କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଦାବି

କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶତାଧିକ କେନ୍ଦୁପତ୍ର ତୋଳାଳି, କର୍ମଚାରୀ ଓ ବନ୍ଧାଳି କାଳୀପଡ଼ିଆରୁ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କେନ୍ଦୁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ସଂଘର ରାଜ୍ୟ ସମ୍ପାଦକ ମହମ୍ମଦ ମୁରତାଜା, କାର୍ଯ୍ୟକାରୀ ସଭାପତି ସଞ୍ଜିତ୍‌ ମହାନ୍ତି, ଉପସଭାପତି ଗୋକୁଳ ମେହେର, କେନ୍ଦୁଝର ଡିଭିଜନ ସମ୍ପାଦକ ସଞ୍ଜୟ ଚୌଧୁରୀ, ଯୁଗ୍ମ ସମ୍ପାଦକ ଦିବ୍ୟସିଂ ଦେହୁରୀ, ଶଙ୍କର୍ଷଣ ସାହୁ, ସେକ୍ସନ ସମ୍ପାଦକ ରବି ନାରାୟଣ ମହାନ୍ତ ପ୍ରମୁଖ ସାମିଲ ବକ୍ତବ୍ୟ ରଖିଥିଲେ। ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜିଏସ୍‌ଟି ଉଚ୍ଛେଦ ପାଇଁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।
କେନ୍ଦୁପତ୍ର ତୋଳାଳିମାନଙ୍କ ହିତାଧିକାରୀ ହେବା ପାଇଁ ୨୦୦୦ ଟଙ୍କା କେରି ମାପଦଣ୍ଡକୁ ଉଠାଯାଇ ୧୦୦୦ କରାଯିବା, ବନ୍ଧେଇ ଶ୍ରମିକମାନଙ୍କ ଲାଗି ଉଦ୍ଦିଷ୍ଟ ପ୍ରତି ଦଶ ବଣ୍ଡଲର ମାନଦଣ୍ଡ କରି ପୂର୍ବପରି ମାନଦଣ୍ଡ, ପୂର୍ବରୁ ୨୦୧୮ ପର୍ଯ୍ୟନ୍ତ ଚାଲି ଆସିଥିବା ଓ ଏହା ପରଠାରୁ ସ୍ଥଗିତ ଥିବା ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ପୁନଃ ପ୍ରଚଳନ, ବୋନସ ଓ ପ୍ରୋତ୍ସାହନ ରାଶି ପରିମାଣ ବୃଦ୍ଧି, କେନ୍ଦୁପତ୍ର ଦର ବୃଦ୍ଧି, କେନ୍ଦୁପତ୍ର ସଂସ୍ଥାକୁ ଉନ୍ନତ ଓ କଲ୍ୟାଣ ଅଭିମୁଖୀ କରିବାକୁ ୨୦୦ କୋଟି ଟଙ୍କାର ଏକ ରିଭୋଲଭିଙ୍ଗ ଫଣ୍ଡ ଆଦି ଦାବି ହୋଇଛି। ଗ୍ରାମସଭା ନାମରେ କେନ୍ଦୁପତ୍ର ପରିଚାଳନାକୁ ଘରୋଇକରଣ କରା ନ ଯାଉ। ଗତ ୩ ବର୍ଷ ମଧ୍ୟରେ ଅତ୍ୟଧିକ ପରିମାଣର ଦର ଦାମ୍‌ ବୃଦ୍ଧି ହୋଇଥିବାରୁ ୨୦୨୨ରେ ସର୍ବନିମ୍ନ ମଜୁରୀ ସଂଶୋଧନ ପାଇଁ ପଦକ୍ଷେପ ନିଆଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।