ଗଞ୍ଜାମ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା ଦାବି: ଚାଷୀଙ୍କୁ ବୀମା ରାଶି ସହ କୃଷି ଋଣ ଛାଡ଼ ନେଇ…

ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ, ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ ଓ କୃଷି ଋଣ ଛାଡ଼ ଦାବିରେ ଅଖିଳ ଭାରତ କୃଷକ ସଭା, ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ଏହି ଅବସରରେ ସଂଗଠନର ନେତାମାନେ କହିଥିଲେ ଯେ, ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବହୁ ଅଞ୍ଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା ସହ ବିଭିନ୍ନ ପ୍ରକାର ଫସଲ ନଷ୍ଟ ହୋଇଛି। ଏହାଦ୍ୱାରା ଚାଷୀମାନେ ଆର୍ଥିକ ଦୁର୍ଦ୍ଦଶାରେ ପଡ଼ିଥିବା ବେଳେ ବ୍ୟବସାୟୀ ଓ ସାଧାରଣ ଲୋକେ ମଧ୍ୟ ଜୀବିକା ହରାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବନ୍ୟାରେ ବହୁ ପରିବାରଙ୍କ ଘରଦ୍ୱାର ଓ ଆସବାବପତ୍ର ନଷ୍ଟ ହୋଇଥିବାରୁ ସେମାନେ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ଏଭଳି ସ୍ଥିତିରେ କେବଳ ଆଶ୍ୱାସନା ନୁହେଁ, ବରଂ କ୍ଷୟକ୍ଷତିର ନିରପେକ୍ଷ ଆକଳନ କରି ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସଂଗଠନ ଦାବି କରିଛି। ସେହିପରି ବନ୍ୟାରେ ଫସଲ ହରାଇଥିବା ସମସ୍ତ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ, କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼, କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ଏବଂ ଜିଲାରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ସ୍ଥାୟୀ ଓ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ତାହାର ତୁରନ୍ତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ଧାରଣାରେ ଅଖିଳ ଭାରତ କୃଷକ ସଭାର ଜାତୀୟ ଉପସଭାପତି ଆଶିଷ କାନୁନ୍‌ଗୋ, ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ, ଗଞ୍ଜାମ ଜିଲା ସଭାପତି ଶ୍ରୀହର୍ଷ ରଥ, ଜିଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା,ସାଙ୍ଗ ଠନିକ ସମ୍ପାଦକ ନୀଳକଣ୍ଠ ଦାଶ, ପ୍ରଦୀପ କୁମାର ସେଠୀ, ପ୍ରବୀଣ କୁମାର ଦାଶ, ଏସ୍‌. କ୍ରିଷ୍ଣା ରେଡ୍ଡୀ, ସିମାଞ୍ଚଳ ସାହୁ, କୈଳାସ ପାତ୍ର, ପଞ୍ଚାନନ ସ୍ବାଇଁ ବିଦେଶୀ ନାହାକ, ସତ୍ୟମହାପାତ୍ର, ଗୋପାଳ ଭୂୟାଁ, ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଏନ୍‌. ଗିରିଜା ପ୍ରସାଦ ରେଡ୍ଡୀ, ଗୁରୁନାଥ ପ୍ରଧାନ, ଦୁର୍ଯ୍ୟୋଧନ ପରିଡ଼ା, ସିଏଚ୍‌. ସତ୍ୟ ନାରାୟଣ ରେଡ୍ଡୀ, ବିଶ୍ୱନାଥ ବିଶ୍ୱାଳ, ଭାସ୍କର ପାତ୍ର ଓ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ଚାଷୀନେତା ଓ କର୍ମୀ ଯୋଗଦେଇଥିଲେ।

Dharitri – Odisha’s No.1 Odia Daily

Share