ମସିଣାପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି, ବିଇଓଙ୍କୁ ଦାବିପତ୍ର ପ୍ରଦାନ କରି ଗ୍ରାମବାସୀ…

ଅମରପାଲି,୧୩ା୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା କ୍ଲଷ୍ଟରର ମସିଣାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି ହୋଇଛି। ଏନେଇ ମସିଣାପାଲି ଗ୍ରାମବାସୀ ଶୁକ୍ରବାର ପୂର୍ବାହ୍ନରେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ( ବିଇଓ) ଅଭିଷେକ ଭୁଏଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଅଭିଯୋଗ ଅନୁସାରେ, ମସିଣାପାଲି ପ୍ରାଥମିକ ସ୍କୁଲରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏହି ସ୍କୁଲରେ ଏହି ଛଅଟି ଶ୍ରେଣୀରେ ସମୁଦାୟ ୨୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପୂର୍ବରୁ ସ୍କୁଲରେ ୨ ଜଣ ଶିକ୍ଷକ ଥିଲେ। ମାତ୍ର ଗତ ତା ୨୭.୧୧.୨୫ରେ ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ଏକ ସ୍କୁଲକୁ ବଦଳି ହୋଇଥିଲା। ସେହି ଦିନଠାରୁ ସ୍କୁଲରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି। ସେହି ଶିକ୍ଷକ ଜଣକ ଅଫିସ କାମ ସହିତ, ମଧ୍ୟାହ୍ନଭୋଜନ କାମ ଏବଂ ବିଏଲଓ କାମ କରୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ଜଣେ ଶିକ୍ଷକ ପାଠ ପଢ଼ାଇବାରେ ସମସ୍ୟା ହେଉଛି। ସ୍କୁଲରେ ଶିକ୍ଷକ ସମସ୍ୟା ନେଇ ଗତ ତା ୧୯.୧.୨୬ ରେ ତତ୍କାଳୀନ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦେଇ ଅବଗତି କରାଯାଇଥିଲା। ମାତ୍ର ସ୍କୁଲରେ ଆଜି ପର୍ଯ୍ୟନ୍ତ ଜଣେ ବି ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ନାହିଁ। ଆଗକୁ ବାର୍ଷିକ ପରୀକ୍ଷା ହେବ। ଏଭଳି ପରିସ୍ଥିତିରେ ପାଠପଢ଼ାରେ ବାଧା ଦେଖାଦେଉଛି। ତେଣୁ ଏହି ସ୍କୁଲକୁ ତୁରନ୍ତ ଜଣେ ଶିକ୍ଷକ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ଗ୍ରମବାସୀ। ଯଦି ଆଗାମୀ ଦିନରେ ଶିକ୍ଷକ ନିଯୁକ୍ତି ଦିଆ ନ ଯାଏ ତେବେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଗ୍ରାମର ମାନେଶ୍ୱରୀ ଘୁଟା, ସନନ୍ଦିନି ଖଣ୍ଡାୟତ, ସବିତା ଭୋଇ, ଅନ୍ତର୍ଯ୍ୟାମୀ ବେହେରାଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ଗ୍ରାମବାସୀଙ୍କ ଦସ୍ତଖତ ଥିବା ଦାବିପତ୍ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ ଦାବିପତ୍ର ଗ୍ରହଣ କରିଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share