ପାଣି ପାଇଁ ଗୁହାରି

ରାୟଗଡ଼ା,୧୪।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ କୋଣ୍ଡିଗୁଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି। ପାନୀୟ ଜଳ ସଙ୍କଟର ସମାଧାନ ପାଇଁ କୋଣ୍ଡିଗୁଡ଼ା ଗ୍ରାମବାସୀ ବ୍ଲକ୍‌ ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ବୁଧବାର ଜିଲାପାଳ ସ୍ବଧାଦେବ ସିଂଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମର ସମସ୍ତ ମହିଳା ପୁରୁଷ ଜିଲାପାଳଙ୍କୁ ଭେଟି ତୁରନ୍ତ ପାନୀୟ ଜଳ ଯୋଗାଇଦେବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଗ୍ରାମବାସୀଙ୍କ କହିବା ମୁତାବକ, ଗ୍ରାମରେ ୩ଟି ନଳକୂପ ରହିଛି। ସେଥିମଧ୍ୟରୁ ୨ଟି ନଳକୂପରୁ ଆଦୌ ପାଣି ବାହାରୁ ନାହିଁ । ଅନ୍ୟଟିରୁ ଦୁର୍ଗନ୍ଧ ପାଣି ବାହାରୁଥିବାରୁ ପାଣି ପିଇବାଯୋଗ୍ୟ ହେଉନାହିଁ। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଛଟପଟ ହେବା ସହ ବାଧ୍ୟହୋଇ ନଦୀପାଣି ବ୍ୟବହାର କରୁଛନ୍ତି। ତେବେ ନଦୀର ଦୂଷିତଜଳ ବ୍ୟବହାର କରିବା ଦ୍ୱାରା ଅନେକ ସମୟରେ ଲୋକେ ହଇଜା, ମ୍ୟାଲେରିଆ ଆଦି ରୋଗର ଶିକାର ହେଉଥିବା ଗ୍ରାମବାସୀ କହିଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ ନଦୀ ଜଳସ୍ତର ବଢ଼ିବା ସଙ୍ଗେ ସଙ୍ଗେ ନଦୀପାଣି ଗୋଳିଆ ରହିବ। ଫଳରେ ନଦୀ ଜଳ ପିଇବାଯୋଗ୍ୟ ହେବ ନାହିଁ । ତେଣୁ ଜିଲାପାଳ ତୁରନ୍ତ କୋଣ୍ଡିଗୁଡ଼ା ଗ୍ରାମରେ ପାନୀୟଜଳର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ଦାବି ପୂରଣ ନ ହେଲେ ଗ୍ରାମବାସୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ କୋଣ୍ଡିଗୁଡ଼ା ଗ୍ରାମର ଆଇ.ଜଗନ୍ନାଥ କଲାକା, ଗୋବର୍ଦ୍ଧନ ଜାକାକା, ଦାଲମେ ଜାକାକା, ନୀଲାମା ଜାକାକା ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।