ବାସଚ୍ୟୁତଙ୍କ ଥଇଥାନ ନିମନ୍ତେ ଦାବିପତ୍ର

କଣିହାଁ,୨୯।୬(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲଠାରେ ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ ତରଫରୁ ମଙ୍ଗଳବାର ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଲଲହଡା ବିଧାୟକ ମୁକେଶ କୁମାର ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କ୍ଷତିଗ୍ରସ୍ତ ପ୍ରଜାମାନେ ଏକ ବିଶାଳ ଶୋଭାଯାତ୍ରାରେ ବିଧାୟକଙ୍କୁ ବିଷ୍ଣୁ ମନ୍ଦିର ଛକ ଠାରୁ ପମ୍ପ ହାଉସ ନିକଟ ସଭା ସ୍ଥଳଯାଏ ପାଛୋଟି ନେଇଥିଲେ। ସଭାରେ ସଂଘ ସଭାପତି ବିରଞ୍ଚି ନାରାୟଣ ସାହୁ ସଭାପତିତ୍ୱ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ପ୍ରଧାନ, ୧୦ ନମ୍ବର ଜିଲା ପରିଷଦ ସଦସ୍ୟା ରଶ୍ମିତା ବେହେରା, ୯ ନମ୍ବର ଜିଲା ପରିଷଦ ସଦସ୍ୟା ରଶ୍ମିତା ସେଠୀ, ସମଲ ସରପଞ୍ଚ ଜିତେନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସଂଘ ତରଫରୁ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସଂଘ ତରଫରୁ ବ୍ରାହ୍ମଣୀ ଦ୍ବାରା କ୍ଷତିଗ୍ରସ୍ତ ଦୁର୍ଗପୁର, ନାଲମ, ତାଳପଦା, ଗହମ, ଶିପୁର ଓ କୁସୁମପାଳ ଗ୍ରାମର ବାସଚ୍ୟୁତ ଜନିତ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ୟା ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ସଂଘ ସମ୍ପାଦକ ଦୁର୍ଯ୍ୟୋଧନ ସାମଲ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।