ଋଣଭାରରୁ ବର୍ତ୍ତିବା ପାଇଁ ମାଗିଲେ ଇଚ୍ଛା ମୃତ୍ୟୁ

ବିଞ୍ଝାରପୁର,୩ା୧୨(ଡି.ଏନ.ଏ.): ଦାରିଦ୍ର୍ୟର ତାଡ଼ନା ସାଙ୍ଗକୁ ଅସହ୍ୟ ଋଣଭାର ସହି ନ ପାରି ଜଣେ ଯୁବକ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ଲାଗି ଚିଠି ଲେଖିଛନ୍ତି। ଯାହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଆଉଁରୀ ପଞ୍ଚାୟତର ବିଭୂତିଭୂଷଣ ଦାସଙ୍କ ପୁଅ ରାକେଶ ଦାସ(୩୬)।

ରାକେଶ ଗରିବ ପରିବାରରେ ଜନ୍ମ ହୋଇଥିବା ବେଳେ ବହୁ କଷ୍ଟରେ ବି.କମ୍‌ ପାସ୍‌ କରିଛନ୍ତି। ଭାବିଥିଲେ ଉଚ୍ଚ ଶିକ୍ଷା ଲାଭକରି ପରିବାର ପାଇଁ କିଛି କରିବେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଯୋଗୁ ଗ୍ରାମ ନିକଟରେ କ୍ରିକେଟ ଖେଳୁଥିବା ବେଳେ ଆଖିରେ ଉଇକେଟ ବାଜିଥିଲା। ଚିକିତ୍ସା ଅଭାବ ଯୋଗୁ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ପରିବାରର ଦୁଃଖ ଦେଖି ରାକେଶ ପାଠପଢ଼ା ଛାଡିବାକୁ ବାଧ୍ୟ ହୋଇଥିଲେ। ଗାଁରେ କୁକୁଡା ଚାଷକରି ଦିପଇସା ରୋଜଗାର କରିବାକୁ ଯାଇ ୨୦୧୬ରେ ବିଭିନ୍ନ ସଂସ୍ଥାରୁ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ ଆଣି କୁକୁଡ଼ା ଫାର୍ମ କରିଥିଲେ। ଏହାପରେ ଗ୍ରାମର ଜଣେ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଫାର୍ମ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ବିଞ୍ଝାରପୁର ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ତହସିଦାରଙ୍କ ନିର୍ଦ୍ଦେଶ ନ ମାନି ରାକେଶ ଫାର୍ମ କାମ କରିଚାଲିଥିଲେ। ଏହାପରେ ପୂର୍ବତନ ଉପଜିଲାପାଳ କୁକୁଡା ଫାର୍ମର ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ। ସେତେବେଳକୁ ରାକେଶ ବହୁ ଟଙ୍କା କରଜକରି ଖର୍ଚ୍ଚ କରିସାରିଥିଲେ। କୁକୁଡା ଫାର୍ମ ନିର୍ମାଣ ତ ହେଲାନି କିନ୍ତୁ, କରଜ କରିଥିବା ଟଙ୍କାର ସୁଧ ବଢିଚାଲିଛି। ଏବେ ରାକେଶଙ୍କ ମୁଣ୍ଡରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କରଜ ରହିଛି। କରଜ ଦେଇଥିବା ବ୍ୟକ୍ତି ତାଙ୍କୁ ବ୍ୟସ୍ତ କରୁଛନ୍ତି। କରଜ ଶୁଝିବେ କେମିତି ସେ ନେଇ ଚିନ୍ତାରେ ରାକେଶ। ଅନ୍ୟପଟେ ମାଟିଘର ଭାଙ୍ଗି ଗଲାଣି, ମୁଣ୍ଡ ଗୁଞ୍ଜିବେ କେଉଁଠି। କରଜ ସମସ୍ୟା ସାଙ୍ଗକୁ ବୃଦ୍ଧ ବାପାଙ୍କ ଉପରେ ବୋଝ ହୋଇ ରହିବାକୁ ସେ ଆଉ ଚାହୁନାହାନ୍ତି। ତେଣୁ ରାକେଶ ଜୀବନ ହାରିଦେବାକୁ ମନସ୍ଥ କରିଥିବା ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।