ଗଣତନ୍ତ୍ର, ସମ୍ବିଧାନ ଦଳୀୟ ନୁହେଁ: ଧର୍ମେନ୍ଦ୍ର

ସମ୍ବଲପୁର,୨୬ା୫ (ବ୍ୟୁରୋ): ଭାରତ ଦୁନିଆର ଆଦ୍ୟ ଗଣତନ୍ତ୍ର ସ୍ଥାନ। ଏହିଠାରୁ ଗଣତନ୍ତ୍ର ଆରମ୍ଭ ହୋଇଛି। ଆଜି ଦିନରେ ଭାରତ ପ୍ରଭାବଶାଳୀ ଭାବେ ପରିଚିତ। ଗଣତନ୍ତ୍ରର ଆଲୋଚନା ସଂସଦରେ ହୋଇଥାଏ। ଏବେ ଯେଉଁ ସଂସଦ ଭବନ ରହିଛି ତାହା ବ୍ରିଟିଶମାନଙ୍କ ସମୟରେ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନୂତନ ସଂସଦ ଭବନ ତିଆରି ହୋଇଛି। ଆସନ୍ତା ୨୮ରେ ଏହା ଲୋକାର୍ପଣ ହେବାକୁ ଯାଉଛି। ଗଣତନ୍ତ୍ର କିମ୍ବା ସମ୍ବିଧାନ ଦଳୀୟ ନୁହେଁ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଉଚିତ କରୁ ନାହାନ୍ତି। ସେମାନଙ୍କୁ ଲୋକ ସଭାରୁ ନିମନ୍ତ୍ରଣ ଯାଇଥିବ। ତେଣୁ ବିରୋଧରୁ ନିବୃତ୍ତ ରହି ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦାନ କରନ୍ତୁ ବୋଲି ଗୁରୁବାର ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଯୋଗଦେବା ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଗୁଆ ସାଧାରଣ ନିର୍ବାଚନ ଓ କର୍ନାଟକ ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ଧର୍ମେନ୍ଦ୍ର କହିଛନ୍ତି, ସବୁ ରାଜ୍ୟର ନିର୍ବାଚନରେ ଭିନ୍ନ ଚରିତ୍ର ରହିଥାଏ। ତେବେ ଆଗାମୀ ୨୦୨୪ ନିର୍ବାଚନରେ ସମ୍ବଲପୁର ଲୋକ ସଭାରୁ ପ୍ରାର୍ଥୀ ହେବା ପ୍ରଶ୍ନରେ ସେ ହସିଦେଇ କଥାକୁ ଏଡାଇ ଯାଇଥିଲେ। ସମ୍ବଲପୁର ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ହେବା ନେଇ ଧର୍ମେନ୍ଦ୍ର ହସିଦେବା ଘଟଣାରୁ ପୂର୍ବ ଆଲୋଚନାର ସତ୍ୟତା ଥିବା ଚର୍ଚ୍ଚା ହେଉଛି। ସମ୍ବଲପୁର ଲୋକ ସଭା ନିର୍ବାଚନରେ ଲଢିବା ନେଇ ୨୦୧୯ ମସିହାରେ ରେଙ୍ଗାଲିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପରୋକ୍ଷ ଭାବେ ଘୋଷଣା କରିଥିଲେ। ଏବେ ଏହି ଲୋକ ସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କ ସହ ମିଶୁଥିବାରୁ ଏ ନେଇ ଚର୍ଚ୍ଚା ବଢୁଛି। ଅନ୍ୟପକ୍ଷରେ ଧର୍ମେନ୍ଦ୍ର ଶୀତଳଷଷ୍ଠୀ ଯାତ୍ରାର ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ଯୋଗଦେବା ସହ ଆଳତି ମଧ୍ୟ କରିଥିଲେ। ଶାନ୍ତିନଗର, ଜଗନ୍ନାଥ କଲୋନୀ, କୁଲତକାନି, ସିନ୍ଦୂରପଙ୍କ, ଅଇଁଠାପାଲି, ସମଲେଇ ମନ୍ଦିର, ହୀରାକୁଦ, କ୍ଷେତରାଜପୁର ଦୁର୍ଗା ମଙ୍ଗଳମ, ଝାଡୁଆପଡା, ନନ୍ଦପଡା, ଠାକୁରପଡା, ମୋଦିପଡାଠାରେ ଅନୁଷ୍ଠିତ ଯାତ୍ରାକୁ ଯାଇଥିଲେ। ତାଙ୍କ ସହ ବରଗଡ ଏମ୍‌ପି ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲା ଭାଜପା ସଭାପତି ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।