ଜାତିଭିତ୍ତିକ ଜନଗଣନା ପାଇଁ ଦାବି

ଭୁବନେଶ୍ୱର,୪।୬(ବ୍ୟୁରୋ): ବିହାର ଭଳି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରିବାକୁ ରାଜ୍ୟ ସମାଜବାଦୀ ପାର୍ଟି ଦାବି କରିଛି। ଏନେଇ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ ଶୁକ୍ରବାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଛନ୍ତି। ଦାବିପତ୍ରରେ ଦର୍ଶାଯାଇଛି ଯେ ଜାତିଭିତ୍ତିକ ଜନଗଣନା ନେଇ ଗତ ବର୍ଷ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ପାସ୍‌ କରାଯାଇଥିଲା। କେନ୍ଦ୍ର ସରକାର ରାଜ୍ୟ ପଛୁଆ ବର୍ଗ କମିଶନଙ୍କୁ ରାଜ୍ୟସ୍ତରରେ ଜନଗଣନା କାର୍ଯ୍ୟ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ପଛୁଆ ବର୍ଗ କମିଶନ ଗତ ବର୍ଷ ମେ’ ୧ରୁ ଜୁନ୍‌ ୧୫ ତାରିଖ ମଧ୍ୟରେ ଜାତିଗଣନା କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। କୋଭିଡ୍‌ ସଂକ୍ରମଣ ଯୋଗୁ ଏହା ସ୍ଥଗିତ ହୋଇଯାଇଥିଲା। ରାଜ୍ୟରେ ଇତି ମଧ୍ୟରେ ସଂକ୍ରମଣ ହ୍ରାସ ପାଇଛି। କଟକଣା ମଧ୍ୟ ଉଠାଇ ଦିଆଯାଇଛି। ଏହା ସତ୍ତ୍ୱେ ଏ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପଛୁଆ ବର୍ଗ କମିଶନଙ୍କ ନିକଟରେ ସମାଜବାଦୀ ପାର୍ଟି ଦାବି କରିଥିଲା। କମିଶନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ଦେଢମାସ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଦାବି କରାଯାଇଛି।