପଙ୍କ ପରିବାର ପକ୍ଷରୁ ଆରଡିସି, ଜିଲାପାଳ, ଉପଜିଲାପାଳ ଓ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଉପଜିଲାପାଳ ଆଇନ୍‌ ଅନୁଯାୟୀ କଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଥିଲେ। ତହସିଲ ପକ୍ଷରୁ ସମ୍ପୃକ୍ତ ସ୍ଥାନରୁ ଜବର ଦଖଲ ପିଣ୍ଡି ହଟାଇବାକୁ ସର୍ବସାଧାରଣ ନୋଟିସ ହୋଇଥିଲା । କିନ୍ତୁ ଏପଯ୍ୟନ୍ତ ଅବରୋଧ ନ ହଟିବାରୁ ବୁଧବାର ଦିଲୀପ ନିଜ ପରିବାର ସଦସ୍ୟଙ୍କ ସହ ଧାରଣା ଦେଇଛନ୍ତି ।