କର୍ଲାମୁଣ୍ଡା,୨୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି କର୍ଲାମୁଣ୍ଡା ତହସିଲ୍ ଠାରେ ସପ୍ତାହକୁ ମାତ୍ର ଗୋଟିଏ ଦିନ ସବରେଜେଷ୍ଟ୍ରା ଅଫିସ ଚାଲୁଅଛି । ଏଠାରେ କେବଳ ପ୍ରତି ସପ୍ତାହରେ ଶୁକ୍ରବାର ଦିନ ଜମିଜମା କିଣାବିକା ରେଜିଷ୍ଟ୍ରେସନ ହୋଇଥାଏ । ଏଥିପାଇଁ ମାତ୍ର ୩୦ଟି ସ୍ଲଟର ଅନୁମତି ଅଛି । ଫଳରେ ଜମି କିଣାବିକା କରୁଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବର୍ତ୍ତମାନ ଆଇଜିଆର ସାଇଡରେ କେବଳ ଗୋଟିଏ ଦିନ ଶୁକ୍ରବାର ପାଇଁ ସ୍ଲଟ ଉପଲବ୍ଧ ହେଉଅଛି । ସ୍ଲଟ ସଂଖ୍ୟା କମ ଥିବା ହେତୁ ଦଲାଲମାନେ ସକ୍ରିୟ ହୋଇ ପ୍ରତି ସ୍ଲଟ ପ୍ରତି ଅଧିକରୁ ଅଧିକ ଟଙ୍କା ନେଉଛନ୍ତି। ଫଳରେ ସାଧାରଣ ଲୋକେ ବହୁ ଅସୁବିଧା ଭୋଗିବା ସହ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ପୁଣି ଶୁକ୍ରବାର ସରକାରୀ ଛୁଟି ପଡିଲେ ସେଦିନ ରେଜିଷ୍ଟ୍ରା ଅଫିସ ବନ୍ଦ ରହୁଥିବାରୁ ଶହ ଶହ ମାତ୍ରାରେ ରେଜେଷ୍ଟ୍ରି ଡକ୍ୟୁମେଣ୍ଟ ବକେୟା ରହୁଅଛି ।
ଲୋକଙ୍କ ଡାକ୍ତରୀ ଚିକିତ୍ସା, ଝିଅ ବାହାଘର, ବ୍ୟାଙ୍କ ଋଣ ପରିଶୋଧ ଇତ୍ୟାଦି କାର୍ଯ୍ୟ ପାଇଁ ଜମି ରେଜେଷ୍ଟ୍ରି କରିନପାରିବାରୁ ହତୋତ୍ସାହିତ ହେଉଥିବା ଦେଖାଯାଉଛି ଏବଂ ସେମାନେ ମାନସିକ ଚାପରେ ରହୁଛନ୍ତି । ଏପରିସ୍ଥଳେ ରେଜେଷ୍ଟ୍ରି ଅଫିସର ସପ୍ତାହକୁ ଆଉ ଗୋଟିଏ ଦିନ ଜମି ପଞ୍ଜିକରଣ ପାଇଁ ବୃଦ୍ଧି କରିବାକୁ ସ୍ଥାନୀୟ ଜନସାଧାରଣ, ଓକିଲ, ଓକିଲକ୍ଲର୍କ, ଦଲିଲ ଲେଖକ ମାନେ କର୍ଲାମୁଣ୍ଡା ତହସିଲଦାର ତଥା ଉପନିବନ୍ଧକଙ୍କୁ ଅନେକ ଥର ଲିଖିତ ଭାବେ ଜଣାଇଥିବା ଜଣାପଡିଛି । ପ୍ରକାଶଥାଉକି କର୍ଲାମୁଣ୍ଡା ତହସିଲ ଅଧିନରେ ୧୨ ଗୋଟି ଗ୍ରାମପଞ୍ଚାୟତ ତଥା ୬୨ ଖଣ୍ଡ ଗ୍ରାମ ରହିଥିବା ବେଳେ ସପ୍ତାହକୁ ଗୋଟିଏ ଦିନ ରେଜେଷ୍ଟ୍ରି ଚାଲିଲେ ଲୋକଙ୍କ ଅସୁବିଧା ହେଉଛି ।
ରେଜେଷ୍ଟ୍ରି ଦୁଇଦିନ ହେଲେ ଅଧିକ ସୁବିଧା ହେବା ସହିତ ଦଲାଲମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି । ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି । ଏନେଇ ତହସିଲଦାର ଅରୁଣ କୁମାର ବର୍ଗେଙ୍କୁ ପଚାରିବାରୁ କମ୍ ସଂଖ୍ୟକ କର୍ମଚାରୀ ଥିବାରୁ ସମସ୍ୟା ରହିଛି, ଜିଲା ଅଧିକାରୀଙ୍କୁ ଜଣେଇବି ବୋଲି କହିଛନ୍ତି ।