ବିମୁଦ୍ରୀକରଣ: ବିରୋଧୀ ଦାୟୀ

ଭାରତରେ ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିମୁଦ୍ରୀକରଣ ନିଷ୍ପତ୍ତି ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ୨ ଜାନୁୟାରୀ ୨୦୨୩ରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ସେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ୧୦୦୦ ଏବଂ ୫୦୦ ଟଙ୍କିଆ ଦୁଇଟି କାଗଜଟଙ୍କାକୁ ଅଚଳ କରିଦେଇଥିଲେ। ଏଥିଲାଗି ଦେଶର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ପାର୍ଲାମେଣ୍ଟକୁ ଜଣାଇ ଦିଆଯାଇ ନ ଥିଲା। ହଠାତ୍‌ ଏକ ଗେଜେଟ୍‌ ବିଜ୍ଞପ୍ତି ଜରିଆରେ ବୈଧ ନୋଟ୍‌କୁ ଅକାମୀ କରିଦିଆଯିବା ପରେ ସେତେବେଳେ ଦେଶବ୍ୟାପୀ ଚହଳ ପଡ଼ିଯାଇଥିଲା। ଟଙ୍କା ବଦଳାଇବାକୁ ଯାଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଛୋଟବଡ଼ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା, ଯାହାକି ଆଜି ପର୍ଯ୍ୟନ୍ତ ଶଟର ଖୋଲିପାରୁ ନାହାନ୍ତି। ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ବିନା ଦୋଷରେ ପ୍ରବଳ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ ସେମାନଙ୍କ ଟଙ୍କା ବଦଳାଇପାରି ନ ଥିବାରୁ ବିଭାଘର, ବ୍ରତଘର ଭଳି ସାମାଜିକ କାର୍ଯ୍ୟରେ ଘୋର ବାଧା ସୃଷ୍ଟି ହୋଇଥିଲା। ସର୍ବୋଚ୍ଚରେ ପଡ଼ୋଶୀ ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା ଭଳି ଦେଶରେ ସେହି ୫୦୦ ଓ ୧୦୦୦ ଟଙ୍କିଆ ଭାରତୀୟ କାଗଜ ନୋଟ୍‌କୁ ସ୍ବୀକାର କରିବା ବନ୍ଦ ହୋଇଗଲା, ଯାହାକି ଆଜି ପର୍ଯ୍ୟନ୍ତ ପୁନଃଆରମ୍ଭ ହୋଇପାରି ନାହିଁ। ମୋଟାମୋଟି ଭାରତୀୟ କାଗଜ ଟଙ୍କା ତା’ର ଦୀର୍ଘଦିନର ବିଶ୍ୱସନୀୟତା ହରାଇବସିଲା। ତେବେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଇ ସୁପ୍ରିମକୋର୍ଟରେ ୫୮ଟି ପିଟିଶନ ଦାଏର କରାଯାଇଥିଲା। ଏବେ ସେହି ସଂକ୍ରାନ୍ତ ରାୟ ପ୍ରକାଶ ପାଇଥିବାରୁ ବିମୁଦ୍ରୀକରଣ ଓ ତା’ ପରବର୍ତ୍ତୀ ସ୍ଥିତିକୁ ଅବଲୋକନ କରିବାର ଅବକାଶ ସୃଷ୍ଟି ହୋଇଛି।
ସର୍ବୋଚ୍ଚ ଅଦାଲତର ୫ ଜଣିଆ ପୀଠରେ ଜଷ୍ଟିସ୍‌ ଏସ୍‌. ଅବଦୁଲ ନାଜିର, ବି.ଆର୍‌. ଗଭାଇ, ଏ.ଏସ୍‌. ବୋପାନ୍ନା, ଭି. ରାମସୁବ୍ରମଣ୍ୟନ୍‌ ବିମୁଦ୍ରୀକରଣ ସପକ୍ଷରେ ରାୟ ଦେଇଥିବା ବେଳେ ଏକମାତ୍ର ମହିଳା ଜଜ୍‌ ବି.ଭି. ନାଗରତ୍ନା ସରକାରଙ୍କ ତ୍ରୁଟି ବିଷୟ ଦର୍ଶାଇ ମତ ରଖିଛନ୍ତି। ନାଗରତ୍ନା ଯୁକ୍ତି ଦର୍ଶାଇଛନ୍ତି ଯେ, ବିମୁଦ୍ରୀକରଣ ଲାଗି ସଂସଦର ସମ୍ମତି ନ ଥିଲା ବେଳେ ଗେଜେଟ ବିଜ୍ଞପ୍ତି ବଳରେ ସରକାର ଯେଉଁ ତରବରିଆ ନିଷ୍ପତ୍ତି ନେଇଥିଲେ ତାହା ବେଆଇନ ଥିଲା। ୫ ଜଣିଆ ପୀଠରେ ତାଙ୍କ ମତକୁ ସଂଖ୍ୟାଲଘୁ ଆଖ୍ୟା ଦିଆଯାଇପାରେ। କିନ୍ତୁ ଅନ୍ୟ ୪ ବିଚାରପତିଙ୍କ ସଂଖ୍ୟାଗରିଷ୍ଠ ମତ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଗ୍ରହଣଯୋଗ୍ୟ ହେଉଥିଲେ ମଧ୍ୟ ଦେଶ ହିତ ବିରୋଧୀ ବୋଲି ଅନେକେ କହିବା ଆରମ୍ଭ କଲେଣି। କାରଣ ବିମୁଦ୍ରୀକରଣ ବେଳର ଯନ୍ତ୍ରଣା ଅନୁଭବ କରିଥିବା ଦେଶବାସୀ କଦାପି ସେହି ସମୟକୁ ଭୁଲିପାରିବେ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅନ୍ୟ କୌଣସି ଦେଶରେ ଜଣେ ବ୍ୟକ୍ତି, ଯେତେ ଶକ୍ତିଶାଳୀ ହୁଅନ୍ତୁ ପଛେ, ଏକାକୀ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ନିଷ୍ପତ୍ତି ନିଅନ୍ତି ନାହିଁ। କିନ୍ତୁ ସେତେବେଳେ ଏହାକୁ ଧନୀ ବିରୋଧୀ ଏବଂ ଗରିବ ସପକ୍ଷବାଦୀ ଧ୍ୱନି ଦେଇ ଦେଶବାସୀଙ୍କୁ ଭାଲୁ ଧରାଇ ଦିଆଗଲା। ନିଃସନ୍ଦେହରେ କହିହେବ ଯେ, ଭାଜପା ଏହି ଗୋଟିଏ ପଦକ୍ଷେପ ଯୋଗୁ ଉତ୍ତରପ୍ରଦେଶ ନିର୍ବାଚନ ଜିଣିପାରିଥିଲା।
ଭାରତୀୟ ଅର୍ଥନୀତି ନଗଦ ଉପରେ ପର୍ଯ୍ୟବସିତ ହୋଇଥିବାରୁ ଛୋଟିଆ ବେପାରୀଙ୍କଠାରୁ ଆରମ୍ଭକରି ମଧ୍ୟମଧରଣର ଶିଳ୍ପ ସଂସ୍ଥା ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ଲାଗି ୧୦୦୦ ଓ ୫୦୦ ଟଙ୍କିଆ ବଡ଼ ନୋଟ୍‌କୁ ନିଜ ପାଖରେ ସାଇତି ରଖିଥିଲେ। କେନ୍ଦ୍ର ସରକାରଙ୍କ ଅଚାନକ ନିଷ୍ପତ୍ତି ଯୋଗୁ ନିର୍ଦ୍ଧାରିତ ସମୟରେ ସେମାନେ ସବୁତକ ଟଙ୍କାକୁ ବଦଳାଇବାରେ ସକ୍ଷମ ନ ହେବାରୁ ବଡ଼ କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହା ଜଣାଶୁଣା ଯେ, ଦେଶର ନିଯୁକ୍ତି ବଜାର ଚାହିଦାକୁ ସରକାରୀ ସଂସ୍ଥା ଓ ବୃହତ୍‌ କର୍ପୋରେଟ୍‌ ହାଉସ୍‌ ମେଣ୍ଟାଇପାରି ନ ଥାନ୍ତି। ତେଣୁ କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟିକ ପ୍ରତିଷ୍ଠାନରେ ବହୁ ଲୋକ ନିଯୁକ୍ତି ପାଇ ନିଜ ପରିବାର ସହ ଦେଶର ଅର୍ଥନୀତିକୁ ସମୃଦ୍ଧ କରିଥାଆନ୍ତି। ବିମୁଦ୍ରୀକରଣ ମାଡ଼ ଏହିସବୁ ସଂସ୍ଥା ଉପରେ ପଡ଼ିବାରୁ ସେମାନେ ଉଧେଇ ପାରୁନାହାନ୍ତି। ଆଜି ମଧ୍ୟ ତାହାର କୁପ୍ରଭାବ ନିଯୁକ୍ତି ସୁଯୋଗ ଅଭାବରେ ପ୍ରତିଫଳିତ ହେଉଛି। ଯାହା ହେଉଛି ତାହା ହୋଇଚାଲୁ। କାରଣ ସୁପ୍ରିମକୋର୍ଟଙ୍କ ଅବାଞ୍ଛିତ ରାୟକୁ କୌଣସି ଭାବେ ସମାଲୋଚନା କଲେ ତାହା ନ୍ୟାୟ ବ୍ୟବସ୍ଥାର ମାନ ହ୍ରାସ କରିଦେବାର ଆଶଙ୍କା ରହିଛି। ଦେଶବାସୀ କେବଳ ସରକାରଙ୍କୁ ଡରୁନାହାନ୍ତି, ନ୍ୟାୟାଳୟର କଣ୍ଟେମ୍ପଟ୍‌କୁ ଯଥେଷ୍ଟ ପରିମାଣରେ ଭୟ କରୁଛନ୍ତି।
କଳାଧନ ନିୟନ୍ତ୍ରଣ, ନକଲି ମୁଦ୍ରା ପ୍ରସାରଣ ଉପରେ ରୋକୋ ଲାଗିବା ଏବଂ ଆତଙ୍କବାଦୀଙ୍କୁ ବେଆଇନ ଭାବେ ହେଉଥିବା ପାଣ୍ଠି ଯୋଗାଣ ବନ୍ଦ ହୋଇଯିବା ଲକ୍ଷ୍ୟ ରଖି ସରକାର ବିମୁଦ୍ରୀକରଣ ଆଣିଲେ ବୋଲି କହିଥିଲେ। ହେଲେ ଏହାର ୬ ବର୍ଷ ପରେ ମଧ୍ୟ ଉପରଲିଖିତ ଘଟଣାରେ ପରିବର୍ତ୍ତନ ଆସିପାରି ନାହିଁ। ୨ ଜାନୁୟାରୀରେ ଜମ୍ମୁ ଓ କଶ୍ମୀରରେ ଉଗ୍ରପନ୍ଥୀଙ୍କ ଦ୍ୱାରା ବୋମା ଫୁଟାଯାଇ ପ୍ରାୟ ୪ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏବେ ଆଉ ଏକ ବିଷୟ ଜନସାଧାରଣ ଅନୁଭବ କରିପାରୁଥିବେ। ୧୦୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ପୁରୁଣା ନୋଟ୍‌ ବଦଳରେ ସେତେବେଳେ ୨,୦୦୦ ଓ ୫୦୦ ଟଙ୍କିଆ ନୂଆ କାଗଜ ଟଙ୍କା ବଜାରକୁ ଆସିଥିଲା। ହେଲେ ଲୋକେ ବଜାରରେ ଏବେ ଗୋଲାପି ରଙ୍ଗର ସେହି ୨,୦୦୦ ଟଙ୍କିଆ ନୋଟ୍‌ ଦେଖିବାରୁ ବଞ୍ଚତ୍ତ ହେଉଛନ୍ତି। ଗ୍ରାହକ ବ୍ୟାଙ୍କରେ ସେହି ଟଙ୍କା ଖୋଜୁଥିଲା ବେଳେ ଉତ୍ତର ମିଳୁଛି ଯୋଗାଣ ବନ୍ଦ ହୋଇଛି। ତେବେ ସେତେବେଳେ ଯେତେ ପରିମାଣରେ ୨,୦୦୦ ଟଙ୍କିଆ ଆସିଥିଲା ତାହା କେଉଁଠି ଛପି ରହିଛି ସରକାରଙ୍କୁ ଭଲ ଭାବେ ଜଣାଥିବ। ଗୋଟେ ପଟେ କଳାଧନ ସୃଷ୍ଟି କରିବା ଲାଗି ସରକାର ସୁଯୋଗ ଦେଉଥିବା ବେଳେ ଅନ୍ୟପଟେ ସ୍ବଚ୍ଛ ଅର୍ଥନୈତିକ ବ୍ୟବସ୍ଥା ବିଷୟରେ ବଡ଼ ଭାଷଣ ଦିଆଯାଉଛି। ସରକାରଙ୍କ ଉଦ୍ୟମକୁ କେହି ଖୁଣିଲେ ସିବିଆଇ, ଇଡି, ଆୟକର ଭଳି କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ହାତଧୋଇ ପଛରେ ପଡ଼ିଯିବେ। ସେଥିପାଇଁ ଏଠାରେ ଆମେ ସରକାର ବିରୋଧରେ କହୁନାହୁଁ। ସମସ୍ତେ ହୃଦ୍‌ବୋଧ କରୁଛନ୍ତି ଯେ, ବିମୁଦ୍ରୀକରଣ ଦ୍ୱାରା ଘଟିଥିବା ଅପୂରଣୀୟ କ୍ଷତି ଯୋଗୁ ଆଜି ଦେଶ ଯେଭଳି ଭାବେ ପଛରେ ପଡ଼ିଯାଇଛି, ସେଥିପାଇଁ ପାକିସ୍ତାନ ସରକାର ଓ ଭାରତରେ ଅଣଭାଜପା ଦଳଗୁଡ଼ିକ କେବଳମାତ୍ର ଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri