ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବାଙ୍କୀ, ୧୨ା୮(ସ୍ବ.ପ୍ର.): ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ପଞ୍ଚାୟତରେ ଏମ୍‌ଜିଏନଆରଇଜିଏସ୍‌ କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପଗୁଡିକରେ ମହାଦୁର୍ନୀତିରେ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ କରିବାକୁ ଦାବି କରି କଂଗ୍ରେସ ପକ୍ଷରୁ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ବୁଧବାର ତୃତୀୟ ଦିନରେ ପହଞ୍ଚତ୍ଛି। ଏଥିରେ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ଗଣଧାରଣାରେ ବସିଥିବା କର୍ମୀମାନଙ୍କ ସହ ସାମିଲ୍‌ ହୋଇ ବ୍ଲକରେ ହେଉଥିବା ଦୁର୍ନୀତିରେ ସମ୍ପୃକ୍ତ ଥିବା କର୍ମଚାରୀମାନଙ୍କୁ ସସ୍‌ପେଣ୍ଡ କରିବା ସହ ପଞ୍ଚାୟତରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ବାଙ୍କୀ ଉପଖଣ୍ଡ ଓ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବତା ଅବଲମ୍ବନ କରୁଛନ୍ତି। କଟକ ଜିଲାପାଳ କିମ୍ବା ତାଙ୍କର ପ୍ରତିନିଧି ଘଟଣାସ୍ଥଳକୁ ଆସି ଗଣଧାରଣାକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଦୁର୍ନୀତି ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଅନିର୍ଦ୍ଦିଷ୍ଟକାଳ ପାଇଁ ଏହି ଗଣଧାରଣା ଚାଲୁ ରହିବ ବୋଲି ସେ ପ୍ରକାଶ କରିଥିଲେ। ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସିତ ବରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଣଧାରଣାରେ ଜିଲା କଂଗ୍ରେସ ଉପସଭାପତି କୁବେର ଚୌଧୁରୀ, ଉପଦେଷ୍ଟା ବାବୁଲି ଦଳେଇ, ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସ୍ବାଇଁ, ଘନଶ୍ୟାମ ମହାନ୍ତି, ନକୁଳ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ଦେବେନ୍ଦ୍ର ଧଳ ସାମନ୍ତ, ବାସୁଦେବ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି।