ଥୁଆମୂଳ ରାମପୁର,୨୩ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ, ଭିତ୍ତିଭୂମିର ଉନ୍ନତି ଓ ସାମଗ୍ରିକ ବିକାଶ ପାଇଁ ମାନ୍ୟବର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବୁଧବାର ଭବାନୀପାଟଣା ସର୍କିଟ୍ ହାଉସଠାରେ କଳାହାଣ୍ଡି ଜିଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ଦାବିପତ୍ର (ପତ୍ର ସଂଖ୍ୟା: ଭାଜପା/୧୧/୨୬, ହସ୍ତାନ୍ତର କରିଛନ୍ତି। ଥୁଆମୂଳ ରାମପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ, ବନାଞ୍ଚଳ, ପାହାଡ଼ିଆ ଓ ପଛୁଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ରାଜ୍ୟ ସରକାର ଏହି ସ୍ଥାନଗୁଡ଼ିକର ବିକାଶ ଓ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଦୃଷ୍ଟି ଦେଲେ, ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହୋଇପାରିବ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ଆର୍ଥିକ, ସାମାଜିକ ବିକାଶ ସହ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଥୁଆମୂଳ ରାମପୁର ବ୍ଲକର ମର୍ଦ୍ଧିଗୁଡ଼ା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ l ଥୁଆମୂଳ ରାମପୁର-ବଲଙ୍ଗୀର ସୀମାରେ ଅବସ୍ଥିତ ସିନ୍ଦେର ଝରନ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ଓ ଉନ୍ନତି। ଥୁଆମୂଳ ରାମପୁର ବ୍ଲକର କୋଷାବରୀ ହେଲୋ ପଏଣ୍ଟର ସୌନ୍ଦର୍ଯ୍ୟକରଣ ଓ ବିକାଶ। ଘୁମେର ଝରନ ଜଳପ୍ରପାତର ସାମଗ୍ରିକ ଉନ୍ନତି ଓ ପର୍ଯ୍ୟଟନ ସୁବିଧାର ବିକାଶ। କିଆଙ୍ଗ ଝରନର ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତି। ଥୁଆମୂଳ ରାମପୁରଠାରେ ନୂତନ ମାଉସୀ ମା’ ମନ୍ଦିର ନିର୍ମାଣ। ବିରିକୋଟ ଗ୍ରାମରେ ଡୁକୁରୀ ଗୁଡ଼ି ମନ୍ଦିର ନିର୍ମାଣ। ଦାବିପତ୍ର ଗ୍ରହଣ କରିବା ପରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଥୁଆମୂଳ ରାମପୁର ବ୍ଲକକୁ ଏକ ପର୍ଯ୍ୟଟନର ହବ୍ରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେବା ସହ ବହୁଶୀଘ୍ର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ସାକ୍ଷାତକାର ସମୟରେ କଳାହାଣ୍ଡି ଜିଲା ସଭାପତି ଯୁଗଳ କିଶୋର ପୋଡ଼, ଲାଞ୍ଜିଗଡ଼ ବିଧାୟକ ପ୍ରାର୍ଥୀ ରମେଶ ମାଝୀ, ବରିଷ୍ଠ ନେତା ଭାରତ ଭୂଷଣ ଦେଓ, ଜିଲା ଉପସଭାପତି ଜୟଶଙ୍କର ନାଏକ, ଅନ୍ୟତମ ଉପସଭାପତି ରୁପେଶ ଜୈନ, ଯୁବ ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ, ଜିଲା ମିଡିଆ ସେଲର ନରହରି ପଟ୍ଟନାୟକ, ଯୋଗ ପଟ୍ଟନାୟକ, ପୂର୍ବତନ ଏସ୍ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ତୋଫାନ ସୁନାନୀଙ୍କ ସମେତ ଜିଲାର ଅନେକ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।