ଉଚ୍ଛେଦ, ଥଇଥାନକୁ ବିରୋଧ ଜାରି

ଭୁବନେଶ୍ୱର,୨୩।୧(ବ୍ୟୁରୋ): ସ୍ଲମ୍‌ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ପାଇଁ ଗାଡ଼କଣ ମହାବୀର ବସ୍ତି ଉଚ୍ଛେଦ କରାଯାଉଛି। ଏଠାରେ ଥିବା ୧୦୪ ପରିବାରଙ୍କୁ ସ୍ଥାନୀୟ ମହିମାନଗର ବସ୍ତିରେ ଥଇଥାନ ବେଳେ ଗ୍ରାମବାସୀ ଓ ଏନ୍‌ଫୋର୍ସମେଣ୍ଟ ଟିମ୍‌ ୨ଦିନ ଧରି ମୁହାଁମୁହଁି ହେବା ପରେ ଏହି କାର୍ଯ୍ୟକୁ ବନ୍ଦ କରାଯାଇଛି। ଗାଡ଼କଣବାସୀ ବିରୋଧ ଜାରି ରଖିଥିବାବେଳେ ସରକାରୀ ଜାଗାରେ ଥିବା ଲୋକେ ୩ଦିନ ଭିତରେ ଘର ଖାଲି କରିବାକୁ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ମାଇକ ଯୋଗେ ସୂଚନା ଦିଆଯାଇଛି। ଶୁକ୍ରବାର ତୃତୀୟ ଦିନରେ ମଞ୍ଚେଶ୍ୱର ଥାନା ପୋଲିସ, ବିଏମ୍‌ସି ଓ ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ମହିମା ବସ୍ତି ଉଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ଯେ, ଗାଡ଼କଣ ଗ୍ରାମର ଚତୁଃପାର୍ଶ୍ୱରେ କେତେଜଣ ଜମି ମାଫିଆ ଓ ଅସାଧୁ ବ୍ୟକ୍ତିଙ୍କ ସହାୟତାରେ ୨୦ରୁ ଊର୍ଦ୍ଧ୍ୱ ବସ୍ତି ସ୍ଥାପନ ହୋଇଛି। ବର୍ତ୍ତମାନ ଗାଡ଼କଣ ଗ୍ରାମର ପ୍ରାୟ ୨୦୦ ବର୍ଷର ସ୍ଥାୟୀ ବାସିନ୍ଦାଙ୍କ ଜମି ଓ ବଗିଚାକୁ ଲଗାଇ ଭଙ୍ଗାରୁଜା କାର୍ଯ୍ୟ ୨ଦିନ ହେବ ଚାଲିଛି। ଗ୍ରାମକୁ ବସ୍ତି ଦ୍ୱାରା ଘେରାବନ୍ଦୀ କରାଯାଉଛି। ଆଗକୁ ଅପରାଧୀଙ୍କ ସଂଖ୍ୟା ବଢିବା ସହ ଶାନ୍ତି ବାତାବରଣ ନଷ୍ଟ ହେବ। ଗାଡ଼କଣରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। କିନ୍ତୁ ସୈନିକ ସ୍କୁଲ ପାଚେରି ପାର୍ଶ୍ୱରେ ଡମ୍ପିଂୟାର୍ଡ, କଂସେଇଖାନା, ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟଠାରୁ ଆରମ୍ଭ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବିଷାକ୍ତ ନଳା ପାଣି ଛାଡି ଚାଷ ଜମି ନଷ୍ଟ ହେଉଛି। ଏପରି ଅବସ୍ଥାରେ ବିଏମ୍‌ସି, ବିଡିଏ ଓ ପୋଲିସ ମିଶି ପ୍ରତିଦିନ ଆତଙ୍କରାଜ ଚଳାଇଛନ୍ତି। ତେଣୁ ଏହାର ସ୍ଥାୟୀ ସମାଧାନ ନ କରି ବସ୍ତି ଉଚ୍ଛେଦ କରାଗଲେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେ ନେଇ ପ୍ରଶାସନ ଦାୟୀ ରହିବେ ବୋଲି ଗ୍ରାମବାସୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଏ ନେଇ ବିଡିଏ ଏନଫୋର୍ସ ଅଧିକାରୀ ପ୍ରମୋଦ କୁମାର ପାତ୍ର କହିଛନ୍ତି, କାହାର ବ୍ୟକ୍ତିଗତ ସ୍ଥାନକୁ ଏନ୍‌ଫୋର୍ସମେଣ୍ଟ ଟିମ ଅଧିକୃତ କରୁନାହାନ୍ତି। ସରକାରୀ ଜାଗାକୁ ବଳପୂର୍ବକୁ ଅଧିକାର କରିଥିବା ବ୍ୟକ୍ତିବିଶେଷଙ୍କ ଜମିକୁ ଉଚ୍ଛେଦ କରାଯାଉଛି। ବସ୍ତି ଥଇଥାନ ନେଇ ସରକାରୀ ପ୍ରକଳ୍ପ ପାଇଁ ବସ୍ତିବାସୀଙ୍କୁ ଜରୁରିକାଳୀନ ଥଇଥାନ କରାଯାଉଛି। ଆଇନକୁ ହାତକୁ ନେଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।