
ଯେଉଁଠାରେ ରାଷ୍ଟ୍ର ବା ରାଜ୍ୟର ଶାସନ ଅଳ୍ପ ବ୍ୟକ୍ତିଙ୍କ ହାତରେ ନ୍ୟସ୍ତ ଥାଏ ଏବଂ ସେମାନେ ଶାସନ ପରିଚାଳନା କରିଥାଆନ୍ତି, ତାହାକୁ ଆଭିଜାତତନ୍ତ୍ର କୁହାଯାଏ । ଶାସନ କ୍ଷମତା ବହୁ ସଂଖ୍ୟକ ବ୍ୟକ୍ତିଙ୍କ ହାତରେ ରହିଲେ ତାହାକୁ ଜନତନ୍ତ୍ର କୁହାଯାଏ। ରାଜତନ୍ତ୍ର, ଜନତନ୍ତ୍ର ଓ ଆଭିଜାତତନ୍ତ୍ର ହେଉଛି ସରକାରଙ୍କ ସ୍ବାଭାବିକ ରୂପ। ଏଗୁଡ଼ିକ ରାଷ୍ଟ୍ରର ମଙ୍ଗଳ ସାଧନ ପାଇଁ ଉଦ୍ଦିଷ୍ଟ ଓ ଏହା ସୁଶାସନ ପ୍ରତିଷ୍ଠା କରିଥାଏ। ଏଗୁଡ଼ିକ ଯେତେବେଳେ ଆଦର୍ଶଭ୍ରଷ୍ଟ ହୋଇ ବିକୃତ ରୂପ ଧାରଣ କରେ ସେତେବେଳେ ଏହା ସର୍ବସାଧାରଣଙ୍କ ମଙ୍ଗଳସାଧନ ନ କରି ଶାସକ ଗୋଷ୍ଠୀର ସ୍ବାର୍ଥସାଧନରେ ବ୍ରତୀ ହୁଏ। ଆଭିଜାତତନ୍ତ୍ରର ଆଦର୍ଶ ଭ୍ରଷ୍ଟ ହେଲେ ତାହା ଗୋଷ୍ଠୀତନ୍ତ୍ରରେ ପରିଣତ ହୁଏ। ଏହି ଶାସନ ବ୍ୟବସ୍ଥାରେ ଶାସକ ଗୋଷ୍ଠୀ ନିଜର ସ୍ବାର୍ଥସାଧନ ପାଇଁ ଶାସନକାର୍ଯ୍ୟ ପରିଚାଳନା କରିଥାଆନ୍ତି। ଆରିଷ୍ଟଟଲଙ୍କ ମତରେ ଜନତନ୍ତ୍ର ବିକୃତ ରୂପଧାରଣ କଲେ ଗଣତନ୍ତ୍ର ସୃଷ୍ଟି ହୋଇଥାଏ। ଏଥିରେ ବହୁବ୍ୟକ୍ତି ଶାସନରେ ଥିଲେ ମଧ୍ୟ ସେମାନେ ନିଜ ସ୍ବାର୍ଥ ପାଇଁ କ୍ଷମତା ପ୍ରୟୋଗ କରିଥାଆନ୍ତି। ପୁଣି ଆରିଷ୍ଟଟଲ କହିଛନ୍ତି, କୌଣସି ଶାସନ ବ୍ୟବସ୍ଥା ସ୍ଥାୟୀ ନୁହେଁ। ଏହା ପରିବର୍ତ୍ତନଶୀଳ।
ଆମେ ଏବେ ଦେଖିବା ଭାରତୀୟ ରାଜନୀତିର ବହୁରୂପୀ ଆଭିମୁଖ୍ୟ କଥା। ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ବିଜୟ ହାସଲ କରି କ୍ଷମତାସୀନ ହେଉଛନ୍ତି। କିନ୍ତୁ ଗଣତାନ୍ତ୍ରିକ ଶାସନ ଓ ବ୍ୟବସ୍ଥା ପରିବର୍ତ୍ତେ ନିଜକୁ, ନିଜ ଦଳକୁ ସୁହାଇଲା ଭଳି ଶାସନ ତଥା ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସରକାର ଆସିଛନ୍ତି। କିନ୍ତୁ ଦେଖାଯାଇଛି ପ୍ରତି ସରକାରଙ୍କର ଶାସନ ପରିଚାଳନା ଢାଞ୍ଚା ଭିନ୍ନ ଭିନ୍ନ। ସେମାନେ ଶାସନ ପରିବର୍ତ୍ତନ ଆଳରେ ସମାଜ ସହ ତାଳ ଦେଇ ଗତି କରିଛନ୍ତି। କିନ୍ତୁ ଦେଖାଯାଇଛି ସାମାଜିକ ମଙ୍ଗଳ ବା ରାଷ୍ଟ୍ରୀୟ ପ୍ରଗତି ଆଳରେ ସନ୍ତୁଷ୍ଟୀକରଣ ନୀତିକୁ ଆପଣେଇ ନେଇଛନ୍ତି; ଯାହାଫଳରେ ମନୁଷ୍ୟକୁ ସାମାଜିକ ପରିବର୍ତ୍ତନର ଶକ୍ତି ବା ଆୟୁଧ ସହ ପରିଚିତି କରାଇ ପାରିନାହାନ୍ତି। ଆଧୁନିକ ଯୁଗର ପ୍ରସିଦ୍ଧ ରାଜନୀତି ବିଜ୍ଞାନୀ ଅଧ୍ୟାପକ ହାରଲ୍ଡ ଡି, ଲାସ୍ େଓଲଙ୍କ ମତରେ ମନୁଷ୍ୟର ଚରିତ୍ର, ବ୍ୟବହାର, ଆଚରଣ ମନୋବୃତ୍ତି ଅନୁଶୀଳନ ପରେ ଯେଉଁ ତତ୍ତ୍ୱ ନିର୍ଦ୍ଧାରୀତ ହେଉଛି, ତାହା ସମାଜ ତଥା ରାଜନୀତିକ ଜୀବନକୁ ପରିବର୍ତ୍ତନଶୀଳ ଓ ଗତିଶୀଳ କରିବାରେ ସାହାଯ୍ୟ କରିଥାଏ। କେତେକେ କୁହନ୍ତି, ବିବର୍ତ୍ତନ ଧାରାରେ ଗଣତନ୍ତ୍ର ହେଉ କିମ୍ବା ରାଜତନ୍ତ୍ର , ତାହା ପରିବର୍ତ୍ତନ ହେବାକୁ ବାଧ୍ୟ ହୋଇଥାଏ। ସେଥିପାଇଁ ଗଣତନ୍ତ୍ରପ୍ରେମୀ ଜନତାଙ୍କ ପ୍ରଶ୍ନ ଉଠେ, ଭାରତୀୟ ରାଜନୀତିର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତି ଆଡ଼କୁ ନା ଜନତନ୍ତ୍ର ଆଡ଼କୁ ନା ଆଭିଜାତତନ୍ତ୍ର ଆଡ଼କୁ ନା ସମାଜବାଦ ଆଡ଼କୁ? କିନ୍ତୁ କୌଣସି ରାଜନୀତିଜ୍ଞ କହି ପାରି ନାହାନ୍ତି କେଉଁ ସରକାରଙ୍କ ଆଭିମୁଖ୍ୟ କେଉଁ ଆଡ଼କୁ। ଯେଉଁମାନେ କହିଛନ୍ତି ତାହା କେବଳ ଅନ୍ଧାରୁଆ ବାଡ଼ି ବୁଲାଇଲାଭଳି। ବୁଦ୍ଧିଜୀବୀ ମହଲରେ ଆହୁରି ଏକ ପ୍ରଶ୍ନ ଏଯାବତ୍ ସମାଧାନ କରି କେହି କହିପାରିନାହାନ୍ତି। ରାଷ୍ଟ୍ର ବିଜ୍ଞାନବିତ୍ମାନେ ଆରିଷ୍ଟଟଲଙ୍କ ଥିଓରିକୁ ଅନୁସରଣ କରି ଆଧୁନିକ ରାଷ୍ଟ୍ରକୁ ରାଜତନ୍ତ୍ର, ଆଭିଜାତତନ୍ତ୍ର ଓ ଗଣତନ୍ତ୍ର ଏହିପରି ତିନିଭାଗରେ ବିଭକ୍ତ କରିଛନ୍ତି। କେତେବେଳେ ଗଣତନ୍ତ୍ରକୁ ସାଧାରଣତନ୍ତ୍ର ରାଷ୍ଟ୍ର ବୋଲି କୁହାଯାଇଛି। ଅନ୍ୟ କେତେକ ରାଜନୀତି ବିଜ୍ଞାନୀ ଜନତନ୍ତ୍ର ବୋଲି କହିଛନ୍ତି। ଏହା ବ୍ୟତୀତ ଆଉ ଗୋଟିଏ ପ୍ରକାର ରାଷ୍ଟ୍ର ଅଛି ଯାହାକୁ ଏକଚ୍ଛତ୍ରବାଦ ରାଷ୍ଟ୍ର କୁହନ୍ତି। ସୁତରାଂ ଆଧୁନିକ ଯୁଗରେ ରାଷ୍ଟ୍ରକୁ ଗଣତନ୍ତ୍ର ବା ଏକଚ୍ଛତ୍ରବାଦ ଦୁଇଟିରୁ ଗୋଟିଏ ଶାସନ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ପଡ଼ିଥାଏ। ଆଉ କେତେକ ରାଷ୍ଟ୍ରକୁ ରାଷ୍ଟ୍ର ସଂଘ ବା ସଂସଦୀୟ ସରକାର ବୋଲି କହିଥାଆନ୍ତି। ଆମ ଦେଶକୁ ସଂସଦୀୟ ସରକାରସବୁ ଶାସନ କରନ୍ତି। ଏମାନଙ୍କ ଆଭିମୁଖ୍ୟ ଗଣତନ୍ତ୍ର, ଜନତନ୍ତ୍ର, ଆଭିଜାତତନ୍ତ୍ର, ଏକଚ୍ଛତ୍ରବାଦ ଏଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଦିଗକୁ ଗତି କରିଥାଏ। ଆଜିକାଲି ଗୋଟିଏ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରୁଛି; ଯେଉଁଥି ପାଇଁ ଶାସକମାନେ କହୁଥିବା କଥା ପ୍ରାୟତଃ ସତ ନୁହେଁ ବୋଲି ଯାହା ମାଡ୍ରାସ ହାଇକୋର୍ଟରେ ଜନସାଧାରଣଙ୍କ ପାଇଁ କୁହାଯାଉଛି ତାହାର ସତ୍ୟତା ଅଛି। ଯାହା ଫଳରେ ଅମଲାତନ୍ତ୍ରର ଶାସନ ପାଖରେ ଜନତନ୍ତ୍ର ଶାସନ ଗୌଣ ହୋଇଯାଇଥାଏ।
ଭାରତ ସ୍ବାଧୀନ ହେବା ପରଠାରୁ ଏଯାବତ ଶାସନତନ୍ତ୍ରରେ ଅମଲାତନ୍ତ୍ର ସବୁବେଳେ ପ୍ରଭାବଶାଳୀ ହୋଇ ଆସିଛି। ସେମାନଙ୍କ ଚେର ଏତେ ଗଭୀର ଯେ ତାଙ୍କୁ ହଲେଇବା କଷ୍ଟକର । ସେମାନେ ଯେତେ ପ୍ରଭାବଶାଳୀ ହେବେ ଆଭିଜାତତନ୍ତ୍ର ଜନତନ୍ତ୍ରକୁ ଧୂଳିସାତ୍ କରିଦେବ। ଭାରତ ସ୍ବାଧୀନତା ହେବା ପରେ ଆଭିଜାତ ତନ୍ତ୍ର ଶାସକ ପାଖରେ ପରିଦୃଶ୍ୟ ହୁଏ ନାହିଁ। ତାହା ଅମଲାତନ୍ତ୍ର ପାଖରେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇ ରହି ଯାଇଛି। ଆରିଷ୍ଟଟଲଙ୍କ ଥିଓରିର ମୌଳିକ ପରିବର୍ତ୍ତନ ଘଟିଛି। ଏହାର ବହୁତ କାରଣ ମଧ୍ୟ ଅଛି। ନିର୍ବାଚିତ ପ୍ରତିନିଧି ଅଜ୍ଞ, ଅନଭିଜ୍ଞ, ଅଦୂରଦୃଷ୍ଟିସମ୍ପନ୍ନ ହେଲେ ଗଣତନ୍ତ୍ର ରାଷ୍ଟ୍ରରେ ଅମଲାତନ୍ତ୍ର ବଳଶାଳୀ ହୋଇଯିବ। ଦେଖିବାକୁ ଗଲେ ଅମଲାତନ୍ତ୍ର ସବୁ ସରକାରଙ୍କ ଅମଳରେ ଶାସନକର୍ତ୍ତା ସାଜିଛନ୍ତି। ଏହାର ଢାଞ୍ଚା ପରିବର୍ତ୍ତନ ପାଇଁ ସରକାରମାନେ କେବେ ଚିନ୍ତା କରିବା ଦେଖା ଯାଏନାହିଁ।
ଆମ ଦେଶରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଘନିଷ୍ଠ ସମ୍ପର୍କ ରହିଛି। ଯେଉଁଠାରେ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକାର ପରସ୍ପର ସହଯୋଗ ଏବଂ ବୁଝାମଣା ଉପରେ ପର୍ଯ୍ୟବସିତ ତାହାକୁ ସଂସଦୀୟ ସରକାର କୁହାଯାଇଥାଏ। ଏହି ସରକାରରେ କାର୍ଯ୍ୟପାଳିକା ବ୍ୟବସ୍ଥାପିକାର ଅଂଶ ବିଶେଷ ହୋଇଥାଏ। କାର୍ଯ୍ୟପାଳିକା ତା’ର ସମସ୍ତ କାର୍ଯ୍ୟପାଇଁ ବ୍ୟବସ୍ଥାପିକା ପାଖରେ ଦାୟୀ ରହିବା କଥା। ବ୍ୟବସ୍ଥାପକମାନେ ଜନସାଧାରଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ପାଇଁ ନିର୍ବାଚିତ ହୋଇଥିବାରୁ ସେମାନେ ମଧ୍ୟ ସେମାନଙ୍କ କାମ ପାଇଁ ଜନସାଧାରଣଙ୍କ ପାଖରେ ଦାୟୀ ରହିଥାଆନ୍ତି। ତେଣୁ ଏହାକୁ ଉତ୍ତରଦାୟୀ ସରକାର କୁହାଯାଏ। କିନ୍ତୁ ଆମ ଦେଶର ଜନସାଧାରଣ କେବେ ହେଲେ ଏହି ଉତ୍ତରଦାୟିତ୍ୱ ସମ୍ପର୍କରେ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ କରନ୍ତି ନାହିଁ କିମ୍ବା ଏ ସମ୍ପର୍କରେ ଆଦୌ ସଚେତନ ହୋଇ ନାହାନ୍ତି ବୋଲି କୁହାଯିବ। ସରକାରଙ୍କ ପରେ ସରକାର ଆସୁଛନ୍ତି, ଯାଉଛନ୍ତି। ସେମାନେ ସମ୍ବିଧାନ ଓ ବ୍ୟବସ୍ଥାପିକାର ବିଧିକୁ ଉଲ୍ଲଂଘନ କରି ବହୁ କାର୍ଯ୍ୟ କରି ଯାଇଥିଲେ ହେଁ କେବେହେଲେ ପରବର୍ତ୍ତୀ ସମୟରେ ଉତ୍ତରଦାୟୀ ହୋଇପାରି ନାହାନ୍ତି। ସେମାନଙ୍କ ପାଇଁ ଏଭଳି ସୁଯୋଗ ସୃଷ୍ଟି ହୋଇଛି କେବଳ ସଂଘୀୟ ସରକାରଙ୍କ ପାଇଁ। ଗଣତନ୍ତ୍ରରେ ଅମଲା ନୁହନ୍ତି ବରଂ ନିର୍ବାଚିତ ସରକାର ଲୋକଙ୍କ ନିକଟରେ ଉତ୍ତରଦାୟୀ ହୋଇଥିବାରୁ ମନ୍ତ୍ରୀମାନଙ୍କୁ ସେମାନଙ୍କର କ୍ଷମତା ପ୍ରୟୋଗ କରିବାକୁ ସୁଯୋଗ ପ୍ରଦାନ କରାଯାଇଥାଏ। ଏଠାରେ ବିଚାର କରାଯାଇପାରେ ଯେ ଆଭିଜାତତନ୍ତ୍ରର ମୌଳିକ ସ୍ବରୂପଟି ହେଉଛି ଅମଲାତନ୍ତ୍ର। ପ୍ରାୟତଃ ସେମାନଙ୍କ ଇଚ୍ଛାରେ ଶାସନ ଚଳେ। ନିଯୁକ୍ତି, ଉନ୍ନୟନ କାର୍ଯ୍ୟ, ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ରାଜକୋଷରୁ ଅର୍ଥ ଆଣିବା ଦାୟିତ୍ୱ ରହିଛି ସଚିବମାନଙ୍କ ଉପରେ। ଏପରିସ୍ଥଳେ ଦେଖିବାକୁ ଗଲେ ରାଷ୍ଟ୍ରସଂଘର ଆବଶ୍ୟକତା ରହିଛି। କାରଣ ରାଷ୍ଟ୍ରସଂଘ ଏକ ଶକ୍ତିଶାଳୀ ଓ ବୃହତ୍ ରାଷ୍ଟ୍ର ସୃଷ୍ଟି କରେ। ଏଠାରେ ଲିଖିତ ସମ୍ବିଧାନ ଓ ନିରପେକ୍ଷ ନ୍ୟାୟାଳୟ ଥିବାରୁ ଏକଚ୍ଛତ୍ରବାଦ ଶାସନ ପ୍ରତିଷ୍ଠା ହୋଇପାରେ ନାହିଁ। ଅପରପକ୍ଷରେ କ୍ଷମତା ବିକେନ୍ଦ୍ରୀକରଣ ଫଳରେ ଶାସନଗତ ଐକ୍ୟ ଓ ସଂହତି ବାଧାପ୍ରାପ୍ତ ହୁଏ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଣୀତ ଆଇନ ମଧ୍ୟରେ ବେଳେ ବେଳେ ସଂଘର୍ଷ ଦେଖାଦିଏ। ତେଣୁ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଦୁହେଁ ଯଦି ନିଜର ଉତ୍ତରଦାୟିତ୍ୱ ସମ୍ପର୍କରେ ସଚେତନ ରୁହନ୍ତେ ଏବଂ ଏମାନଙ୍କ ଉପରେ ରାଷ୍ଟ୍ରପତି ତଥା ରାଜ୍ୟପାଳଙ୍କୁ ସାମ୍ବିଧାନିକ ଲିଖିତ କ୍ଷମତା ଦିଆଯାଆନ୍ତା ତେବେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପୃଥିବୀରେ ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିପାରନ୍ତା।
ହରେକୃଷ୍ଣ ପଣ୍ଡା
-ସୟଦପୁର, ଯାଜପୁର, ମୋ:୯୪୩୭୩୧୫୬୨୩